ଭୁବନେଶ୍ୱର : ଶୈବପୀଠରେ ଜମୁଛି କାଉଡ଼ିଆଙ୍କ ଭିଡ । ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ । ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ କାଉଡ଼ିଆଙ୍କ ଲମ୍ବା ଧାଡ଼ି । ଭୁବନେଶ୍ୱରର ଆରାଧ୍ୟ ଲିଙ୍ଗରାଜ, ପୁରୀର ମହାପ୍ରଭୁ ଲୋକନାଥ, ଢେଙ୍କାନାଳର କପିଳାସ, କଟକର ଧବଳେଶ୍ବର ପୀଠ ଭଦ୍ରକ ଆରଡ଼ିର ଆଖଣ୍ଡଳମଣୀ ଓ ନୟାଗଡ଼ର ଲଡ଼ୁବାବାଙ୍କ ପୀଠ ଭଳି ପ୍ରମୁଖ ଶୈବପୀଠରେ ବଡ଼ି ଭୋରରୁ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ। ରାଜଧାନୀ ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିଛନ୍ତି । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ କୋଟି ମାନସିକ ପୂରଣ ହୁଏ ବୋଲି ପୌରାଣିକ ବିଶ୍ୱାସ ରହିଛି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡ଼ିକରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।