ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ବଡ଼ ଘୋଷଣା । ପ୍ରଭାବିତ ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ୧୦୭ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା ହୋଇଥିବା ସହାୟତା ପ୍ୟାକେଜ୍ ଅନୁଯାୟୀ ଏହି ଅର୍ଥ ମଞ୍ଜୁର କରାଯାଇଛି ।ଗଞ୍ଜାମ ଜିଲ୍ଲା ପାଇଁ ସର୍ବାଧିକ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ମଞ୍ଜୁର ହୋଇଥିବାବେଳେ କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଅନୁଯାୟୀ, ପ୍ରଭାବିତ ପରିବାରଙ୍କୁ ୨ ହଜାର ୫୦୦ ଟଙ୍କା ହାରରେ ଆର୍ଥିକ ସହାୟତା ମିଳିବ ।
ଏହି ଯୋଜନାରେ ଗଞ୍ଜାମ ଜିଲ୍ଲାର ୪ ଲକ୍ଷ ୨୯ ହଜାର ୭୮୨ଟି ପରିବାର ଏବଂ କୋରାପୁଟ ଜିଲ୍ଲାର ୧ ହଜାର ୫୧ଟି ପରିବାର ଉପକୃତ ହେବେ । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ମଞ୍ଜୁର ହୋଇଥିବା ଏହି ଅର୍ଥ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଛି । ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁସାରେ ଯୋଗ୍ୟ କ୍ଷତିଗ୍ରସ୍ତ ପରିବାରଙ୍କୁ ଏହି ସହାୟତା ରାଶି ବଣ୍ଟନ କରାଯିବ ।










