29.1 C
Bhubaneswar
Saturday, November 7, 2026
Homeଓଡିଶାନବୀନ ପଟ୍ଟନାୟକଙ୍କ ଗସ୍ତ ସମୟରେ ଜନସମୁଦ୍ର ହେଲା ଗଞ୍ଜାମ

ନବୀନ ପଟ୍ଟନାୟକଙ୍କ ଗସ୍ତ ସମୟରେ ଜନସମୁଦ୍ର ହେଲା ଗଞ୍ଜାମ

ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ସମ୍ପ୍ରତି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ସହ ବନ୍ୟା ବିପନ୍ନ ପରିବାର, ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଶେରଗଡ଼, ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ା ବ୍ଲକ ପରିଦର୍ଶନ କରି ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବା ସହ ରିଲିଫ୍, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ।ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ସେମାନଙ୍କ ଦୁଃଖ ଜଣାଇଥିଲେ । ଚାଷୀ ମାନେ ନଷ୍ଟ ହୋଇଯାଇଥିବା ଧାନ କେଣ୍ଡା ଓ ଆଖୁ ଗଛ ଧରି ବନ୍ୟା ପରିଚାଳନାରେ ସରକାରୀ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ବନ୍ୟାରେ ଘର ଭାଙ୍ଗି ଯାଇଥିବା ଓ ନିଜ ଜୀବିକା ହରାଇଥିବା ଲୋକମାନେ ମଧ୍ୟ ବିରୋଧୀ ଦଳ ନେତାଙ୍କୁ ସେମାନଙ୍କ ଅସୁବିଧା ଜଣାଇଥିଲେ । ୨୪ ବର୍ଷ ଶାସନରେ ଏଭଳି ହଇରାଣ ଗଞ୍ଜାମବାସୀ କେବେ ହୋଇ ନଥିଲେ ବୋଲି ଲୋକମାନେ ଅଶ୍ରୁଳ ନୟନରେ ତାଙ୍କ ଦୁଃଖ ଜଣାଇଥିଲେ ।

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଥିଲେ ଯେ, ମୋ ନିର୍ବାଚନମଣ୍ଡଳୀ ସମେତ ଗଞ୍ଜାମ ଜିଲ୍ଲାର ୪ଟି ଭିନ୍ନ ଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ବନ୍ୟା ବିପନ୍ନ ପରିବାର ଓ ଚାଷୀମାନଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ଅତି ନିକଟରୁ ଦେଖିଛି । ସେମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏହି ସମୟରେ ସେମାନଙ୍କୁ ତୁରନ୍ତ ସହାୟତାର ଆବଶ୍ୟକତା ରହିଛି । ମୁଁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି, କ୍ଷତିଗ୍ରସ୍ତ ଚାଷୀ ଓ ବନ୍ୟା ବିପନ୍ନ ପରିବାରଗୁଡ଼ିକୁ ଆବଶ୍ୟକୀୟ କ୍ଷତିପୂରଣ ଓ ରିଲିଫ୍ ସହାୟତା ପ୍ରଦାନ କରନ୍ତୁ । ସେମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯିବା ଉଚିତ୍ ନୁହେଁ ।

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ରଥମେ ଶେରଗଡ଼ ସହର ଓ ଏହାର ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଲୋକମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ବନ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି, ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ନେଇ ଲୋକମାନେ ତାଙ୍କୁ ଅବଗତ କରାଇଥିଲେ । ଏହାପରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ନୂଆ ବୁରୁପଡ଼ା ଗ୍ରାମପଞ୍ଚାୟତ ପରିଦର୍ଶନ କରି ଲୋକମାନଙ୍କ ଜୀବନ ଓ ଜୀବିକା ଉପରେ ପଡ଼ିଥିବା ପ୍ରଭାବର ଆକଳନ କରିଥିଲେ । ଏଥିସହିତ ହିଞ୍ଜିଳିକାଟୁ ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ମଧ୍ୟ ପରିଦର୍ଶନ କରି କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ଓ ଦୁର୍ଦ୍ଦଶାର ସ୍ଥିତି ଅନୁଧ୍ୟାନ କରିଥିଲେ । ପରବର୍ତ୍ତୀ ସମୟରେ ଆସିକା ସାଇନ୍ସ କଲେଜ ନିକଟସ୍ଥ କୋଟିନଡ଼ା ଏବଂ ଆସିକା ସହର ଓ ଏହାର ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ଶ୍ରୀ ପଟ୍ଟନାୟକ । ବନ୍ୟା ବିପନ୍ନ ପରିବାର ଓ ଚାଷୀମାନଙ୍କ ସହ ଆଲୋଚନା କରିବା ସହିତ କ୍ଷତିଗ୍ରସ୍ତ ଚାଷଜମି ଓ ସ୍ଥାନୀୟ ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସୋରଡ଼ା ବ୍ଲକର ଟାଟାବାଲିସ୍ଥିତ କନ୍ଧୁଣୀ ଦେବୀ ପଡ଼ିଆରେ ପହଞ୍ଚି ବାଲିଗୋଛା ଅଞ୍ଚଳକୁ ଯାଇଥିଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସେଠାରେ ସେ ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବନ୍ୟା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତି ଏବଂ ବନ୍ୟା ପରବର୍ତ୍ତୀ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ । ବନ୍ୟା ବିପନ୍ନ ପରିବାର ଗୁଡ଼ିକୁ ପର୍ଯ୍ୟାପ୍ତ ସହାୟତା, କ୍ଷୟକ୍ଷତିର ଆକଳନ, ଚାଷୀମାନଙ୍କୁ କ୍ଷତିପୂରଣ ଏବଂ ଭିତ୍ତିଭୂମିର ପୁନରୁଦ୍ଧାର ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୨୩ ତାରିଖରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି ହେବା ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିରନ୍ତର ନଜର ରଖିଥିଲେ । ସେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା ବେଳେ ନବୀନ ନିବାସ ପକ୍ଷରୁ ମଧ୍ୟ ସ୍ଥିତି ଉପରେ ନଜର ରଖାଯାଇଥିଲା । ବିଶେଷକରି ହିଞ୍ଜିଳିକାଟୁ ଓ ଶେରଗଡ଼ର ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ଗସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶାବାସୀଙ୍କ ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି ।
ଏହି ପରିଦର୍ଶନ ସମୟରେ ଆସ୍କା ଓ ଶେରଗଡ଼ରେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ କ୍ଷୟକ୍ଷତି ସମ୍ପର୍କରେ ସ୍ମାରକପତ୍ର ଦିଆଯାଇଥିଲା ।

ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ଗସ୍ତ ସମୟରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରତାପ ଜେନା,
ଶ୍ରୀମତୀ ଉଷା ଦେବୀ, ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ ଚନ୍ଦ୍ରଶେଖର ସାହୁ, ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀ ଭୃଗୁ ବକ୍ସିପାତ୍ର, ଶ୍ରୀମତୀ ରଞ୍ଜିତା ସାହୁ, ଶ୍ରୀ ପୂର୍ଣ୍ଣ ସ୍ୱାଇଁ, ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ଶ୍ରୀ ଚିନ୍ମୟ ସାହୁ, ଇପ୍ସିତା ସାହୁ, ଶ୍ରୀ ଦେବାନନ୍ଦ ମହାପାତ୍ର, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀ ରୂପେଶ ପାଣିଗ୍ରାହୀ, ଶ୍ରୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ଶ୍ରୀ ଶ୍ରୀକାନ୍ତ ସାହୁ, ଶ୍ରୀମତୀ ସଂଘମିତ୍ରା ଦଳେଇ, ଶ୍ରୀ ସୁବାସ ମହାରଣା, ଡ଼ ଲେନିନ ମହାନ୍ତି, ଶ୍ରୀ ତୁମ୍ବନାଥ ପଣ୍ଡାଙ୍କ ସମେତ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking