ଗୋପ: ଗୋପ ଥାନା ଅଧୀନ ସୋରଭା ପଞ୍ଚାୟତରେ ଜଣେ ୭୦ବର୍ଷ ବୟସ୍କା ଅସହାୟା ବୃଦ୍ଧାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରି ତାଙ୍କଠାରୁ ଲୁଟ୍ କରିଥିବା ଜଣାପଡ଼ିଛି । ଏ ନେଇ ନୟାହାଟ ଫାଣ୍ଡି ପୁଲିସ ବୁଧବାର ଏହି ପଞ୍ଚାୟତ ଅନ୍ତର୍ଗତ ପାଇକସାହି ଗ୍ରାମର ସୁରେନ୍ଦ୍ର ଲେଙ୍କାଙ୍କ ପୁତ୍ର ପିଣ୍ଟୁ ଲେଙ୍କା(୩୦) ଓରଫ୍ ପିଣ୍ଟାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ପାଇକସାହି ଗ୍ରାମରେ ବିଧବା ବୃଦ୍ଧା ସ୍ୱାଧୀନ ନାୟକ ରହୁଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ପିଣ୍ଟା ଏକ ନଡ଼ିଆଗଛ ସାହାଯ୍ୟରେ ଛାତ ଉପରକୁ ଚଢ଼ି ସିଡ଼ିପଟ ଦେଇ ଗୃହ ଭିତରେ ପ୍ରବେଶ କରିଥିଲା । ଘରେ ଥିବା ନଗଦ ଟଙ୍କା ଓ ସୁନା ଚୋରିକରି ନେଉଥିବାବେଳେ ନିଶାସକ୍ତ ଅବସ୍ଥାରେ ଘରେ ଥିବା ଏକାକୀ ବୃଦ୍ଧାଙ୍କୁ ଅମାନୁଷିକ ଭାବେ ଦୁଷ୍କର୍ମକରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ପରେ ବୃଦ୍ଧା ମହିଳା କଟକରେ ରହୁଥିବା ତାଙ୍କ ସଂପର୍କୀୟ ଓ ପରିବାରକୁ ଜଣାଇଥିଲେ ।
ପରିବାର ଲୋକ ପହଞ୍ଚିବା ପରେ ତାଙ୍କର ୩୦ହଜାର ଟଙ୍କା, ସୁନା ଓ ରୂପା ଚୋରି ହୋଇଥିବା ଓ ତାଙ୍କୁ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଗୋପ ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଗୋପ ପୁଲିସ୍ ଏକ ମାମଲା ରୁଜୁ କରିଥିବାବେଳେ ଯୁବକଙ୍କୁ ଗିରଫ ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ପରେ ଯୁବକ ଜଣଙ୍କ ଘରେ ଥିବା ଖବର ପାଇ ଗୋପ ଥାନାଧିକାରୀ ସୁନିଲ୍ ପ୍ରଧାନ, ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ସଦଳବଳେ ପହଞ୍ଚି ଅଭିଯୁକ୍ତ ଯୁବକ ପିଣ୍ଟାକୁ ଗିରଫ କରିଥିଲେ । ପଚରାଉଚୁରା ସମୟରେ ଅଭିଯୁକ୍ତ ପିଣ୍ଟା ଦୁଷ୍କର୍ମ କରିଥିବା ସ୍ୱୀକାର କରିଥିବାବେଳେ ତା’ ନିକଟରୁ କିଛି ଟଙ୍କା ଓ ସୁନା ଜବତ କରାଯାଇଥିବା ଜଣାପଡ଼ିଛି । ବୁଧବାର କୋର୍ଟଚାଲାଣ ପରେ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି ।