ନୂଆଦିଲ୍ଲୀ : ମହିଳାମାନେ ନିଜ ଶରୀରର ସ୍ୱତ୍ତାଧିକାରୀ। ନିଜ ଶରୀର ସହ କ’ଣ କରିବେ ତାହା ସେମାନେ ସ୍ଥିର କରିବେ। ତେଣୁ ଗର୍ଭବତୀ ମହିଳାମାନେ ଗର୍ଭପାତ କରିବାକୁ ଚାହୁଁଥିଲେ ଏହି ଅଧିକାର ବି ତାଙ୍କର ନିଜସ୍ୱ। ଫ୍ରାନ୍ସ ସଂସଦ ଦେଶର ମହିଳାମାନଙ୍କୁ ଦେଇଛି ଗର୍ଭପାତ ଅଧିକାର। ଏପରି ଆଇନ ପ୍ରଣୟନ କରିବାରେ ଫ୍ରାନ୍ସ ସମଗ୍ର ବିଶ୍ୱର ପ୍ରଥମ ଦେଶ । ପ୍ୟାରିସ ବାହାରେ ଥିବା ଭର୍ସେଲ୍ସ ପ୍ୟାଲେସର ଛାତ ତଳେ ସଂସଦର ଉଭୟ ଗୃହର ସ୍ବତନ୍ତ୍ର ମିଳିତ ଅଧିବେଶନରେ ସାଂସଦ ଓ ସିନେଟରମାନେ ମତଦାନ କରିଥିଲେ। ଗର୍ଭପାତ ବିପକ୍ଷରେ ୭୨ ଜଣ ଓ ସପକ୍ଷରେ ୭୮୦ ଜଣ ଭୋଟ୍ ଦେଇଥିଲେ। ସେଣ୍ଟ୍ରାଲ ପ୍ୟାରିସରେ ଏକତ୍ରିତ ହୋଇଥିବା ଗର୍ଭପାତ ଅଧିକାର କର୍ମୀମାନେ ମତଦାନର ଫଳାଫଳ ଘୋଷଣା ହେବା ପରେ ଅତ୍ୟନ୍ତ ଉତ୍ସାହିତ ହେବା ସହ ‘ମାଇବଡି ମାଇ ଚଏସ୍’ ଲେଖା ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟାନ୍ୟ ଦେଶ ତୁଳନାରେ ଫ୍ରାନ୍ସରେ ଗର୍ଭପାତ ଅଧିକାର ଅଧିକ ଗ୍ରହଣୀୟ। ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୮୦% ଫ୍ରାନ୍ସ ଲୋକ ଗର୍ଭପାତକୁ ଆଇନଗତ କରାଯିବାକୁ ସମର୍ଥନ କରନ୍ତି। ପ୍ରଧାନମନ୍ତ୍ରୀ ଗାବ୍ରିଏଲ୍ ଆଟାଲ ମତଦାନ ପୂର୍ବରୁ ସାଂସଦମାନଙ୍କୁ କହିଛନ୍ତି, ଆମେ ସମସ୍ତ ମହିଳାଙ୍କୁ ଏକ ବାର୍ତ୍ତା ଦେଉଛୁ: ଆପଣଙ୍କ ଶରୀର ଆପଣଙ୍କର ଏବଂ କେହି ଆପଣଙ୍କ ପାଇଁ ନିଷ୍ପତ୍ତି ନେଇପାରିବେ ନାହିଁ। ସୂଚନାଯୋଗ୍ୟ, ୨୦୨୨ରେ ରୋ ବନାମ ୱାଡେ ରାୟକୁ ପ୍ରତ୍ୟାହାର କରିବାକୁ ଆମେରିକା ସୁପ୍ରିମ୍କୋର୍ଟଙ୍କ ନିଷ୍ପତ୍ତି ନେଇଥିଲେ, ଯାହାଫଳରେ ଆମେରିକାରେ ଗର୍ଭପାତ ଏବେ ଆଉ ଏକ ଅଧିକାର ନୁହେଁ। ଏହାପରେ ଗର୍ଭପାତ ପାଇଁ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ସ୍ୱୀକୃତି ଦେବା ଏବଂ ଏହାକୁ ମୌଳିକ ଅଧିକାରର ଅନ୍ତର୍ଭୁକ୍ତ କରିବାରେ ଫ୍ରାନ୍ସକୁ ପ୍ରଥମ ଦେଶ କରିବା ଲାଗି ସାମାଜିକ କର୍ମୀମାନେ ଦାବି କରିଥିଲେ। କିନ୍ତୁ ଏହି ପଦକ୍ଷେପ ସମାଲୋଚନାରୁ ମୁକ୍ତ ନୁହେଁ। କଠୋର ଦକ୍ଷିଣପନ୍ଥୀ ନେତା ମେରିନ୍ ଲି ପେନ୍ କହିଛନ୍ତି ଯେ ଦେଶରେ ଗର୍ଭପାତ ଅଧିକାରକୁ ବ୍ୟାପକ ସମର୍ଥନ ମିଳିଥିବାରୁ ମାକ୍ରନ୍ ଏହାକୁ ରାଜନୈତିକ ପଏଣ୍ଟ ସ୍କୋର କରିବା ପାଇଁ ବ୍ୟବହାର କରୁଛନ୍ତି।