23.1 C
Bhubaneswar
Friday, November 27, 2026
Homeଓଡିଶାପୁଣି ଫେରିଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରାୟ ୫୨.୨୨୦ ଏକର ମୂଲ୍ୟବାନ ଜମି

ପୁଣି ଫେରିଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରାୟ ୫୨.୨୨୦ ଏକର ମୂଲ୍ୟବାନ ଜମି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ୧୯୨୭ ମସିହାର ସାବିକ ରାଜସ୍ୱ ରେକର୍ଡରେ ଥିବା ୫୨.୨୨୦ ଏକର ଜମି ୧୯୭୭ ମସିହାର ହାଲ୍ ରେକର୍ଡରେ ଦକ୍ଷିଣ ପାର୍ଶ୍ୱ ମଠର ଜନୈକ ବ୍ୟକ୍ତିଙ୍କ ନାମରେ ରେକର୍ଡଭୁକ୍ତ ହେବା ମାମଲା ପରିପ୍ରେକ୍ଷୀରେ ଦୀର୍ଘ ବର୍ଷ ଧରି ରାଜସ୍ୱ ରେକର୍ଡରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ବିବାଦରେ ରାଜସ୍ୱ ପର୍ଷଦ, ଓଡ଼ିଶାର ସଦସ୍ୟ ଶ୍ରୀ ସତ୍ୟବ୍ରତ ସାହୁଙ୍କ ନ୍ୟାୟିକ ହସ୍ତକ୍ଷେପ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡ ସଂଶୋଧନ ହୋଇଛି। ରାଜସ୍ୱ ପର୍ଷଦଙ୍କ ରାୟର ତ୍ୱରିତ ଅନୁପାଳନ କରି ପୁରୀ ତହସିଲଦାର ସମ୍ପୃକ୍ତ ଜମିର ରାଜସ୍ୱ ରେକର୍ଡ ମଧ୍ୟ ତୁରନ୍ତ ସଂଶୋଧନ କରିସାରିଛନ୍ତି। ଦେବସମ୍ପତ୍ତିର ସୁରକ୍ଷା ଓ ରାଜସ୍ୱ ରେକର୍ଡର ସଠିକତା ଦୃଷ୍ଟିରୁ ଏହି ନିଷ୍ପତ୍ତି ବେଶ୍ ଗୁରୁତ୍ୱ ବହନ କରୁଛି। ପୁରୀ ତହସିଲ ଅନ୍ତର୍ଗତ ଦାମୋଦରପୁର ଶାସନ ମୌଜାର ୫୨.୨୨୦ ଏକର ଜମିକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ହୋଇଥିବା ଏସ୍.ଆର୍.ପି. କେସ୍ ନଂ ୧୦୩/୨୦୨୩ରେ ବିସ୍ତୃତ ଶୁଣାଣି ଓ ତଥ୍ୟର ସମୀକ୍ଷା, ବିଭିନ୍ନ ରାଜସ୍ୱ ଦସ୍ତାବିଜର ଯାଞ୍ଚ ଏବଂ ଆଇନଗତ ତର୍ଜମା ପରେ ଏହି ରାୟ ପ୍ରକାଶ ପାଇଥିଲା। ଏହା କେବଳ ରାଜସ୍ୱ ରେକର୍ଡ ସଂଶୋଧନର ଏକ ମାମଲା ନୁହେଁ ; ବରଂ ମହାପ୍ରଭୁଙ୍କ ଦେବସମ୍ପତ୍ତିର ଐତିହାସିକ ଓ ଆଇନଗତ ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ନିଷ୍ପତ୍ତି।

ମାମଲାର ମୂଳ ପ୍ରସଙ୍ଗ ଥିଲା ୧୯୨୭ ମସିହାର ସାବିକ ସେଟଲମେଣ୍ଟ ରେକର୍ଡ ଓ ୧୯୭୭ ମସିହାର ହାଲ୍ ସେଟଲମେଣ୍ଟ ରେକର୍ଡ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ। ୧୯୨୭ ମସିହାର ସାବିକ ରେକର୍ଡରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ-ପୁରୀଙ୍କୁ ଜମିର ସର୍ବୋଚ୍ଚ ଜମିଦାର ଭାବେ ରେକର୍ଡ କରାଯାଇଥିବାବେଳେ ଦକ୍ଷିଣପାର୍ଶ୍ୱ ମଠର ଜନୈକ ବ୍ୟକ୍ତିଙ୍କ ନାମ ମଧ୍ୟ ସ୍ୱତ୍ତାଧିକାରୀ ଭାବେ ଉଲ୍ଲେଖ ଥିଲା। ସାବିକ ଖାତା ନଂ ୪୨୯ରେ ୧୧ଟି ପ୍ଲଟ୍ ଥିବାବେଳେ, ୧୯୭୭ ମସିହାର ହାଲ୍ ରେକର୍ଡରେ ଖାତା ନଂ ୪୧୯ରେ ୪୨ଟି ପ୍ଲଟ୍ ବିଶିଷ୍ଟ ମୋଟ ୫୨.୨୨୦ ଏକର ଜମି ଜନୈକ ବ୍ୟକ୍ତିଙ୍କ ନାମରେ ରେକର୍ଡ ହୋଇଥିଲା। ସାବିକ ରେକର୍ଡରେ ମହାପ୍ରଭୁଙ୍କ ସର୍ବୋଚ୍ଚ ଜମିଦାରୀ ସ୍ୱତ୍ତ୍ୱ ଓ ମହନ୍ତଙ୍କ ମଧ୍ୟ ସ୍ୱତ୍ତ୍ୱାଧିକାରକୁ ପୃଥକ୍ ଭାବେ ଦର୍ଶାଯାଇଥିବା ସତ୍ତ୍ୱେ ପରବର୍ତ୍ତୀ ରେକର୍ଡରେ ଏପରି ପରିବର୍ତ୍ତନ କିପରି ହେଲା, ତାହା ମାମଲାର ମୁଖ୍ୟ ବିବାଦ ଥିଲା।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ରେକର୍ଡ ପରିବର୍ତ୍ତନର ଆଇନଗତ ଆଧାରକୁ ଚ୍ୟାଲେଞ୍ଜ କରାଯାଇଥିଲା। ରାଜସ୍ୱ ରେକର୍ଡରେ ହୋଇଥିବା ପରିବର୍ତ୍ତନ ସାବିକ ଦସ୍ତାବିଜରେ ପ୍ରତିଫଳିତ ଅଧିକାର ଓ ସ୍ୱତ୍ତ୍ୱ ସହ ସମନ୍ୱୟ ରଖୁଛି କି ନାହିଁ, ଏବଂ ଏହା ପାଇଁ ଆବଶ୍ୟକ ଆଇନଗତ ଆଧାର ରହିଥିଲା କି ନାହିଁ, ସେସବୁ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ମାମଲାର ବିଚାର ସମୟରେ କେବଳ ରେକର୍ଡରେ ଥିବା ନାମକୁ ଆଧାର କରାଯାଇନଥିଲା ; ବରଂ ସାବିକ ଓ ହାଲ୍ ରେକର୍ଡ, ଖାତା ଓ ପ୍ଲଟ୍‌ର ମେଳକ, ମନ୍ତବ୍ୟ ସ୍ତମ୍ଭ, ଜମାବନ୍ଦୀ ରେଜିଷ୍ଟର ବା କଣ୍ଟିନ୍ୟୁଅସ୍ ଖତିଆନ ଏବଂ ଅନ୍ୟାନ୍ୟ ପ୍ରାମାଣିକ ରାଜସ୍ୱ ଦସ୍ତାବିଜକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯାଇଥିଲା। ୧୯୭୭ ମସିହାର ରେକର୍ଡର ମନ୍ତବ୍ୟ ସ୍ତମ୍ଭରେ ଇଷ୍ଟେଟ୍ ଉଚ୍ଛେଦ ପୂର୍ବରୁ ଜମି ଜମିଦାରଙ୍କ ଖାସ୍ ଦଖଲରେ ଥିବା ସମ୍ପର୍କରେ ଉଲ୍ଲେଖ ଥିବା ତଥ୍ୟକୁ ମଧ୍ୟ ବିଚାରକୁ ନିଆଯାଇଥିଲା। ଅନ୍ୟପକ୍ଷରେ, ଜମାବନ୍ଦୀ ରେଜିଷ୍ଟର ବା କଣ୍ଟିନ୍ୟୁଅସ୍ ଖତିଆନ ଦାଖଲ ହୋଇନଥିବା ପ୍ରସଙ୍ଗ ମଧ୍ୟ ତର୍ଜମାର ବିଷୟ ହୋଇଥିଲା। କେବଳ ଦଖଲ ସମ୍ପର୍କିତ ଉଲ୍ଲେଖ ମାତ୍ରରୁ ମାଲିକାନା ବା ଆଇନସମ୍ମତ ପ୍ରଜାସ୍ୱତ୍ତ୍ୱ ସୃଷ୍ଟି ହୋଇଯାଏ ନାହିଁ ବୋଲି ରାୟରେ ପ୍ରତିପାଦିତ ଆଇନଗତ ନୀତିକୁ ଗୁରୁତ୍ୱ ଦିଆଯାଇଥିଲା।ଏହି ମାମଲାରେ ପୁରୀ ତହସିଲଦାରଙ୍କ ପକ୍ଷରୁ ଦାଖଲ ହୋଇଥିବା କ୍ଷେତ୍ର ତଦନ୍ତ ରିପୋର୍ଟ ମଧ୍ୟ ବିଚାରର ଅଂଶ ହୋଇଥିଲା। ରାଜସ୍ୱ ନିରୀକ୍ଷକଙ୍କ ତଦନ୍ତ ଅନୁଯାୟୀ, ସମ୍ପୃକ୍ତ ୪୨ଟି ପ୍ଲଟ୍‌ର ମୋଟ କ୍ଷେତ୍ରଫଳ ୫୨.୨୨୦ ଏକର ଥିବା ଦର୍ଶାଯାଇଥିଲା। ନିରୀକ୍ଷଣ ସମୟରେ ଜମି ଖାଲି ପଡ଼ିଥିବା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିଲା। ଏହି କ୍ଷେତ୍ରସ୍ତରୀୟ ତଥ୍ୟକୁ ରାଜସ୍ୱ ରେକର୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ ସହ ମିଶାଇ ବିଚାର କରାଯାଇଥିଲା।

ମାମଲାରେ ଉଭୟ ପକ୍ଷଙ୍କୁ ନିଜ ନିଜର ଯୁକ୍ତି ଓ ଦସ୍ତାବିଜ ଉପସ୍ଥାପନ ପାଇଁ ଯଥେଷ୍ଟ ସୁଯୋଗ ଦିଆଯାଇଥିଲା। ଏହି ମାମଲା ୧୧ରୁ ଅଧିକ ଥର ଶୁଣାଣି ପାଇଁ ହୋଇଥିଲା। ପ୍ରତିପକ୍ଷଙ୍କୁ ନିଜର ଆପତ୍ତି, ଦାବି ଓ ଆଇନଗତ ଯୁକ୍ତି ରଖିବା ସହ ସମର୍ଥନରେ ଦସ୍ତାବିଜ ଦାଖଲ କରିବା ପାଇଁ ବାରମ୍ବାର ସୁଯୋଗ ପ୍ରଦାନ କରାଯାଇଥିଲା। ପ୍ରତିପକ୍ଷଙ୍କ ଓକିଲ ଅଦାଲତରେ ଉପସ୍ଥିତ ହୋଇ ମାମଲାର ଗ୍ରହଣୀୟତା, ଆବଶ୍ୟକ ପକ୍ଷଙ୍କୁ ଅନ୍ତର୍ଭୁକ୍ତ ନକରିବା ଏବଂ ପ୍ରଜାସ୍ୱତ୍ତ୍ୱ ସମ୍ପର୍କିତ ବିଭିନ୍ନ ଆପତ୍ତି ଉଠାଯାଇଥିଲା। ଏହି ସମସ୍ତ ଆପତ୍ତିକୁ ରାୟରେ ପୃଥକ୍ ଭାବେ ବିଶ୍ଳେଷଣ କରାଯାଇଥିଲା।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଶ୍ରୀ ଅମ୍ବିକା ମିଶ୍ର ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ସାବିକ ଓ ହାଲ୍ ରେକର୍ଡ ମଧ୍ୟରେ ଥିବା ଅସଙ୍ଗତି, ମହାପ୍ରଭୁଙ୍କ ସର୍ବୋଚ୍ଚ ଜମିଦାରୀ ସ୍ୱତ୍ତ୍ୱ, ମଧ୍ୟସ୍ୱତ୍ତ୍ୱାଧିକାରୀଙ୍କ ଆଇନଗତ ସ୍ଥିତି ଏବଂ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ସମ୍ପର୍କରେ ଦୃଢ଼ ଓ ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନ କରିଥିଲେ। ଐତିହାସିକ ରାଜସ୍ୱ ଦସ୍ତାବିଜ ଓ ପ୍ରାସଙ୍ଗିକ ଆଇନଗତ ବ୍ୟବସ୍ଥାକୁ ଆଧାର କରି ସେ ମନ୍ଦିର ପ୍ରଶାସନର ପକ୍ଷ ରଖିଥିଲେ। ସେହିପରି, ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରି ସମ୍ପୃକ୍ତ ରାଜସ୍ୱ କର୍ତ୍ତୃପକ୍ଷଙ୍କ ଆଇନଗତ ସ୍ଥିତି ଓ ପକ୍ଷ ସମର୍ଥନରେ ତଥ୍ୟଭିତ୍ତିକ ଯୁକ୍ତି ଉପସ୍ଥାପନ କରିଥିଲେ।

ବିଚାର ସମୟରେ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ଆକ୍ଟ, ୧୯୫୮ର ଧାରା ୧୩(୩) ଅନୁଯାୟୀ ଚୂଡ଼ାନ୍ତ ପ୍ରକାଶିତ ରେକର୍ଡ ଅଫ୍ ରାଇଟ୍ସର ଏଣ୍ଟ୍ରିର ସଠିକତା ସମ୍ପର୍କିତ ଖଣ୍ଡନଯୋଗ୍ୟ ଆଇନଗତ ଧାରଣା ଏବଂ ଧାରା ୧୫(ଖ) ଅନୁଯାୟୀ ରାଜସ୍ୱ ପର୍ଷଦର ପୁନର୍ବିଚାର କ୍ଷମତାକୁ ବିଶ୍ଳେଷଣ କରାଯାଇଥିଲା। ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ, ୧୯୫୧ର ଧାରା ୬୯ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ଧାରା ୨(୧)ର ପ୍ରାସଙ୍ଗିକତା ମଧ୍ୟ ବିଚାରକୁ ନିଆଯାଇଥିଲା। ଏଥିସହ ଓଡ଼ିଶା ହାଇକୋର୍ଟଙ୍କ ‘ବିକଳ ବାରିକ ବନାମ ସେଟଲମେଣ୍ଟ ଓ ଚକବନ୍ଦୀ କମିଶନର’ ଏବଂ ‘ଦୁର୍ଗାଚରଣ ରାଉଳ ବନାମ ଭାଗୀରଥି ରାଉଳ’ ମାମଲାରେ ପ୍ରତିପାଦିତ ଆଇନଗତ ନୀତିକୁ ଅନୁଧ୍ୟାନ କରାଯାଇଥିଲା। ଧାରା ୬୯ ଅନୁଯାୟୀ ନୋଟିସ୍ ସମ୍ପର୍କିତ ପ୍ରସଙ୍ଗରେ ‘କୁମାରୀ କଲ୍ୟାଣୀ ଗଜପତି ବନାମ ସର୍ବଜ୍ଞ ଜଗନ୍ନାଥ’ ମାମଲାର ରାୟକୁ ମଧ୍ୟ ବିଚାର କରାଯାଇଥିଲା।ବିଶେଷକରି, ୨୦୧୬ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବନାମ ସିଦ୍ଧ ମଠ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟରେ ଦେବୋତ୍ତର ସମ୍ପତ୍ତିର ସ୍ୱତନ୍ତ୍ର ଆଇନଗତ ସ୍ଥିତି ଏବଂ ପୂର୍ବରୁ ଆଇନସମ୍ମତ ଭାବେ ସ୍ଥିର ହୋଇଥିବା ଅଧିକାର ସମ୍ପର୍କରେ ପ୍ରତିପାଦିତ ନୀତିକୁ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତ ଆଇନଗତ ବ୍ୟବସ୍ଥା, ନ୍ୟାୟିକ ନଜିର ଓ ରାଜସ୍ୱ ଦସ୍ତାବିଜର ସମଗ୍ର ବିଶ୍ଳେଷଣ ପରେ ରାଜସ୍ୱ ପର୍ଷଦ ତାଙ୍କର ରାୟ ପ୍ରଦାନ କରିଥିଲେ।

ସମସ୍ତ ଦସ୍ତାବିଜ, ରାଜସ୍ୱ ଅଧିକାରୀଙ୍କ ରିପୋର୍ଟ, ଉଭୟ ପକ୍ଷଙ୍କ ଯୁକ୍ତି ଓ ପ୍ରାସଙ୍ଗିକ ଆଇନଗତ ପ୍ରସଙ୍ଗର ବିଚାର ପରେ ରାଜସ୍ୱ ପର୍ଷଦ ଏହି ରିଭିଜନ୍ ମାମଲାକୁ ମଞ୍ଜୁର କରିଥିଲେ। ୧୯୭୭ ମସିହାର ହାଲ୍ ରେକର୍ଡରେ ଦକ୍ଷିଣ ପାର୍ଶ୍ୱ ମଠର ଜନୈକ ବ୍ୟକ୍ତିଙ୍କ ନାମରେ ହୋଇଥିବା ତ୍ରୁଟିପୂର୍ଣ୍ଣ ଏଣ୍ଟ୍ରିକୁ ସମ୍ପୃକ୍ତ ଜମି ପର୍ଯ୍ୟନ୍ତ ରଦ୍ଦ କରାଯାଇ, ସାବିକ ଓ ହାଲ୍ ପ୍ଲଟ୍‌ର ସଠିକ୍ ମେଳକ ଏବଂ ପ୍ରାମାଣିକ ଦସ୍ତାବିଜ ଆଧାରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ-ପୁରୀଙ୍କ ନାମରେ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମାଧ୍ୟମରେ ରେକର୍ଡ ସଂଶୋଧନ କରିବାକୁ ନିର୍ଦ୍ଦେଶ ହୋଇଥିଲା।ରାଜସ୍ୱ ପର୍ଷଦଙ୍କ ଏହି ନିର୍ଦ୍ଦେଶର ତ୍ୱରିତ ଅନୁପାଳନ କରି ପୁରୀ ତହସିଲଦାର ସମ୍ପୃକ୍ତ ୫୨.୨୨୦ ଏକର ଜମିର ରାଜସ୍ୱ ରେକର୍ଡରେ ଆବଶ୍ୟକୀୟ ସଂଶୋଧନ କରିସାରିଛନ୍ତି। ଏହା ରାୟର ତ୍ୱରିତ ଓ କାର୍ଯ୍ୟକାରୀ ଅନୁପାଳନର ଏକ ଉଲ୍ଲେଖନୀୟ ଦିଗ। ଏହି ପ୍ରକ୍ରିୟାରେ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରିବାରେ ପୁରୀ ତହସିଲଦାର, ସେଟଲମେଣ୍ଟ ଅଫିସର, କଟକ, ଅତିରିକ୍ତ ଉପଜିଲ୍ଲାପାଳ, ପୁରୀ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସମ୍ପୃକ୍ତ ଅଧିକାରୀମାନଙ୍କ ଭୂମିକା ମଧ୍ୟ ଉଲ୍ଲେଖନୀୟ ରହିଥିଲା।

ଏହି ରାୟ ପରେ ମହାପ୍ରଭୁଙ୍କ ଦେବସମ୍ପତ୍ତିର ସୁରକ୍ଷାକୁ ନେଇ ବୁଦ୍ଧିଜୀବୀ ମହଲ ଆନନ୍ଦ ପ୍ରକାଶ କରିଛନ୍ତି। ୧୯୨୭ ମସିହାର ସାବିକ ରେକର୍ଡରେ ମହାପ୍ରଭୁଙ୍କ ନାମରେ ଥିବା ଜମି ପୁଣି ମହାପ୍ରଭୁଙ୍କ ନାମରେ ସଂଶୋଧିତ ହେବାକୁ ସମସ୍ତେ ସ୍ଵାଗତ କରିଛନ୍ତି। ଏହି ନିଷ୍ପତ୍ତିକୁ ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି। ଏଥିସହ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ମହାପ୍ରଭୁଙ୍କ ଅନ୍ୟାନ୍ୟ ଜମିର ସାବିକ ଓ ହାଲ୍ ରେକର୍ଡ ଯାଞ୍ଚ କରିବା, ଆବଶ୍ୟକ ସ୍ଥଳେ ଆଇନାନୁସାରେ ରେକର୍ଡ ସଂଶୋଧନ ପାଇଁ ପଦକ୍ଷେପ ନେବା ଏବଂ ରେକର୍ଡ ସଂଶୋଧନ ପରେ ଆଇନ ଅନୁଯାୟୀ ଜମିର ଦଖଲ ଓ ସୁରକ୍ଷା ସୁନିଶ୍ଚିତ କରିବା ନେଇ ନିରନ୍ତର ଉଦ୍ୟମ କରୁଥିବା ନେଇ ଜଗନ୍ନାଥପ୍ରେମୀ ସନ୍ତୋଷ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା କେବଳ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ଓଡ଼ିଶାର ଧାର୍ମିକ, ସାଂସ୍କୃତିକ ଓ ଐତିହ୍ୟଗତ ସମ୍ପଦର ସୁରକ୍ଷା ସହ ଜଡ଼ିତ ଏକ ସାମୂହିକ ଦାୟିତ୍ୱ ; ଏହା ପୁନଶ୍ଚ ପ୍ରତିଫଳିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking