ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏମ୍ଜି ରୋଡ୍ରେ ଏକ ଚଳନ୍ତା ବସ୍ରେ ନିଆଁଲାଗିଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ବସ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବସ୍ରେ ଥିବା ସମସ୍ତ ୩୦ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇପାରିଥିଲା । ସମସ୍ତ ଯାତ୍ରୀଙ୍କ ସହ ବସ୍ ଚାଳକ ମଧ୍ୟ ଏବେ ସୁରକ୍ଷିତ ଅଛନ୍ତି । ବେଙ୍ଗାଲୁରୁ ମହାନଗର ପରିବହନ ନିଗମ ସୂତ୍ର ଅନୁସାରେ, ଆଜି ଏକ ସରକାରୀ ବସ୍ ସକାଳେ ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗି ଯାଇଥିଲା । ଏକ ଷ୍ଟପେଜ୍ ଛାଡିବା ସମୟରେ ବସ୍ ଚାଳକ ଯେତେବେଳେ ଇଞ୍ଜିନ ଷ୍ଟାର୍ଟ କରିଥିଲେ ହଠାତ୍ ବସ୍ରେ ନିଆଁ ଲାଗି ଯାଇଥିଲା । ତେବେ ଡ୍ରାଇଭର୍ ଜଣକ ତୁରନ୍ତୁ ଡେଇଁ ପଡ଼ି ସଙ୍ଗେ ସଙ୍ଗେ ବସ୍କୁ ଖାଲି କରିଦେଇଥିଲେ । ଫଳରେ ଯାତ୍ରୀମାନଙ୍କ ଜୀବନ ରକ୍ଷା ପାଇଯାଇଛି । ଇଞ୍ଜିନ୍ ଅତ୍ୟଧିକ ଉତ୍ତପ୍ତ ହୋଇଯିବା କାରଣରୁ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ପ୍ରକୃତରେ କେଉଁ କାରଣରୁ ନିଆଁ ଲାଗିଲା ସେନେଇ ବିଏମ୍ଟିସିର ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରୁଛନ୍ତି । ତେବେ ଏପ୍ରକାର ଘଟଣା ଯେପରି ଆଗକୁ କିପରି ଏହା ପୁନରାବୃତ୍ତି ନ ହୁଏ ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ଟିସି ପ୍ରତିଶ୍ରୁତି ଦେଇଛି । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି ।