ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଣ୍ଡା ସାଗରରେ ଶକ୍ତିଶାଳୀ ଭୂମିକମ୍ପ। ରିକ୍ଟର ସ୍କେଲରେ ୬.୬ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ। ଇଣ୍ଡୋନେସିଆର ତୁଆଲ ସହରଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଥିଲା ଏହାର କେନ୍ଦ୍ରସ୍ଥଳ। ତେବେ ଭୂମିକମ୍ପ ପରେ ସୁନାମି ଆଶଙ୍କାକୁ ଖାରଜ କରିଛି ଇଣ୍ଡୋନେସିଆର ପାଣିପାଗ ଓ ଭୂଭୌତିକ ସଂସ୍ଥା BMKG। ଏପର୍ଯ୍ୟନ୍ତ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନିର ଖବର ମିଳିନାହିଁ।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା USGS ଅନୁଯାୟୀ, ଭାରତୀୟ ସମୟ ପ୍ରାୟ ୨ଟା ୪୧ ମିନିଟରେ ଏହି ଭୂମିକମ୍ପ ହୋଇଥିଲା। ପ୍ରାରମ୍ଭିକ ରିପୋର୍ଟରେ ଭୂମିକମ୍ପର ଗଭୀରତା ୩୫ କିଲୋମିଟର ଥିବା ବେଳେ ପରବର୍ତ୍ତୀ ତଥ୍ୟରେ ଏହା ପ୍ରାୟ ୬୮ କିଲୋମିଟର ବୋଲି ଦର୍ଶାଯାଇଛି। USGSର ପ୍ରାରମ୍ଭିକ ଆକଳନ ଅନୁସାରେ, ଏହି ଭୂମିକମ୍ପରେ ଜୀବନ ଓ ସମ୍ପତ୍ତି ହାନିର ଆଶଙ୍କା ବହୁତ କମ୍ ରହିଛି। ସର୍ବାଧିକ ଭୂକମ୍ପୀୟ ତୀବ୍ରତା ମଧ୍ୟମ ସ୍ତରରେ ରେକର୍ଡ କରାଯାଇଛି।
ଅନ୍ୟପଟେ, ଇଣ୍ଡୋନେସିଆର BMKG ମଧ୍ୟ ଏହି ଭୂମିକମ୍ପ ନେଇ ସୂଚନା ଦେଇଛି। ତେବେ କୌଣସି ସୁନାମି ବିପଦ ନଥିବା ସ୍ପଷ୍ଟ କରିଛି ସଂସ୍ଥା। ଭୂମିକମ୍ପ ପରେ ଅଞ୍ଚଳରେ ମୃଦୁରୁ ମଧ୍ୟମ ଧରଣର କମ୍ପନ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଇଣ୍ଡୋନେସିଆ ପ୍ରଶାନ୍ତ ମହାସାଗରୀୟ ଅଗ୍ନିବଳୟ ବା ପ୍ୟାସିଫିକ୍ ରିଙ୍ଗ୍ ଅଫ୍ ଫାୟାର ଅଞ୍ଚଳରେ ଅବସ୍ଥିତ। ଏଠାରେ ଅନେକ ଟେକ୍ଟୋନିକ୍ ପ୍ଲେଟ୍ର ଗତିବିଧି ଯୋଗୁଁ ବାରମ୍ବାର ଭୂମିକମ୍ପ ହୋଇଥାଏ। ତେବେ ବର୍ତ୍ତମାନ ସ୍ଥିତି ଉପରେ ନଜର ରଖିଛନ୍ତି ସ୍ଥାନୀୟ କର୍ତ୍ତୃପକ୍ଷ।










