ନୂଆଦିଲ୍ଲୀ: କୋଭିଡ୍-୧୯ ଭାଇରସ୍ ସଂକ୍ରମଣରେ ବିଶ୍ୱର ୮୮ଟି ଦେଶରେ ମୋଟ ୪,୩୫୫ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି । ଏହା ମଧ୍ୟରେ ସାଉଦି ଆରବ ଓ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ସର୍ବାଧିକ ଭାରତୀୟଙ୍କ ମୃତ୍ୟୁ ହୋଇଛି । ଗୁରୁବାର ବିଦେଶ ରାଜ୍ୟମନ୍ତ୍ରୀ ଭି ମୁରଲୀଧରନ୍ ରାଜ୍ୟସଭାରେ ଦେଇଥିବା ଏକ ଲିଖିତ ଉତ୍ତରରୁ ଏହି ତଥ୍ୟ ଜଣାପଡ଼ିଛି । ଏହା ମଧ୍ୟରୁ ୧୨୭ ଜଣଙ୍କର ଶବ ଶେଷକୃତ୍ୟ ପାଇଁ ଭାରତ ଅଣାଯାଇଛି । କୋଭିଡ୍ ସଂକ୍ରମଣ ଯୋଗୁଁ ସାଉଦି ଆରବରେ ସର୍ବାଧିକ ୧୨୩୭ ଓ ୟୁଏଇରେ ୮୯୪ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଥିବା ଏହି ତଥ୍ୟରୁ ଜଣାପଡ଼ିଛି । ଏହି ଦୁଇଟି ପଶ୍ଚିମ ଏସୀୟ ଦେଶରେ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ବସବାସ କରୁଛନ୍ତି । ସେହିପରି ବାହାରିନ୍ରେ ୨୦୩, କୁଏତ୍ରେ ୬୬୮, ମାଲେସିଆରେ ୧୮୬, ଓମାନ୍ରେ ୫୫୫ ଏବଂ କତର୍ରେ ୧୧୩ ଜଣଙ୍କ ଭାରତୀୟଙ୍କ ଏହି ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଥିବା ମନ୍ତ୍ରୀଙ୍କ ତଥ୍ୟରୁ ଜଣାପଡ଼ିଛି ।
ସେହି ସବୁ ଦେଶରେ ମୃତ ଶରୀରର ଶେଷକୃତ୍ୟ କରିବା କିମ୍ବା ଭାରତ ଆଣିବା ପାଇଁ ଭାରତୀୟ ବିଦେଶ ମିଶନ୍ରେ ହୋଇଥିବା ଆବେଦନ ଅନୁସାରେ ଇଣ୍ଡିଆନ୍ କମ୍ୟୁନିଟି ୱେଲ୍ଫେୟାର୍ ଫଣ୍ଡ୍ରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ବୋଲି ମୁରଲୀଧରନ୍ କହିଛନ୍ତି । ଅନ୍ୟପକ୍ଷରେ କୋଭିଡ୍ରେ ମୃତ ବ୍ୟକ୍ତିଙ୍କ ଶବ ସ୍ୱାସ୍ଥ୍ୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱିାରା ନିର୍ଦ୍ଧାରିତ ନିୟମ ଅନୁସାରେ ଭାରତ ଫେରାଇ ଆଣିବାରେ କୌଣସି କଟକଣା ନାହିଁ ବୋଲି ସେ କହିଥିଲେ । ରାଜ୍ୟସଭାରେ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ ଯେ ମହାମାରୀ ସମୟରେ ୬ଟି ପଶ୍ଚିମ ଏସୀୟ ଦେଶରୁ ୭,୧୬,୬୬୨ ଜଣ ଭାରତୀୟଙ୍କୁ ବିଶେଷ ବିମାନ ଯୋଗେ ଦେଶକୁ ଫେରାଇ ଅଣାଯାଇଛି । ଏହା ମଧ୍ୟରେ ୟୁଏଇରୁ ୩୩୦୦୫୮, ସାଉଦି ଆରବରୁ ୧୩୭୯୦୦, କୁଏତ୍ରୁ ୯୭୮୦୨, ଓମାନ୍ରୁ ୭୨୨୫୯, କତାର୍ରୁ ୫୧୧୯୦ ଏବଂ ବାହାରିନ୍ରୁ ୨୭୪୫୩ ଜଣ ସାମିଲ ।