● ଅଧିକ ସୁରକ୍ଷିତ ଆର୍ଥିକ ବ୍ୟବସ୍ଥା ଦିଗରେ ବଡ଼ ପଦକ୍ଷେପ; ଭୁବନେଶ୍ୱରରେ ଆରବିଆଇର ନୂତନ ପ୍ରତିଷ୍ଠାନଗୁଡ଼ିକ ଡିଜିଟାଲ୍ ଭିତ୍ତିଭୂମି ଏବଂ ସାଇବର ସୁରକ୍ଷା କ୍ଷମତାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
● ମହାପ୍ରଭୁଙ୍କ ଆଶୀର୍ବାଦରୁ, ଆଜି ଭୁବନେଶ୍ୱର ନୂତନ ଭାରତକୁ ଏକ ନୂଆ ଅନୁଷ୍ଠାନ ପ୍ରଦାନ କରୁଛି; ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ; ଏହା ଓଡ଼ିଶା ତଥା ସମଗ୍ର ଦେଶବାସୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ: ପ୍ରଧାନମନ୍ତ୍ରୀ
● ଆମେ ଜନକଲ୍ୟାଣକାରୀ, ସକ୍ରିୟ ଏବଂ ସୁଶାସନ ମଡେଲ ନେଇ ଆଗକୁ ବଢ଼ୁଛୁ; ଆମ ପାଇଁ ବିକାଶର ଅର୍ଥ ହେଉଛି ଭାରତର ସନ୍ତୁଳିତ ବିକାଶ ଯାହା ଗାଁ ଓ ଛୋଟ ସହରଗୁଡ଼ିକରେ ପ୍ରଗତିର ସମାନ ସୁଯୋଗ ସୁନିଶ୍ଚିତ କରୁଥିବ: ପ୍ରଧାନମନ୍ତ୍ରୀ
● ଆଜି, ଡିଜିଟାଲ୍ ବ୍ୟାଙ୍କିଂ ପ୍ରତ୍ୟେକ ଭାରତୀୟଙ୍କୁ ୨୪ ଘଣ୍ଟିଆ ବ୍ୟାଙ୍କ ସେବା ସହ ଯୋଡ଼ିଛି: ପ୍ରଧାନମନ୍ତ୍ରୀ
● ଆଜି, ଯେଉଁମାନଙ୍କ ପାଖରେ ବ୍ୟାଙ୍କକୁ ଗ୍ୟାରେଣ୍ଟି ଦେବା ପାଇଁ କିଛି ନାହିଁ, ସେମାନେ ମଧ୍ୟ ଶସ୍ତା ଓ ସୁଲଭ ଋଣ ପାଇ ନିଜର କାମ ଆରମ୍ଭ କରିପାରିବେ; ଛୋଟ ଉଦ୍ୟୋଗୀଙ୍କଠାରୁ ଆରମ୍ଭ କରି ପାରମ୍ପରିକ କାରିଗର, ରାସ୍ତାକଡ଼ ବିକ୍ରେତାଙ୍କଠାରୁ ଆରମ୍ଭ କରି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଏମାନେ ଆନୁଷ୍ଠାନିକ ବ୍ୟାଙ୍କ ସେବାର ଲାଭ ପାଇଛନ୍ତି: ପ୍ରଧାନମନ୍ତ୍ରୀ
● ବିଗତ ଦଶନ୍ଧି, ବ୍ୟାଙ୍କ ସେବାକୁ ସେହି ଲୋକମାନଙ୍କ ପାଖରେ ପହଞ୍ଚାଇଥିଲା ଯେଉଁମାନେ ଏଥିରୁ ବଞ୍ଚିତ ଥିଲେ; ଆଗାମୀ ଦଶନ୍ଧି ବ୍ୟାଙ୍କ ସେବାକୁ ଅଧିକ ଦକ୍ଷ ଏବଂ ଭରସାଯୋଗ୍ୟ କରିବା ଲାଗି ଉଦ୍ଦିଷ୍ଟ: ପ୍ରଧାନମନ୍ତ୍ରୀ
● ବର୍ତ୍ତମାନ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ ଲଢ଼ାଯାଉନାହିଁ । କୌଣସି ଦେଶକୁ ଦୁର୍ବଳ କରିବାର ଥିଲେ ତା’ର ଅର୍ଥବ୍ୟବସ୍ଥା ଉପରେ ଆକ୍ରମଣ କରି ମଧ୍ୟ ଏହା କରାଯାଇପାରିବ । ଆଉ ଆଜି ଯେତେବେଳେ ଭାରତ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହେଉଛି ଆମେ ଆମ ବ୍ୟାଙ୍କ ବ୍ୟବସ୍ଥାକୁ ମଧ୍ୟ ସାଇବର ଲୁଟେରା ଓ ସାଇବର ଆତଙ୍କବାଦୀଙ୍କ ଠାରୁ ସୁରକ୍ଷା ଦେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ଅକ୍ଟୋବର ୨୫
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ୱରରେ ନୂଆ କରି ପ୍ରତିଷ୍ଠା ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍ଘାଟନ କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଭୁବନେଶ୍ୱର ଆଜି ନୂତନ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ନୂତନ ପ୍ରତିଷ୍ଠାନ ଭେଟି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦୁଇଟି ସୁବିଧା କେନ୍ଦ୍ରର ଶୁଭାରମ୍ଭରେ ସମ୍ପୃକ୍ତ ରହିଥିବା ଆରବିଆଇ ଏବଂ ଅନ୍ୟ ସମସ୍ତ ଅଂଶୀଦାରମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇଥିଲେ । ଏହା ଓଡ଼ିଶା ଏବଂ ଦେଶର ଲୋକଙ୍କ ପାଇଁ ବେଶ ଲାଭ ଦାୟକ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଆଜିର ଉଦଘାଟନୀ କାର୍ଯ୍ୟକ୍ରମର ବ୍ୟାପକ ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ, ଏହି କାର୍ଯ୍ୟକ୍ରମ ଦେଶର ପ୍ରଶାସନିକ ଆଭିମୁଖ୍ୟରେ ଆସିଥିବା ମୌଳିକ ପରିବର୍ତ୍ତନକୁ ଦର୍ଶାଉଛି । ବର୍ତ୍ତମାନର ଶାସନ ବ୍ୟବସ୍ଥା ବିକାଶକୁ ପ୍ରାଥମିକତା ଦେବା ସହିତ ଏହାର ପରିମାଣକୁ ବିସ୍ତାର କରିବା ଏବଂ ଶେଷ ମାଇଲ ପର୍ଯ୍ୟନ୍ତ ଲାଭ ପହଞ୍ଚାଇବା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରୁଛି । ଆଜିର କାର୍ଯ୍ୟକ୍ରମ ଭାରତରେ ଶାସନର ଆଭିମୁଖ୍ୟ ପ୍ରତି ଆସିଥିବା ପରିବର୍ତ୍ତନର ପ୍ରମାଣ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଜନକଲ୍ୟାଣକାରୀ, ସକ୍ରିୟ ଏବଂ ସୁଶାସନର ମଡେଲ ସନ୍ତୁଳିତ ଆଞ୍ଚଳିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ଏହା ଗରିବଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ଦେବା ସହିତ ଜଣେ ହେଲେ ନାଗରିକ ଯେପରି ସେବାରୁ ବଞ୍ଚିତ ହେବେ ନାହିଁ ତାହା ସୁନିଶ୍ଚିତ କରୁଛି । ଛୋଟ ସହରଗୁଡ଼ିକୁ ଏବେ ଏକ୍ସପ୍ରେସ ୱେ ସଂଯୋଗ ହେଉଛି । ଏକାଧିକ ରାଜ୍ୟରେ ଏମ୍ସ ଭଳି ପ୍ରତିଷ୍ଠାନ ଖୋଲିଛି । ଛୋଟ ସହରରେ ମଧ୍ୟ ମେଡ଼ିକାଲ କଲେଜ ଖୋଲାଯାଉଛି । ଗାଁଗୁଡ଼ିକରେ ପ୍ରାୟ ୧.୭୫ ଲକ୍ଷ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହୋଇଛି ଏବଂ ଉପାନ୍ତ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗ ପହଞ୍ଚି ପାରିଛି । ନାଗରିକମାନଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ଲାଗି ନୂତନ ସୁଯୋଗ ଯୋଗାଇ ଦେବା ବର୍ତ୍ତମାନ ପ୍ରଶାସନର ପ୍ରକୃତ ଉଦ୍ଦେଶ୍ୟ ପାଲଟିଛି ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ଅତୀତର ଏକ ମୌଳିକ ସମସ୍ୟା ପ୍ରତି ଆଲୋକପାତ କରି କହିଥିଲେ, ୬୦ ଏବଂ ୭୦ ଦଶକରେ ଗରିବଙ୍କ ନାଁ ନେଇ ବ୍ୟାଙ୍କଗୁଡ଼ିକର ରାଷ୍ଟ୍ରୀୟକରଣ କରାଯାଇଥିଲା। କିନ୍ତୁ ୨୦୧୪ ପର୍ଯ୍ୟନ୍ତ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକ ବ୍ୟାଙ୍କ ସେବାରୁ ବଞ୍ଚିତ ଥିଲେ । ମଧ୍ୟବିତଙ୍କ ପାଇଁ ବ୍ୟାଙ୍କ ଋଣ ଦୂରସ୍ୱପ୍ନ ପାଲଟିଥିଲା । ଚାଷୀ, ଭୂମିହୀନ ଏବଂ ମହିଳାଙ୍କ ପାଇଁ ତ’ ପରିକଳ୍ପନା ବାହାରେ ଥିଲା । ହେଲେ ଆର୍ଥିକ ଅନ୍ତର୍ଭୂକ୍ତୀକରଣର ନୂତନ ଯୁଗ ସାରା ଦେଶରେ ଏହି ପରିଦୃଶ୍ୟକୁ ବଦଳାଇ ଦେଲା ବୋଲି ସେ ଉଲ୍ଲେଖ କରିଥିଲେ । ଆଜି ଭାରତରେ ଡିଜିଟାଲ ବ୍ୟାଙ୍କିଂ ସମସ୍ତଙ୍କୁ ୨୪ ଘଣ୍ଟିଆ ବ୍ୟାଙ୍କ ସେବା ଯୋଗାଇ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମତବ୍ୟକ୍ତ କରିଥିଲେ ।
ଆଜି ଡିଜିଟାଲ୍ ବ୍ୟାଙ୍କିଂ ମାଧ୍ୟମରେ ଦେଶର ପ୍ରତ୍ୟେକ ପରିବାର ଗୋଟିଏ ଗୋଟିଏ ହିତାଧିକାରୀ ପାଲଟିଛନ୍ତି ବୋଲି ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ । ସେ ଆହୁରି କହିଥିଲେ, ବ୍ୟବସ୍ଥାରେ ଥିବା ସମସ୍ତ ପ୍ରକାରର ବାଟମାରଣାକୁ ଏବେ ବନ୍ଦ କରାଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରତ୍ୟେକ ଟଙ୍କା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ଦେଶରେ ଖୋଲାଯାଇଥିବା ପ୍ରାୟ ୬୦ କୋଟି ‘ଜନ ଧନ’ ଖାତା ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଜୋର୍ ଦେଇ କହିଥିଲେ, ଆଜି କୌଣସି ବନ୍ଧକ ରଖିପାରୁନଥିବା ବ୍ୟକ୍ତି ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିବା ଲାଗି ସୁଲଭ ଆନୁଷ୍ଠାନିକ ଋଣ ପାଇପାରୁଛନ୍ତି । ଲକ୍ଷ୍ୟ ଆଧାରିତ ହସ୍ତକ୍ଷେପ ବଳରେ କ୍ଷୁଦ୍ର ଉଦ୍ୟୋଗୀ, ପାରମ୍ପରିକ କାରିଗର, ରାସ୍ତାକଡ଼ ବିକ୍ରେତା ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସମୃଦ୍ଧ ହେଉଛନ୍ତି । ମୁଦ୍ରା ଯୋଜନା ଅଧୀନରେ ୧୩ କୋଟି ଲୋକ ପ୍ରଥମ ଥର ପାଇଁ ଉଦ୍ୟୋଗୀ ହୋଇଛନ୍ତି । ଲକ୍ଷ ଲକ୍ଷ ରାସ୍ତାକଡ଼ ବିକ୍ରେତା ଏବଂ କୁଶଳୀ କାରିଗର ପିଏମ୍ ସ୍ୱନିଧି ଏବଂ ପିଏମ୍ ବିଶ୍ୱକର୍ମା ମାଧ୍ୟମରେ ଆନୁଷ୍ଠାନିକ ଋଣ ପାଇଛନ୍ତି । ୧୦ କୋଟି ଗ୍ରାମୀଣ ମହିଳାଙ୍କ ପ୍ରତିନିଧିତ୍ୱ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ସହାୟତା ପାଇଛନ୍ତି । ପ୍ରଥମ ଥର ପାଇଁ ଏମାନେ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗର ଲାଭ ପାଇଛନ୍ତି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଡେବିଟ୍ ଏବଂ କ୍ରେଡିଟ୍ କାର୍ଡଗୁଡ଼ିକ ଏକଦା ଧନୀମାନଙ୍କ ପାଇଁ ସ୍ୱତନ୍ତ୍ର ରୂପେ ସଂରକ୍ଷିତ ଥିଲା । ଏବେ ରୂପେ କାର୍ଡ ପ୍ରତ୍ୟେକ ନାଗରିକଙ୍କ ପାଇଁ ଉପଲବ୍ଧ ହୋଇଛି । ଏହା ସେମାନଙ୍କ ଲାଗି ଆତ୍ମସମ୍ମାନ ଏବଂ ସ୍ୱାବଲମ୍ବନର ପ୍ରତୀକ ପାଲଟିଛି । ଏହି ପରିବର୍ତ୍ତନ ପାଇଁ ବ୍ୟାଙ୍କ ସେବା କ୍ଷେତ୍ରର ଅଂଶୀଦାରମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କେନ୍ଦ୍ରୀୟ ବ୍ୟାଙ୍କ, ବାଣିଜ୍ୟିକ ବ୍ୟାଙ୍କ ଏବଂ ଦେଶବ୍ୟାପୀ ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀଙ୍କ ସାମୂହିକ ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ। ‘‘ଆପଣମାନେ ସମସ୍ତେ ଏହି ଗୌରବଶାଳୀ ଉପଲବ୍ଧିର ଅଂଶୀଦାର,’’ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସାମାଜିକ ସୁରକ୍ଷାର ବିସ୍ତାର ଏବଂ ଆର୍ଥିକ ସଶକ୍ତୀକରଣ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଏହି ପ୍ରୟାସ ନାଗରିକ ଦେବୋ ଭବ ମନ୍ତ୍ର ନେଇ ଆଗକୁ ବଢ଼ୁଛି । ଓଡ଼ିଶାର ୩୮ ଲକ୍ଷ ନାଗରିକଙ୍କ ସମେତ ଦେଶର ୯ କୋଟି ନାଗରିକ ଅଟଳ ପେନସନ ଯୋଜନାରେ ସାମିଲ ହୋଇଛନ୍ତି । ମାତ୍ର ୨୦ ଟଙ୍କାର ବାର୍ଷିକ ପ୍ରିମିୟମରେ ପିଏମ୍ ସୁରକ୍ଷା ବୀମା ଯୋଜନାରେ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ସୁରକ୍ଷା ମିଳୁଛି । ବାର୍ଷିକ ୪୫୦ ଟଙ୍କାର ପ୍ରିମିୟମରେ ପିଏମ ଜୀବନ ଜ୍ୟୋତି ବୀମା ଯୋଜନାରେ ଜୀବନ ବୀମା ସୁବିଧା ମିଳିପାରୁଛି । ଏକଦା ବିଳାସପୂର୍ଣ୍ଣ ସୁବିଧା ଭାବେ ବିବେଚିତ ହେଉଥିବା ବୀମା ଏବେ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ସୁଲଭ ହୋଇପାରିଛି । ଶ୍ରୀ ମୋଦୀ କହିଥିଲେ, ଅନ୍ୟ ସରକାରଙ୍କ ଭଳି ବଡ଼ ଶିରୋନାମା ଏବଂ ପ୍ରଚାରପ୍ରସାର ଜରିଆରେ ଆର୍ଥିକ ସହାୟତାର କୋଳାହଳ କରିବା ପରିବର୍ତ୍ତେ ବର୍ତ୍ତମାନର ସରକାର କଷ୍ଟକର ସମୟରେ ଗରିବ ପରିବାରଗୁଡ଼ିକୁ ୨୫ ହଜାର କୋଟି ଟଙ୍କାର ସହାୟତା ରାଶି ନିରବରେ ପ୍ରଦାନ କରିଛନ୍ତି । ଏହା ହିଁ ସୁଶାସନ ବୋଲି ସେ ମତବ୍ୟକ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ବିଗତ ଦଶନ୍ଧି, ବ୍ୟାଙ୍କ ସେବାକୁ ସେହି ଲୋକମାନଙ୍କ ପାଖରେ ପହଞ୍ଚାଇଥିଲା ଯେଉଁମାନେ ଏଥିରୁ ବଞ୍ଚିତ ଥିଲେ । ଆଗାମୀ ଦଶନ୍ଧି ବ୍ୟାଙ୍କ ସେବାକୁ ଅଧିକ ଦକ୍ଷ ଓ ଅଧିକ ଭରସାଯୋଗ୍ୟ କରିବା ଲାଗି ଉଦ୍ଦିଷ୍ଟ । ଓଡ଼ିଶାର ନୂଆ ଡାଟା ସେଣ୍ଟର ଏବଂ ଦୃଢ଼ କମ୍ପ୍ୟୁଟିଂ ସିଷ୍ଟମ ଏଥିରେ ସହାୟକ ହେବ । ଆଧୁନିକ ଯୁଦ୍ଧରେ ନୂଆ ନୂଆ ସାଇବର ବିପଦ ମାଧ୍ୟମରେ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବା ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ । ସେ କହିଥିଲେ, ପ୍ରଗତିଶୀଳ ଆର୍ଥିକ ଶକ୍ତିଗୁଡ଼ିକ ନିଜର ଅର୍ଥବ୍ୟବସ୍ଥାକୁ ସାଇବର ଲୁଟେରା ଏବଂ ସାଇବର ଆତଙ୍କବାଦୀଙ୍କଠାରୁ ରକ୍ଷା କରିବା ଉଚିତ । ପୁରୁଣା ତାଲିମ ଉପକରଣଗୁଡ଼ିକ ପରିବର୍ତ୍ତେ ଆଧୁନିକ ଭିତ୍ତିଭୂମି ଏବଂ ଦକ୍ଷ ମାନବ ସମ୍ବଳ ସହିତ ଏହାର ମୁକାବିଲା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏଠାରେ, ଏହି ନୂତନ ସାଇବର ସୁରକ୍ଷା ପ୍ରତିଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ପୂର୍ବ ଭାରତକୁ ଏକ ଶକ୍ତିଶାଳୀ ବିକାଶ ଇଞ୍ଜିନ୍ ରୂପେ ଅଭିହିତ କରିଥିଲେ। ସେ କହିଥିଲେ, ବର୍ତ୍ତମାନର ରାଜ୍ୟ ସରକାରଙ୍କ ସମୟରେ ଓଡ଼ିଶାର ବିକାଶଧାରା ତ୍ୱରାନ୍ୱିତ ହୋଇଛି । ରାଜ୍ୟରେ ପାରମ୍ପରିକ ଖଣି ଆଧାରିତ ଶିଳ୍ପ ସହିତ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ଡାଟା ସେଣ୍ଟର ଏବଂ ଆଡଭାନ୍ସ କମ୍ପ୍ୟୁଟିଂର ଏକ ନୂତନ ଶିଳ୍ପ ପରିବେଶ ସୃଷ୍ଟି ହେଉଛି । ଏହା ଖଣିରୁ ମାଇକ୍ରୋଚିପ୍ ପର୍ଯ୍ୟନ୍ତ ଶିଳ୍ପ ବିକାଶର ଏକ ନୂତନ ଭବିଷ୍ୟତ ନିର୍ମାଣ କରିବ । ଏସବୁ ନୂଆ ଦିଗ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବ୍ୟାପକ ସୁଯୋଗ ଉନ୍ମୁକ୍ତ କରିବ ଏବଂ ସେମାନଙ୍କ ବଡ଼ ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ । ଶେଷରେ ସେ ସମସ୍ତଙ୍କୁ ଜୟ ଜଗନ୍ନାଥ ଧ୍ୱନି ସହ ପାର୍ବଣର ଶୁଭକାମନା ଜଣାଇଥିଲେ । ‘‘ଆପଣମାନେ ଦେଖିବେ, ଓଡ଼ିଶା ମାଇନ୍ସ (ଖଣି) ଠାରୁ ନେଇ ମାଇକ୍ରୋଚିପ୍ ପର୍ଯ୍ୟନ୍ତ, ଭବିଷ୍ୟତରେ ଏକ ନୂତନ ଗାଥା ଲେଖିବାକୁ ଯାଉଛି,’’ ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ।










