ଢ଼ାକା: ବାଂଲାଦେଶରେ ଉତ୍ସବ ମଣ୍ଡଳ ନାମକ ଜଣେ ହିନ୍ଦୁ ନାବାଳକକୁ ଜେଲ୍ ଭିତରେ ପଶି ପିଟିପିଟି ହତ୍ୟା କରାଯାଇଛି । ବାଂଲାଦେଶରେ ଏବେ ହିନ୍ଦୁମାନଙ୍କ ପ୍ରତି ଚାଲିଥିବା ଅତ୍ୟାଚାରର ଏପ୍ରକାର ଏକ ଜଘନ୍ୟ ଉଦାହରଣ ଏବେ ସାମ୍ନାକୁ ଆସିଛି । ନାବାଳକକୁ ହତ୍ୟା କରିଥିବା ବ୍ୟକ୍ତିବିଶେଷ ମୁସଲିମ୍ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି । ବାଂଲାଦେଶ ସଂଖ୍ୟାଲଘୁଙ୍କ ପାଇଁ ରହିଥିବା ମାନବାଧିକାର କଂଗ୍ରେସ (ଏଚ୍ଆର୍ସିବିଏମ୍) ପକ୍ଷରୁ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ସଂଖ୍ୟାଲଘୁଙ୍କ ପ୍ରତି ଏପ୍ରକାର ଅତ୍ୟାଚାରକୁ ନିନ୍ଦା କରାଯାଇଛି । ପ୍ରକାଶ, ଉତ୍ସବ ମଣ୍ଡଳ ନାମକ ଏହି ନାବାଳକଜଣକ କଲେଜ୍ ଛାତ୍ର । ନିକଟରେ ପ୍ରଫେଟ ମହମ୍ମଦଙ୍କ ବିଷୟରେ ସେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ତାଙ୍କୁ ପୁଲିସ ଥାନାକୁ ନେଇଆସିଥିଲା । କିନ୍ତୁ ଏହି ଅଭିଯୋଗ ଉପରେ ସତ୍ୟାସତ୍ୟ ଯାଞ୍ଚ କରାଯାଇନଥିଲା । ଅନ୍ୟପକ୍ଷେ ଉତ୍ତ୍ୟକ୍ତ ମୁସଲମାନମାନେ ଥାନାରେ ପଶି ନାବାଳକଙ୍କୁ ପିଟି ପିଟି ଲହୁଲୁହାଣ କରିଥିଲେ । ପରେ ନାବାଳକର ମୃତ୍ୟୁ ଘଟିଥିଲା । ପୁଲିସ୍ ଉପସ୍ଥିତିରେ ଏସବୁ ଘଟିଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ । ସେହିପରି କ୍ରକ୍ସ ବଜାର ଅଞ୍ଚଳରେ ସୁକାନ୍ତ ଦେ(୧୫) ନାମକ ଅନ୍ୟ ଜଣେ ହିନ୍ଦୁ ନାବାଳକକୁ ମଧ୍ୟ ଉତ୍ତ୍ୟକ୍ତ ମୁସଲମାନମାନେ ପିଟି ପିଟି ହତ୍ୟା କରିଛନ୍ତି ।