ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ମହେନ୍ଦ୍ରତନୟା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀ ଫୁଲୁଥିବାରୁ ନଦୀକୂଳିଆ ଅଞ୍ଚଳରେ ସମ୍ଭାବ୍ୟ ବିପଦକୁ ନେଇ ଚିନ୍ତା ବଢ଼ିଛି । ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ଚମ୍ପାପୁର ନିକଟରେ ମହେନ୍ଦ୍ରତନୟା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନଦୀର ଜଳପ୍ରବାହ ଓ ସମ୍ଭାବ୍ୟ ବିପଦ ସମ୍ପର୍କରେ ସ୍ଥିତି ପରଖିବା ସହ ନଦୀକୂଳିଆ ଅଞ୍ଚଳର ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି ।ଅନ୍ୟପଟେ ମହେନ୍ଦ୍ରଗିରି ପର୍ବତର ପାଦଦେଶ ଦେଇ ପ୍ରବାହିତ ମହେନ୍ଦ୍ରତନୟା ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଆଖପାଖ ଗାଁଗଣ୍ଡାରେ ପାଣି ପଶିଛି। ଲଗାଣ ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ନଦୀର ଜଳପ୍ରବାହ ଦେଖିବାକୁ ଯିବା କିମ୍ବା ବଢ଼ିପାଣି ଭିତରକୁ ପ୍ରବେଶ ନକରିବାକୁ ପରାମର୍ଶ ଦିଆଯାଉଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ଲୋକଙ୍କ ସୁରକ୍ଷା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।










