ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଅବସରରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ଅର୍ପଣ କରିଥିବା ଅର୍ଥ ୩୦ଟି ଯାକ ଜିଲ୍ଲାରୁ ବିଭିନ୍ନ କାର୍ଯ୍ୟାଳୟ ଯଥା- ଜିଲ୍ଲାପରିଷଦ, ଜିଲ୍ଲାପାଳ, ପଞ୍ଚାୟତ ସମିତି, ପୌର ସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ତରଫରୁ ଗତ ଜାନୁଆରୀ ୨୨ ତାରିଖରୁ ଫେବୃଆରୀ ୭ ତାରିଖ ସୁଦ୍ଧା ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ଦକ୍ଷିଣା ମିଳିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ବହୁ ପରିମାଣରେ ଅରୁଆ ଚାଉଳ, ଗୁଆ ଓ ନଡ଼ିଆ ମଧ୍ୟ ମିଳିଛି।
ମହାପ୍ରଭୁଙ୍କ ଅର୍ପଣ ରଥ ଗତ ଜାନୁଆରି ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବୁଲିଥିଲା। ଜାନୁଆରି ୨୨ରୁ ଫେବ୍ରୁଆରି ୭ ଯାଏଁ ଅର୍ପଣ ରଥରୁ ମିଳିଥିବା ଚାଉଳ, ନଡ଼ିଆ, ଗୁଆ ଓ ଟଙ୍କା ପୁରୀକୁ ପହଞ୍ଚି ଥିଲା। ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥରେ ସଂଗୃହୀତ ଅରୁଆ ଚାଉଳରେ ପ୍ରସ୍ତୁତ ଭୋଗକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଛି। ତଥା ସକାଳ ଧୂପରେ ଖେଚୁଡ଼ି ଭୋଗ ଲାଗି କରାଯିବା ସହ ଅନ୍ୟ ଧୂପରେ କାନିକା ଭୋଗ ପରେ ଭକ୍ତଙ୍କ ମଧ୍ୟରେ ଏହାକୁ ବଣ୍ଟନ କରାଯାଇଛି।