ପ୍ରୟାଗରାଜ: ଦୁନିଆର ସବୁଠୁ ବଡ ଧାର୍ମିକ ଉତ୍ସବ ମହାକୁମ୍ଭ ମେଳା ପ୍ରୟାଗରାଜରେ ଆୟୋଜନ ହୋଇସାରିଛି । ବିଶ୍ୱର କୋଣ ଅନୁକୋଣରୁ ଆସ୍ଥାର ବୁଡ ପକାଇବା ପାଇଁ ଅନେକ ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି । ନାଗାସାଧୁ , ଅଘୋରୀ , ମହିଳା ସାଧ୍ବୀ ଏବଂ ସମ୍ମାନିତ ଧାର୍ମିକ ନେତୃତ୍ବଙ୍କୁ ଭେଟିବାର ଏକ ବିଶାଳ ମଞ୍ଚ ହେଉଛି ଏହି ମହାକୁମ୍ଭମେଳା । ଚଳିତବର୍ଷ ମହାକୁମ୍ଭକୁ ଏମିତି ଅନେକ ବିଚିତ୍ର ବାବାଙ୍କ ଆଗମନ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ସେହିଭଳି ହିଁ ଜଣେ ବାବା ହେଉଛନ୍ତି ‘ଆଇଆଇଟିଆନ୍ ବାବା’ । ଯାହାଙ୍କୁ ଲୋକ ଇଞ୍ଜିନିୟର୍ ବାବା ବୋଲି ମଧ୍ୟ ଡାକନ୍ତି । ବାବାଙ୍କ କହିବା ମୁତାବକ , ସେ ଆଇଆଇଟି ମୁମ୍ବାଇରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ପାଠ ପଢିଛନ୍ତି ଏବଂ ବିଜ୍ଞାନର ରାସ୍ତା ଛାଡ଼ି ଆଧ୍ୟାତ୍ମର ମାର୍ଗରେ ଚାଲୁଛନ୍ତି । ଆଧ୍ୟାତ୍ମ ମାର୍ଗ ତାଙ୍କୁ ମାନସିକ ଶାନ୍ତି ଦେଉଥିବା କଥା କୁହନ୍ତି ବାବା । ଏହି ଇଞ୍ଜିନିୟର୍ ବାବାଙ୍କ ପ୍ରକୃତ ନାଁ ଅଭୟ ସିଂ, ଘର ହରିୟାଣାରେ । ବାବା କୁହନ୍ତି , ଆଇଆଇଟି ବମ୍ବେରୁ ଏରୋସ୍ପେସ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ ହେବା ପରେ ସେ କ୍ୟାମ୍ପସ୍ ଇଣ୍ଟରଭ୍ୟୁରେ ସିଲେକ୍ସନ୍ ହୋଇ ଲକ୍ଷାଧିକ ଟଙ୍କାର ପ୍ୟାକେଜରେ ଚାକିରି ପାଇଁ ମନୋନିତ ହୋଇଥିଲେ । କିଛି ଦିନ ପାଇଁ ଚାକିରି ମଧ୍ୟ କରିଥିଲେ । କିନ୍ତୁ ନିଶା କିଛି ଅଲଗା ଥିଲା । ପିଲାବେଳୁ ଫଟୋଗ୍ରାଫି ପ୍ରତି ରୁଚି ରଖୁଥିବା ଅଭୟଙ୍କୁ ଟ୍ରାଭେଲ୍ ଫଟୋଗ୍ରାଫି ଖୁବ୍ ଭଲ ଲାଗୁଥିଲା । ସେ ଫଟୋଗ୍ରାଫି ସମ୍ବନ୍ଧୀୟ କୋର୍ସ କରିବା ପାଇଁ ଇଞ୍ଜିନିୟରିଂ ଛାଡ଼ି କୋର୍ସ ଆରମ୍ଭ କଲେ । ଯେଉଁ ସମୟରେ ଜୀବନକୁ ନେଇ ତାଙ୍କର ଦର୍ଶନରେ ପରିବର୍ତ୍ତନ ଆସିଲା । ସେ ଫିଜିକ୍ସ କୋଚିଂ ଦେବାପାଇଁ ଏକ କୋଚିଂ ସେଣ୍ଟର ବି ଖୋଲିଥିଲେ କିନ୍ତୁ ତାଙ୍କ ମନ ଆଧ୍ୟାତ୍ମ ଆଡ଼କୁ ଢଳିସାରିଥିଲା । ଇଞ୍ଜିନିୟର ବାବା ନିଜ ଜୀବନକୁ ଭଗବାନ ଶିବଙ୍କ ପ୍ରତି ସମର୍ପିତ କରିଛନ୍ତି । ସେ କୁହନ୍ତି , ଏବେ ଆଧ୍ୟାତ୍ମ ମାର୍ଗରେ ମତେ ମଜା ଆସୁଛି । ବିଜ୍ଞାନ ଜରିଆରେ ମୁଁ ଆଧ୍ୟାତ୍ମକୁ ବୁଝିବାକୁ ଏବଂ ଗଭୀରତାକୁ ଯିବାକୁ ଚେଷ୍ଟା କରୁଛି । ମୋ ପାଇଁ ସବୁକିଛି ଶିବ, ସତ୍ୟ ହିଁ ଶିବ, ଶିବ ହିଁ ସୁନ୍ଦର । ହସି ହସି କଥା କହୁଥିବା ଏହି ଇଞ୍ଜିନିୟର ବାବା କୁହନ୍ତି , ମୁଁ ବର୍ତ୍ତମାନ ମୋର ବେଷ୍ଟ୍ ଷ୍ଟେଜ୍ ରେ ଅଛି । ଯଦି ଆପଣ ଜ୍ଞାନ ପଛରେ ଦୌଡୁଛନ୍ତି ତାହେଲେ ଶେଷରେ ଆଧ୍ୟାତ୍ମ ମାର୍ଗରେ ହିଁ ପହଞ୍ଚିବେ । ମହାକୁମ୍ଭରେ ଆସି ସଙ୍ଗମରେ ବୁଡ଼ ପକାଇ ମନକୁ ଅପାର ଶାନ୍ତି ମିଳୁଛି । ବାବାଙ୍କ ଇନଷ୍ଟାଗ୍ରାମ୍ ପେଜ୍ ମଧ୍ୟ ଅଛି ଯେଉଁଥିରେ ୪,୩୪୨ ଫଲୋଅର୍ସ ରହିଛନ୍ତି । ବାବା ନିଜର ଶକ୍ତି ବଢାଇବା ପାଇଁ ନଖ ଏବଂ ଚୁଟି ବଢାଇଥିବା କଥା ମଧ୍ୟ କୁହନ୍ତି । କପାଳରେ ବିଭୂତି, ଗଳାରେ ଋଦ୍ରାକ୍ଷ ପକାଇ ବାବା ହସି ହସି ଯେତେବେଳେ ଅନର୍ଗଳ ଇଂରାଜୀରେ କଥା କୁହନ୍ତି ଲୋକ ତାଙ୍କ ଜ୍ଞାନର ଭଣ୍ଡାର ଦେଖି ଅବାକ୍ ହୋଇ ଚାହିଁରୁହନ୍ତି ।