18.1 C
Bhubaneswar
Friday, November 22, 2024
Homeଓଡିଶାଖୁବ୍‌ଶୀଘ୍ର ଶିକ୍ଷକଙ୍କୁ ଦିଆଯିବ ୩ସୂତ୍ରୀ ପ୍ରଶିକ୍ଷଣ: ଆରମ୍ଭ ହେବ ସମାଧାନ, ସାଧନ ଏବଂ ସମୀକ୍ଷା

ଖୁବ୍‌ଶୀଘ୍ର ଶିକ୍ଷକଙ୍କୁ ଦିଆଯିବ ୩ସୂତ୍ରୀ ପ୍ରଶିକ୍ଷଣ: ଆରମ୍ଭ ହେବ ସମାଧାନ, ସାଧନ ଏବଂ ସମୀକ୍ଷା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ହାତକୁ ନେଇଚାଲିଛନ୍ତି । ଏହି କ୍ରମରେ ପ୍ରାଥମିକ ସ୍କୁଲଗୁଡିକ ଲାଗି ପୁଣି ଏକ ଅଭିନବ ନିଷ୍ପତ୍ତି ଲାଗୁ ହେବାକୁ ଯାଉଛି । ସ୍କୁଲର ସର୍ବାଙ୍ଗୀଣ ଉନ୍ନତି ଲାଗି ଏଣିକି ଶିକ୍ଷକଙ୍କୁ ସମାଧାନ, ସାଧନ ଏବଂ ସମୀକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହାଦ୍ୱାରା ପ୍ରାଥମିକ ସ୍କୁଲଗୁଡିକରେ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ ଶିକ୍ଷାର ମାନ ବୃଦ୍ଧି ହେବାନେଇ ସରକାର ଆଶା ରଖିଛନ୍ତି ।

ରାଜ୍ୟରେ କେବଳ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୬ହଜାର ୭୦ଟି ସ୍କୁଲ ଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ୨୨ହଜାର ୧୯ଟି ଉଚ୍ଚ ପ୍ରାଥମିକ ସ୍କୁଲ ରହିଛି । ସେହିପରି ୭ହଜାର ୧୯୦ଟି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଛି । ତେବେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଲାଗି ଶିକ୍ଷକଙ୍କ ସଂଖ୍ୟା ମୋଟ୍ ୧ଲକ୍ଷ ୯୭ହଜାର ୩୨୬ ରହଛି । ଏହି ଶିକ୍ଷକଙ୍କୁ ସରକାର ୩ଟି ସୂତ୍ରର ପ୍ରଶିକ୍ଷଣ ପ୍ରଦାନ କରିବେ । ଯେଉଁଥିରେ ସମାଧାନ, ସାଧନ ଏବଂ ସମୀକ୍ଷା ରହିଛି ।

ସ୍କୁଲର ବିଭିନ୍ନ ସମସ୍ୟା, ଛାତ୍ରଛାତ୍ରୀଙ୍କ ଶିକ୍ଷାକ୍ଷେତ୍ରରେ ଥିବା ସମସ୍ୟା ସାଙ୍ଗକୁ ସ୍କୁଲ୍‌ରେ ପାସହାର ବୃଦ୍ଧି ପାଇଁ ‘ସମାଧାନ’ ସୂତ୍ରର ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେହିପରି ଗୁଣାତ୍ମକ ଶିକ୍ଷାଦାନ, ପିଲାଙ୍କର ଯତ୍ନ ନେବା, ନିୟମିତ ଶିକ୍ଷାଦାନ ଲାଗି ‘ସାଧନ’ ଏବଂ ସ୍କୁଲର ଏସ୍‌ଏମ୍‌ସିର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ଲାଗି ‘ସମୀକ୍ଷା’ ସୂତ୍ରର ପ୍ରଶିକ୍ଷଣ ପ୍ରଦାନ କରାଯିବ । ୪ଟି ପର୍ଯ୍ୟାୟରେ ‘ସମାଧାନ, ସାଧନ ଏବଂ ସମୀକ୍ଷା’ ସୂତ୍ର ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ତେବେ ପ୍ରତ୍ୟେକ ପର୍ଯ୍ୟାୟରେ ୨୦ହଜାର ସ୍କୁଲର ଜଣେ ଲେଖାଏଁ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ । ଏନେଇ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶର ଏକ୍ସପର୍ଟ ମାନେ ପ୍ରଶିକ୍ଷଣ ପ୍ରଦାନ କରିବେ । ଫଳରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିବା ସହ ସ୍କୁଲଗୁଡିକର ଭିତ୍ତିଭୂମି ଏବଂ ପିଲାଙ୍କର ଦକ୍ଷତା ବିକାଶରେ ଏହି ପ୍ରଶିକ୍ଷଣ ବେଶ ସହାୟକ ହୋଇପାରିବ ।

ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟର ୩୦ଟି ଜିଲ୍ଲାରେ ୩୧୪ଟି ବିଆର୍‌ସି(ବ୍ଲକ୍ ରିସୋର୍ସ ସେଣ୍ଟର), ୨ଟି ୟୁଆର୍‌ସି(ଅର୍ବାନ୍ ରିସୋର୍ସ ସେଣ୍ଟର), ୪ ହଜାର ୮୦୬ଟି ସିଆର୍‌ସି(କ୍ଲଷ୍ଟର୍ ରିସୋର୍ସ ସେଣ୍ଟର) ରହିଛି । ରାଜ୍ୟରେ ଜିଲ୍ଲାୱାରୀ ସ୍କୁଲର ଉନ୍ନତି ଲାଗି ଉଭୟ ବ୍ଲକ୍ ରିସୋର୍ସ ସେଣ୍ଟର ଏବଂ କ୍ଲଷ୍ଟର ରିସୋର୍ସ ସେଣ୍ଟର ସ୍ତରରେ ୮୪ହଜାର ପ୍ରାଥମିକ ଶିକ୍ଷକଙ୍କୁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ବେଳେ ୮୬ହଜାର ୬୯୨ଜଣ ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କୁ ୨ୟ ସୋପାନ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସେହିପରି ୧୫୬୯ଜଣ ବରିଷ୍ଠ ଶିକ୍ଷକଙ୍କୁ ରିସୋର୍ସ ପର୍ସନ ପ୍ରଶିକ୍ଷଣ ପ୍ରଦାନ କରାଯିବ । ପ୍ରାଥମିକ ଶିକ୍ଷା ଲାଗି ୧୯୯୯ଜଣ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷା ପାଇଁ ୨୫୦୨ଶିକ୍ଷକଙ୍କୁ ମଧ୍ୟ ରିସୋର୍ସ ପର୍ସନର ପ୍ରଶିକ୍ଷଣ ଦିଆଯିବ ।

ଏହାବ୍ୟତୀତ ୧୫୦ଜଣ ରିସୋର୍ସ ପର୍ସନଙ୍କୁ ‘ସ୍କୁଲ ଲିଡର୍‌ସିପ୍ ପ୍ରୋଗ୍ରାମ’ପ୍ରଶିକ୍ଷଣ ପ୍ରଦାନ କରାଯିବ । ୪ହଜାର ୫୦୦ ପ୍ରଧାନଶିକ୍ଷକଙ୍କୁ ମଧ୍ୟ ‘ସ୍କୁଲ ଲିଡର୍‌ସିପ୍ ପ୍ରୋଗ୍ରାମ’ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣ ପ୍ରଦାନ ସମୟରେ ମନୋନୀତ ହୋଇଥିବା ଶିକ୍ଷକଙ୍କୁ ମଧ୍ୟ ‘ସମାଧାନ, ସାଧନ ଏବଂ ସମୀକ୍ଷା’ ସୂତ୍ର ସମ୍ପର୍କରେ ପ୍ରଶିକ୍ଷଣ ମିଳିବ । ଏନେଇ ପ୍ରତ୍ୟେକ ପ୍ରଶିକ୍ଷଣ ଲାଗି ୧୫ହଜାର ଟଙ୍କା ବ୍ୟୟ କରାଯିବ । ରାଜ୍ୟର ବିଭିନ୍ନ ସ୍କୁଲର ଶିକ୍ଷକଙ୍କୁ ୨୨ଦିନିଆ ପ୍ରଶିକ୍ଷଣ ଦେବା ପରେ ୨୦ମାର୍କର ସ୍ପେଶାଲ ଡ୍ରାଇଭ୍ ଟେଷ୍ଟ କରାଯିବ । ଯେଉଁ ଶିକ୍ଷକମାନେ ଟେଷ୍ଟରେ ସର୍ବନିମ୍ନ ୧୨.୫ମାର୍କ ରଖିବେ ସେମାନଙ୍କୁ କ୍ୱାଲିଫାଏ କରାଯିବ । ସମ୍ପୃକ୍ତ ଶିକ୍ଷକଙ୍କୁ ଟ୍ରେନର ଭାବେ ମନୋନୀତ କରାଯିବା ସହ ସେମାନଙ୍କ ଜିଲ୍ଲାରେ ଅନ୍ୟ ଶିକ୍ଷକଙ୍କୁ କ୍ୱାଲିଫାଏ କରିଥିବା ଶିକ୍ଷକମାନେ ପ୍ରଶିକ୍ଷଣ ପ୍ରଦାନ କରିବେ ।

