ଭୁବନେଶ୍ୱର: ବାପାଙ୍କ ଜୁଇ ନଲିଭୁଣୁ ଚାଲିଗଲା ପୁଅର ଜୀବନ । ୨୪ ଘଣ୍ଟା ମଧ୍ୟରେ ବାପା-ପୁଅଙ୍କ ମୃତ୍ୟୁରେ ସ୍ତବ୍ଧ ପରିବାର, ସ୍ତବ୍ଧ ପୂରା ଗାଁ । ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ବରନାଳୀ ଗାଁରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା ।ଘରର ମୁରବିଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲା ପରିବାର । ହେଲେ ସେହି ଦୁଃଖରୁ ମୁକୁଳିବା ପୂର୍ବରୁ ଆଉ ଏକ ଅଘଟଣ । ବାପାଙ୍କ ଜୁଇ ନଲିଭୁଣୁ ଚାଲିଗଲା ୧୫ ବର୍ଷର ପୁଅର ଜୀବନ । ଅନୁଗୁଳ ଜିଲ୍ଲା ବରନାଳୀ ଗାଁର ନରହରି ସାହୁ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ବାପାଙ୍କ ମୃତଦେହ ଗାଁକୁ ଅଣାଯିବା ପରେ ଶୋକାକୁଳ ପରିବେଶରେ ଶବ ସତ୍କାର କରାଯାଇଥିଲା । ଶବ ସତ୍କାର ପରେ ସମ୍ପର୍କୀୟଙ୍କ ସହ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ପୁଅ ଆଦିତ୍ୟ ସାହୁ । ହେଲେ ଗାଧୋଇବା ସମୟରେ ହଠାତ୍ ପାଣିରେ ବୁଡ଼ି ଯାଇଥିଲେ । ଆଦିତ୍ୟ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଛେଣ୍ଡିପଦା ଅଗ୍ନିଶମ ବିଭାଗ । ଦୀର୍ଘ ଚେଷ୍ଟା ପରେ ଆଦିତ୍ୟଙ୍କୁ ପାଣିରୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଦିତ୍ୟ ଦଶମ ଶ୍ରେଣୀର ଛାତ୍ର ଥିଲେ ।










