ପୁରୀ: ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ପରେ ୟୁଟ୍ୟୁବ୍ରେ ଭାଇରାଲ ହୋଇଛି । ଡ୍ରୋନ୍ ସହାୟତାରେ ଶ୍ରୀମନ୍ଦିର ଓ ପାଶ୍ୱର୍ମନ୍ଦିରଗୁଡ଼ିକର ଚିତ୍ର ଉତ୍ତୋଳନ କରାଯାଇଛି । ନୀଳଚକ୍ରରେ ବାନା ବାନ୍ଧିବା ଦୃଶ୍ୟ, ନାଟମଣ୍ଡପ ଓ ଅନ୍ୟ ମନ୍ଦିରର ସ୍ପଷ୍ଟ ଚିତ୍ର ଭାଇରାଲ୍ କରାଯାଇଛି । ପଶ୍ଚିମ ବଙ୍ଗର ଜଣେ ୟୁଟ୍ୟୁବର ନିଜ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରି ଭାଇରାଲ୍ କରିଛନ୍ତି । ୟୁନିଫାଏଡ୍ ନାମକ ଏକ ଚ୍ୟାନେଲ ୟୁଟ୍ୟୁବରେ ଏହି ଭିଡିଓ ଅପଲୋଡ ହୋଇଛି । ସଂପୃକ୍ତ ୟୁଟ୍ୟୁବର ଶ୍ରୀମନ୍ଦିର ସମ୍ମୁଖରେ ଥିବା ଜଣେ ପୁଲିସ କର୍ମଚାରୀଙ୍କଠାରୁ ଅନୁମତି ନେଇ ଡ୍ରୋନ୍ ଉଡ଼ାଇଥିଲେ ବୋଲି କହିଛନ୍ତି । ତେବେ ସେହି ପୁଲିସ କର୍ମଚାରୀ କିଏ ଓ ସେ କେଉଁ ଅଧିକାରରେ ଡ୍ରୋନ୍ ଉଡ଼ାଇବାକୁ ଅନୁମତି ଦେଲେ ତାହା ଜଣାପଡ଼ି ନାହିଁ । ୟୁଟ୍ୟୁବର ଶ୍ରୀମନ୍ଦିରର ଆକାଶମାଗ୍ରର ଚିତ୍ରକୁ ନେଇ ବିକ୍ରି କରୁଛନ୍ତି । ଏଥିସହ ଭିଡିଓର ପ୍ରତି ଆଙ୍ଗେଲ୍ ପିଛା ୨୦ ହଜାର ଟଙ୍କା ସମ୍ପୃକ୍ତ ୟୁଟ୍ୟୁବର ଦାବି କରୁଥିବା ନେଇ ସୋସିଆଲ ମିଡିଆରେ କୁହାଯାଇଛି । ତେବେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ମାଳ ମାଳ ପୁଲିସ୍ ଅଧିକାରୀ ଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ନ ଦେବା ଯୋଗୁଁ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଅଞ୍ଚଳ ନୋ ଫ୍ଲାଇଂ ଜୋନ୍ ହୋଇଥିବା ବେଳେ କିଭଳି ଡ୍ରୋନ୍ କ୍ୟାମେରାରେ ଫଟୋ ଉଠିଲା ତାହା ଚିନ୍ତାର ବିଷୟ ପାଲିଟିଛି । ଏନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି. ଏସ. ଚନ୍ଦ୍ରଶେଖର ରାଓ ସୂଚନା କହିଛନ୍ତି ଯେ ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏଏସଆଇ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥିବା ଶ୍ରୀମନ୍ଦିରର କୌଣସି ଫଟୋ କିମ୍ବା ଭିଡିଓଗ୍ରାଫି ହୋଇପାରିବ ନାହିଁ । ଭବିଷ୍ୟତରେ ଘଟଣାର ପୁନରାବୃତ୍ତି ନହେବା ପାଇଁ ନିଆଯିବ ପଦକ୍ଷେପ । ଏଥିସହ ଆଇନ୍ ଅନୁଯାୟୀ ସଂପୃକ୍ତ ୟୁଟ୍ୟୁବର ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ତାର ତର୍ଜମା ମଧ୍ୟ ଚାଲିଛି ।