19.1 C
Bhubaneswar
Sunday, November 24, 2024
Homeବ୍ରେକୀଙ୍ଗବାଟ ଓଗାଳୁଛି ରାସ୍ତା, ଟଙ୍କିକିଆ ଚାଉଳ ପାଇଁ ଦିନଟିଏ 

ବାଟ ଓଗାଳୁଛି ରାସ୍ତା, ଟଙ୍କିକିଆ ଚାଉଳ ପାଇଁ ଦିନଟିଏ 

ଦାରିଙ୍ଗବାଡ : ଆଦିବାସୀ ଅଧ୍ୟୁଷିତ  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବହୁ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ । ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀ ବହୁ ଯୋଜନାର ସୁଫଳ ପାଇପାରୁନାହାନ୍ତି । ବ୍ଲକର ଗୁମିକିଆ ପଞ୍ଚାୟତର ଗୁଡୁଡ଼ି ଗ୍ରାମବାସୀ ରାସ୍ତା ସମସ୍ୟା ଯୋଗୁ ଟଙ୍କିଆ ଚାଉଳ ପାଇଁ ଦିନଟିଏ ଲାଗୁଛି । ରାସ୍ତା ବାଟ ଓଗାଳୁଥିବାରୁ ଲୋକେ ନାକେଦମ ହୋଇପଡିଥିବା ଏହାକୁ ସୂଚିତ କରୁଛି ।
ଉକ୍ତ ଗ୍ରାମରେ ପ୍ରାୟ ୧୦୦ ଲୋକେ ବସବାସ କରୁଛନ୍ତିି । କିନ୍ତୁ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ହୋଇପାରି ନାହିଁ । ଫଳରେ ଜଙ୍ଗଲ ଭିତରେ ବାସ କରୁଥିବା ଲୋକେ ପାହାଡ଼ ମଧ୍ୟ ଦେଇ ପଥୁରିଆ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି । ଗ୍ରାମବାସୀ ମୁଖ୍ୟତଃ ସରକାରଙ୍କ ତରଫରୁ   ଟଙ୍କିକିଆ ଚାଉଳ ନେବା ପାଇଁ ଗୁମିକିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡୁଛି । ଗୁମିକିଆ ପଂଚାୟତ କାର୍ଯ୍ୟଳୟ ଠାରୁ ଅଲିମାହା, ଗୁଡୁଡି, ତେମ୍ବୁଲି ଗ୍ରାମର ଦୂରତା ୭ କି.ମି ହୋଇଥିବା ବେଳେ ପଂଚାୟତ କାର୍ଯ୍ୟାଳୟ ଠାରୁ ଅଲିମାହା ଗ୍ରାମ ପର୍ଯ୍ୟନ୍ତ ୩ କି.ମି ରାସ୍ତା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହୋଇଛି । ଅଲିମାହାଠାରୁ ତେମ୍ବୁଲି ଯାଏଁ ଯେନତେନ ପ୍ରକାରେ ସେହି ରାସ୍ତାରେ ଯିବା ଆସିବା ହେଉଛି । ହେଲେ  ଗୁଡୁଡ଼ି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ  କରାଯାଇନାହିଁ । ତେଣୁ ଚାଉଳ ମିଳିବା ସମୟରେ ରାସ୍ତା ବାଟ ଓଗାଳୁଛି । ଗାଁର ବୃଦ୍ଧାବୃଦ୍ଧମାନେ ସକାଳୁ ବାହାରନ୍ତି । ଚାଉଳ ପାଇବା ପରେ ଅଲିମାହାର ସିନ୍ଦିଢ଼ଙ୍ଗା ଛକ ପର୍ଯ୍ୟନ୍ତ ସାଇକେଲରେ ଆଣି ସେଠାରେ ମିଳିଥିବା ଚାଉଳକୁ ଦୁଇ ଭାଗ କରିଥା’ନ୍ତି । ଛକ ନିକଟରେ ଥିବା ଏକ ଛୋଟ ଦୋକାନରେ ଗୋଟିଏ ବ୍ୟାଗକୁ ରଖି ଗୋଟିଏକୁ ମୁଣ୍ଡରେ ବୋହି ଗାଁ’କୁ ନେଇଥା’ନ୍ତି । ଏହାପରେ ପୁଣି ଥରେ ଘାଟି ପାହାଡ଼ ଚଢ଼ି ଦୋକାନରେ ରଖିଥିବା ଚାଉଳ ଆଣିବା ପାଇଁ ଆସିଥାନ୍ତି । ଏହିପରି ଭାବରେ ଗ୍ରାମବାସୀ ଟଙ୍କିକିଆ ଚାଉଳ ପାଇ ଘରକୁ ଆଣିବା  ପାଇଁ ଗୋଟିଏ ଦିନ ଲାଗିଥାଏ । ତେଣୁ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଅଲିମାହା ପର୍ଯ୍ୟନ୍ତ ହୋଇଥିବା ରାସ୍ତାଟିକୁ ସଂପ୍ରସାରଣ କରି ଗୁଡୁଡ଼ି ଗ୍ରାମକୁ ସଂଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking