25.1 C
Bhubaneswar
Saturday, November 21, 2026
Homeଓଡିଶା୨୩ରୁ ଓଡ଼ିଶାରେ ଆରମ୍ଭ ହେବ ଘରୋଇ ଯାତ୍ରା ସର୍ବେକ୍ଷଣ

୨୩ରୁ ଓଡ଼ିଶାରେ ଆରମ୍ଭ ହେବ ଘରୋଇ ଯାତ୍ରା ସର୍ବେକ୍ଷଣ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ “ଗତିଶୀଳ ଓଡିଶା” ଅଭିଯାନ ଅଧୀନରେ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଆର୍ଥିକ ଅଞ୍ଚଳ ( ବିକେପିପିଇଆର ) ପାଇଁ ସମନ୍ୱିତ ଆଞ୍ଚଳିକ ଗମନାଗମନ ଯୋଜନା ପ୍ରସ୍ତୁତି ନିମନ୍ତେ ଆସନ୍ତା ନଭେମ୍ବର ୨୩, ୨୦୨୬ରୁ ଏକ ବ୍ୟାପକ ଘରୋଇ ଯାତ୍ରା ସର୍ବେକ୍ଷଣ ଆରମ୍ଭ କରାଯିବ। ଏହି ସର୍ବେକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଞ୍ଚଳବାସୀଙ୍କ ଦୈନନ୍ଦିନ ଯାତାୟାତର ଆବଶ୍ୟକତା, ଯାତ୍ରାର ଧାରା ଏବଂ ଗମନାଗମନ ସମ୍ପର୍କିତ ସମସ୍ୟାଗୁଡ଼ିକୁ ବୁଝିବା। ଏଥିରୁ ମିଳିବାକୁ ଥିବା ତଥ୍ୟ ଆଧାରରେ ଏକ ସମନ୍ୱିତ, ଦକ୍ଷ, ସୁଲଭ ଓ ନାଗରିକକୈନ୍ଦ୍ରିକ ଆଞ୍ଚଳିକ ପରିବହନ ବ୍ୟବସ୍ଥା ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ଏହା ମାଧ୍ୟମରେ ପ୍ରମୁଖ ସହରାଞ୍ଚଳ ଓ ଉଦୀୟମାନ ଆର୍ଥିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ କରିବା ଲକ୍ଷ୍ୟ ରହିଛି। ସର୍ବେକ୍ଷଣରେ ଲୋକମାନେ ଯାତାୟାତ ପାଇଁ କେଉଁ ପରିବହନ ମାଧ୍ୟମକୁ ପସନ୍ଦ କରୁଛନ୍ତି, ଯାତ୍ରାରେ କେତେ ସମୟ ଲାଗୁଛି, ଯାତାୟାତରେ କେତେ ଖର୍ଚ୍ଚ ହେଉଛି, କେତେଥର ଯାତ୍ରା କରୁଛନ୍ତି, କେଉଁଠାରେ ଯୋଗାଯୋଗ ବ୍ୟବସ୍ଥାର ଅଭାବ ରହିଛି ଏବଂ ଦୈନନ୍ଦିନ ଯାତ୍ରା ସମୟରେ କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏଥିସହ ସାର୍ବଜନୀନ ପରିବହନ ସେବା, ସଡ଼କ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆବଶ୍ୟକ ପରିବହନ ଭିତ୍ତିଭୂମିର ଉନ୍ନତି ପାଇଁ ନାଗରିକମାନେ ନିଜର ମତାମତ ଓ ପରାମର୍ଶ ଦେବାର ସୁଯୋଗ ପାଇବେ।

ଏହି ପଦକ୍ଷେପରେ ଜନସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ କରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ଯାତାୟାତ କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନୁହେଁ; ଏହା ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା ଓ ବିଭିନ୍ନ ସୁଯୋଗ ସହ ଯୋଡ଼ିବା ସହିତ ଉନ୍ନତ ଜୀବନଧାରଣର ମାର୍ଗ ପ୍ରଶସ୍ତ କରିଥାଏ। “ଗତିଶୀଳ ଓଡିଶା” ଅଭିଯାନ ମାଧ୍ୟମରେ ଆମେ ଏକ ସମନ୍ୱିତ, ସୁଗମ, ସୁଲଭ ଏବଂ ନାଗରିକଙ୍କ ଆବଶ୍ୟକତା ଅନୁରୂପ ପରିବହନ ବ୍ୟବସ୍ଥା ଗଢ଼ିବାକୁ ପ୍ରୟାସ କରୁଛୁ। ଏହି ଗୃହଭିତ୍ତିକ ଯାତ୍ରା ସର୍ବେକ୍ଷଣ ମାଧ୍ୟମରେ ଲୋକମାନଙ୍କ ପ୍ରକୃତ ଯାତ୍ରା ଅନୁଭୂତି ଓ ଆଶା ଆକାଂକ୍ଷା ସମ୍ପର୍କରେ ଜାଣିବା ସମ୍ଭବ ହେବ। ତେଣୁ ମୁଁ ଏହି ଅଞ୍ଚଳର ପ୍ରତ୍ୟେକ ପରିବାରକୁ ଏହି ସର୍ବେକ୍ଷଣରେ ସକ୍ରିୟ ଭାବେ ଭାଗ ନେଇ ଓଡ଼ିଶାର ଭବିଷ୍ୟତ ପରିବହନ ବ୍ୟବସ୍ଥା ଗଠନରେ ନିଜର ମୂଲ୍ୟବାନ ମତାମତ ଦେବାକୁ ଅନୁରୋଧ କରୁଛି।”

ତଥ୍ୟଭିତ୍ତିକ ଯୋଜନା ପ୍ରସ୍ତୁତିର ଗୁରୁତ୍ୱ ଉପରେ ମତ ରଖି ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି, “ଲୋକମାନଙ୍କ ପ୍ରକୃତ ଯାତ୍ରା ଧାରା, ଆବଶ୍ୟକତା ଓ ଆଶା ଆକାଂକ୍ଷା ଆଧାରରେ ଗମନାଗମନ ସମାଧାନର ଯୋଜନା ପ୍ରସ୍ତୁତ କରିବା ଦିଗରେ ଏହି ସର୍ବେକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏକ ସୁପରିକଳ୍ପିତ ଆଞ୍ଚଳିକ ପରିବହନ ବ୍ୟବସ୍ଥା ପାଇଁ ଲୋକମାନେ କିପରି ଯାତ୍ରା କରୁଛନ୍ତି, କେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ କିପରି ଯୋଗାଯୋଗ ବ୍ୟବସ୍ଥା ଆଶା କରୁଛନ୍ତି, ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ। ଏହି ସର୍ବେକ୍ଷଣରୁ ମିଳିବାକୁ ଥିବା ତଥ୍ୟ ବିଭିନ୍ନ ପରିବହନ ମାଧ୍ୟମର ଉତ୍ତମ ସମନ୍ୱୟ, ଭବିଷ୍ୟତର ନିବେଶକୁ ପ୍ରାଥମିକତା ଦେବା ଏବଂ ପ୍ରମାଣଭିତ୍ତିକ ଯୋଜନା ପ୍ରସ୍ତୁତିରେ ସହାୟକ ହେବ। ଏହି ଆଞ୍ଚଳିକ ଗମନାଗମନ ଯୋଜନାକୁ ସମାବେଶୀ, ବ୍ୟବହାରିକ ଓ ଅଞ୍ଚଳର ପରିବର୍ତ୍ତିତ ଆବଶ୍ୟକତା ଅନୁରୂପ କରିବା ପାଇଁ ପ୍ରତ୍ୟେକ ପରିବାରର ସକ୍ରିୟ ସହଯୋଗ ଆମେ ଆଶା କରୁଛୁ।” ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସର୍ବେକ୍ଷଣ ସମୟରେ ପରିବାରଗୁଡ଼ିକ ଦେଉଥିବା ସମସ୍ତ ତଥ୍ୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ଏବଂ ଏହାକୁ କେବଳ ପରିବହନ ଯୋଜନା ପ୍ରସ୍ତୁତି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ବିଭାଗ ପକ୍ଷରୁ ଅଧିକୃତ ସର୍ବେକ୍ଷକମାନେ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ କରିବା ସହ ଡିଜିଟାଲ୍ ସର୍ବେକ୍ଷଣର ବ୍ୟବସ୍ଥା ମଧ୍ୟ ରହିବ। ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଅଧିକୃତ QR କୋଡ୍ ସ୍କାନ୍ କରି ନାଗରିକମାନେ ନିଜ ସୁବିଧା ଅନୁସାରେ ଅନଲାଇନ୍ ମାଧ୍ୟମରେ ମଧ୍ୟ ସର୍ବେକ୍ଷଣରେ ଭାଗ ନେଇପାରିବେ।

ସମନ୍ୱିତ ଆଞ୍ଚଳିକ ଗମନାଗମନ ଯୋଜନା ଏକ ଦୀର୍ଘମିଆଦୀ ରଣନୈତିକ ରୂପରେଖା ଭାବେ ପ୍ରସ୍ତୁତ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ଆଞ୍ଚଳିକ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବିଭିନ୍ନ ସାର୍ବଜନୀନ ପରିବହନ ମାଧ୍ୟମ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା, ଲୋକଙ୍କ ଯାତାୟାତକୁ ଅଧିକ ସୁଗମ ଓ ଦକ୍ଷ କରିବା ଏବଂ ସନ୍ତୁଳିତ ଆଞ୍ଚଳିକ ବିକାଶକୁ ଗତି ଦେବା। ଲୋକମାନଙ୍କ ଯାତ୍ରା ସମ୍ପର୍କିତ ଆବଶ୍ୟକତା ଓ ଅଞ୍ଚଳର ଭବିଷ୍ୟତ ବିକାଶର ଆବଶ୍ୟକତାକୁ ଏକାଠି କରି ଏହି ଯୋଜନା ପରିବହନ କ୍ଷେତ୍ରରେ ଭବିଷ୍ୟତର ନିବେଶ ଓ ବିଭିନ୍ନ ପଦକ୍ଷେପକୁ ଦିଗଦର୍ଶନ ଦେବ। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିକେପିପିଇଆର ଅଞ୍ଚଳର ସମସ୍ତ ବାସିନ୍ଦାଙ୍କୁ ଅଧିକୃତ ସର୍ବେକ୍ଷକମାନଙ୍କୁ ସହଯୋଗ କରିବା ସହ ଡିଜିଟାଲ୍ ସର୍ବେକ୍ଷଣରେ ସକ୍ରିୟ ଭାବେ ଭାଗ ନେବାକୁ ଅନୁରୋଧ କରାଯାଇଛି। ଲୋକମାନଙ୍କ ପ୍ରକୃତ ଅନୁଭୂତି, ଆଶା ଓ ଆବଶ୍ୟକତାକୁ ଆଧାର କରି ଏହି ଯୋଜନା ପ୍ରସ୍ତୁତ କରିବାରେ ସେମାନଙ୍କ ଅଂଶଗ୍ରହଣ ନିଶ୍ଚିତ ଭାବେ ସହାୟକ ହେବ। “ପ୍ରତ୍ୟେକ ଯାତ୍ରା ଗୁରୁତ୍ୱପୂର୍ଣ୍ଣ, ପ୍ରତ୍ୟେକ ମତାମତ ମୂଲ୍ୟବାନ। ଆସନ୍ତୁ, ସମସ୍ତେ ମିଶି ଓଡ଼ିଶାର ଭବିଷ୍ୟତ ଗମନାଗମନ ବ୍ୟବସ୍ଥାର ରୂପରେଖା ପ୍ରସ୍ତୁତ କରିବା”।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking