ଝାରସୁଗୁଡ଼ା: ଜିଲ୍ଲାର ଲଇକେରା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଯୁବକଙ୍କୁ ଗାଁ ମଝିରେ ପିଟିପିଟି ହତ୍ୟା । ଗୋଟିଏ ପରିବାରର ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସମସ୍ତ ୬ ଜଣକୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାରଙ୍ଗଲୋଇ ପଞ୍ଚାୟତ ପତ୍ରାପାଲି ଗାଁରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗାଁ ମଝିରେ ଯୁବକଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ବିପିନ ଭୋଇ ବୋଲି ଜଣାପଡିଛି । ତେବେ ସେହି ଗ୍ରାମର ଗୋଟିଏ ପରିବାରର ୬ ଜଣ ସଦସ୍ୟ ମିଶି ବାଡ଼ିରେ ପିଟି ପିଟି ତାଙ୍କୁ ହତ୍ୟା କରିଥିବା ନେଇ ମୃତ ବିପିନଙ୍କ ପତ୍ନୀ ସୋନାଲି ଭୋଇ ଲଇକେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଲଇକେରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ ହୋଇଛି ।