ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତର ଅଭିଜ୍ଞତା ଓ ସାମରିକ କୌଶଳ ଅନ୍ୟ ଦେଶଗୁଡ଼ିକ ସହ ବାଣ୍ଟିବାକୁ ପ୍ରସ୍ତୁତ ଭାରତ । ଏସିଆନ୍ ସଦସ୍ୟ ରାଷ୍ଟ୍ର ଏବଂ ସେମାନଙ୍କ ସହଯୋଗୀ ଦେଶଗୁଡ଼ିକୁ ଆତଙ୍କବାଦ ମୁକାବିଲାରେ ସହଯୋଗ କରିବାକୁ ଭାରତ ସର୍ବଦା ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଫିଲିପାଇନ୍ସର ସେବୁଠାରେ ଆୟୋଜିତ ଏସିଆନ୍ ପ୍ରତିରକ୍ଷା ମନ୍ତ୍ରୀ ସମ୍ମିଳନୀ ପ୍ଲସ୍କୁ ସମ୍ବୋଧିତ କରି ସେ ଏହି ମତ ରଖିଛନ୍ତି ।ରାଜନାଥ କହିଛନ୍ତି ଯେ, ମିଳିତ ସାମରିକ ଅଭ୍ୟାସ, ସାମରିକ କ୍ଷମତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ମାଧ୍ୟମରେ ଆତଙ୍କବାଦ ବିରୋଧୀ ଲଢ଼େଇକୁ ଆହୁରି ମଜବୁତ୍ କରାଯାଇପାରିବ । ଦୀର୍ଘ ଦଶନ୍ଧି ଧରି ସୀମାପାର ଆତଙ୍କବାଦର ମୁକାବିଲା କରି ଭାରତ ନିଜର ପ୍ରତିରକ୍ଷା କ୍ଷମତାକୁ ଅଧିକ ଶାଣିତ କରିଛି । ଏହି ଅଭିଜ୍ଞତା ଅନ୍ୟ ଦେଶଗୁଡ଼ିକ ପାଇଁ ମଧ୍ୟ ଉପଯୋଗୀ ହୋଇପାରିବ । ଏହି ଅବସରରେ ସେ ‘ଅପରେସନ୍ ସିନ୍ଦୂର’ର ଉଦାହରଣ ଦେଇଥିଲେ । ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରି ଭାରତ ଆତଙ୍କବାଦ ବିରୋଧରେ ନିଜର ଦୃଢ଼ ଆଭିମୁଖ୍ୟ ସ୍ପଷ୍ଟ କରିଥିବା ସେ କହିଥିଲେ । ଆତଙ୍କବାଦର ମୁକାବିଲା ପାଇଁ ଦେଶଗୁଡ଼ିକ ମଧ୍ୟରେ ସମନ୍ୱୟ ଓ ସହଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ସେହିପରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବାକୁ ସମସ୍ତ ଦେଶର ମିଳିତ ପ୍ରୟାସ ଜରୁରୀ ବୋଲି ରାଜନାଥ କହିଛନ୍ତି । ବିଶେଷକରି ସାମୁଦ୍ରିକ ବାଣିଜ୍ୟ ପଥର ସୁରକ୍ଷାକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। କେବଳ ଭାଷଣ ନୁହେଁ, ଜଳପଥର ସୁରକ୍ଷା ପାଇଁ ଆଠଟି ଠୋସ୍ ଓ ପ୍ରତ୍ୟକ୍ଷ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।