ଏ ସମ୍ପର୍କରେ ଜଣେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ‘ସମାଧାନ, ସାଧନ ଏବଂ ସମୀକ୍ଷା’ ସୂତ୍ରର ପ୍ରଶିକ୍ଷଣ ପ୍ରଦାନ କରିବାକୁ ଯୋଜନା ରହିଛି । ଏହା ସ୍କୁଲର ବିକାଶଧାରାରେ ବେଶ ସହାୟକ ହେବ । ବିଶେଷକରି ଅନେକ ସମୟରେ ଶିକ୍ଷାଦାନ ବ୍ୟବସ୍ଥାକୁ ବାଦ୍‌ଦେଲେ ସ୍କୁଲର ଅନେକ ସମସ୍ୟା ରହିଛି । ସମ୍ପୃକ୍ତ ସମସ୍ୟାର ସମାଧାନ ଲାଗି ସ୍କୁଲ ମ୍ୟାନେଜମେଣ୍ଟ କମିଟି ସଦସ୍ୟଙ୍କ ଉପରେ ନିର୍ଭର କରିବାକୁ ହୋଇଥାଏ । ଏପରିକି କିଛି ସମସ୍ୟାର ସମାଧାନ ସମୟରେ ଅନେକ ବିଶୃଙ୍ଖଳା ମଧ୍ୟ ସୃଷ୍ଟି ହୋଇଥାଏ । ବିଶେଷକରି କୌଣସି ସ୍କୁଲର ବିଲ୍ଡିଂ ନିର୍ମାଣ, ପୋଷାକ ବଣ୍ଟନ, ମଧ୍ୟାହ୍ନ ଭୋଜନ ଭଳି ଯେଉଁ ଯୋଜନାରେ ଟଙ୍କା ଖର୍ଚ୍ଚ ହୋଇଥାଏ ସେହି ସମୟରେ କିଛି ଆଭ୍ୟନ୍ତରୀଣ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ସମାଧାନ, ସାଧନ ଏବଂ ସମୀକ୍ଷା ଭଳି ପ୍ରଶିକ୍ଷଣ ବେଶ୍ ସହାୟକ ହୋଇପାରିବ ।

ଏହି ପ୍ରଶିକ୍ଷଣ ଲାଗି ପ୍ରଥମ ପର୍ଯ୍ୟାୟରେ ୧୧ହଜାର ପ୍ରାଥମିକ, ୬ହଜାର ୩୫୦ ଉଚ୍ଚ ପ୍ରାଥମିକ ଏବଂ ଯେଉଁ ସ୍କୁଲରେ ଉଭୟ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ ରହିଛି ସେଥିରୁ ମୋଟ୍ ୨୨୯୦ ସ୍କୁଲ ଚୟନ କରାଯିବ । ଏହି ପ୍ରକ୍ରିୟା ଆସନ୍ତା ମେ’ରୁ ଆରମ୍ଭ ହେବାକୁ ବିଭାଗ ପକ୍ଷରୁ ଆକ୍ସନପ୍ଲାନ କରାଯାଇଥିବା ବେଳେ ପ୍ରାୟ ୧୯ହଜାର ୬୪୦ଜଣ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଯଦିଓ ଏହି ଯୋଜନା ୨୦୨୦ ନଭେମ୍ବରରୁ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଥିଲା ତେବେ କରୋନା ଲାଗି ଏହା କାର୍ଯ୍ୟକାରୀ ହୋଇପାରିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking