ନୂଆଦିଲ୍ଲୀ: ବର୍ତ୍ତମାନର ଅସ୍ଥିର ବୈଶ୍ୱିକ ଭୂ-ରାଜନୈତିକ ପରିସ୍ଥିତିରେ ଆତ୍ମନିର୍ଭରତା କୌଣସି ବିକଳ୍ପ ନୁହେଁ, ବରଂ ଏହା ଏକ ରଣନୈତିକ ଆବଶ୍ୟକତା ବୋଲି ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ନୂଆଦିଲ୍ଲୀ ଠାରେ ଏକ ଥିଙ୍କ-ଟ୍ୟାଙ୍କ ଦ୍ୱାରା ଆୟୋଜିତ ”ଦିଲ୍ଲୀ ଡିଫେନ୍ସ ଡାଏଲଗ୍”ରେ ଉଦବୋଧନ ଦେଇ ସେ କହିଛନ୍ତି ଯେ, ବାହ୍ୟ ଦେଶ କିମ୍ବା ସଂସ୍ଥା ଉପରେ ନିର୍ଭର ନକରି ନିଜ ବଳରେ ଯୁଦ୍ଧ ଲଢ଼ିବା, ଅପରେସନ୍ ଜାରି ରଖିବା ଏବଂ ନିଜକୁ ପରିସ୍ଥିତି ସହ ଖାପଖୁଆଇ ପାରୁଥିବା ଏକ ଶକ୍ତିଶାଳୀ ନୌସେନା ଗଠନ କରିବା ଭାରତ ପାଇଁ ଅତ୍ୟନ୍ତ ଜରୁରୀ।ଆଡମିରାଲ ସ୍ୱାମୀନାଥନ ସ୍ପଷ୍ଟ କରିଛନ୍ତି ଯେ, ଆତ୍ମନିର୍ଭରତାର ଅର୍ଥ ବିଶ୍ୱରୁ ଅଲଗା ହୋଇ ରହିବା ନୁହେଁ। ଏହା ଭାରତକୁ ବନ୍ଧୁରାଷ୍ଟ୍ରଗୁଡ଼ିକ ସହ ଦୁର୍ବଳତା ନୁହେଁ, ବରଂ ଶକ୍ତିଶାଳୀ ସ୍ଥିତିରେ ଥାଇ ସହଯୋଗ କରିବାକୁ ସମର୍ଥ କରିଥାଏ। ରୁଷ-ୟୁକ୍ରେନ୍ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ସଂଘର୍ଷର ଉଦାହରଣ ଦେଇ ସେ ଦର୍ଶାଇଥିଲେ ଯେ, ଯୁଦ୍ଧ ସମୟରେ ବୈଶ୍ୱିକ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୁଏ। ତେଣୁ ଏକବିଂଶ ଶତାବ୍ଦୀର ନୌସେନା ପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଓ ସାମରିକ ସାମର୍ଥ୍ୟ ହିଁ ଅପରେସନାଲ୍ ପ୍ରସ୍ତୁତିକୁ ସୁନିଶ୍ଚିତ କରିପାରିବ।










