ବଲାଙ୍ଗୀର: ଜିଲ୍ଲାରେ ଚାଞ୍ଚଲ୍ୟ, ପରିବା ବିକଳୀଙ୍କ ପୁଅକୁ ନିର୍ମମ ହତ୍ୟା । ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହତ୍ୟା କଲେ ତିନି ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗାର ଜିଲ୍ଲାର ଘାଟ କାଇନ୍ତରା ଗ୍ରାମରେ । ମୃତ ଯୁବକ ହେଉଛନ୍ତି କାହ୍ନା ପ୍ରଧାନ । ସୂଚନା ଅନୁଯାୟୀ, ଶନିବାର ବଲାଙ୍ଗୀର ସୋନପୁର ସୀମାବର୍ତ୍ତୀ ଖାର ତରଭା ଗ୍ରାମର ମହିଳା କ୍ଷେତ୍ର ପ୍ରଧାନ କାଇନ୍ତରା ଗ୍ରାମରେ ପରିବା ବିକ୍ରି କରୁଥିଲେ। ସନ୍ଧ୍ୟା ସମୟରେପୁଅ କାହ୍ନା ତାଙ୍କ ନିକଟକୁ ଛତୁ ଧରିଆସିଥିଲେ । ଏହା ପରେ ସେ ଘରକୁ ଫେରିବା ସମୟରେ ବାଟରେ ତିନି ଜଣ ଯୁବକ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ।
ଆକ୍ରମଣରେ କାହ୍ନା ଗୁରୁତର ଆହତ ହୋଇଥିବା ବେଳେ କ୍ଷେତ୍ର ପ୍ରଧାନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା।ତେବେ ବୁର୍ଲା ଡାକ୍ତରଖାନା ନେବା ବାଟରେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଥିଲା। କାହ୍ନା ପ୍ରଧାନଙ୍କୁ ସେହି ଗ୍ରାମର ଅଙ୍ଗଦ, ହରି ନାରାୟଣ ଓ ତାର ପୁଅ ମିଳିତ ଭାବରେ ଆକ୍ରମଣ କରି ତାଙ୍କ ପୁଅକୁ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି କ୍ଷେତ୍ର ପ୍ରଧାନ। ତେବେ କେଉଁ କାରଣକୁ କେନ୍ଦ୍ର କରି କାହ୍ନାକୁ ହତ୍ୟା କରାଯାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।