27.1 C
Bhubaneswar
Saturday, October 24, 2026
Homeଓଡିଶାବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି

ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ବ୍ୟାପକ ପ୍ରସ୍ତୁତି

ସମସ୍ତ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଧନଜୀବନ କ୍ଷୟକ୍ଷତି ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୃଷି, ଶକ୍ତି, ମତ୍ସ୍ୟ ଓ ପ୍ରାଣୀସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସମ୍ପଦ ବିଭାଗ ସମେତ ଅଗ୍ନିଶମ ସେବା ଓ ଓଡ଼ିଶା ବିପର୍ଯ୍ୟୟ ଦ୍ରୁତ କାର୍ଯ୍ୟାନୁଷ୍ଠାନ ବାହିନୀ (ଓଡ୍ରାଫ୍)କୁ ସଜାଗ ରଖାଯାଇଛି। ଜରୁରିକାଳୀନ ପରିସ୍ଥିତିରେ ତ୍ୱରିତ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସୁନିଶ୍ଚିତ କରିବା ସହ ଆବଶ୍ୟକ ମାନବସମ୍ବଳ ଓ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଛି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ

ବାତ୍ୟା ଓ ବର୍ଷା ଯୋଗୁଁ ଫସଲର କ୍ଷୟକ୍ଷତି ହ୍ରାସ କରିବାକୁ କୃଷକମାନଙ୍କ ପାଇଁ ଆବଶ୍ୟକ ପରାମର୍ଶ ଜାରି କରାଯାଇଛି। ୮୦ରୁ ୮୫ ପ୍ରତିଶତ ପାଚିଥିବା ଧାନକୁ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା ସହ ଅମଳ ହୋଇଥିବା ଫସଲକୁ ପଲିଥିନ୍‌ରେ ଘୋଡ଼ାଇ ରଖିବାକୁ କୁହାଯାଇଛି। ଅତିରିକ୍ତ ବର୍ଷାଜଳ ନିଷ୍କାସନ ପାଇଁ ଜମିରେ ଥିବା ନାଳଗୁଡ଼ିକୁ ସଫା ରଖିବା ଏବଂ ସାର ଓ କୀଟନାଶକ ପ୍ରୟୋଗକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ପାଚିଥିବା ମକା, ମାଣ୍ଡିଆ, ମୁଗ, ବିରି, ଅନ୍ୟାନ୍ୟ ଡାଲିଜାତୀୟ ଫସଲ ଓ ଅମଳ ଉପଯୋଗୀ ପନିପରିବାକୁ ବର୍ଷା ପୂର୍ବରୁ ଅମଳ କରିବାକୁ କୁହାଯାଇଛି। ବର୍ଷା ପରେ ଜମିରୁ ଜଳ ନିଷ୍କାସନ, ପନିପରିବା ମାଞ୍ଚାକୁ ସୁଦୃଢ଼ କରିବା ଏବଂ ଫସଲରେ କୀଟ ଓ ରୋଗ ଚିହ୍ନଟ କରି ଉପଯୁକ୍ତ ଉପଚାର ଉପରେ ଗୁରୁତ୍ୱ ଦିଆଯାଇଛି।

ଶକ୍ତି ବିଭାଗ
ବାତ୍ୟା ମୁକାବିଲା ପାଇଁ ବିଦ୍ୟୁତ୍ ବିତରଣ ସଂସ୍ଥାଗୁଡ଼ିକୁ ବିପର୍ଯ୍ୟୟ ପରିଚାଳନା ଯୋଜନା ସକ୍ରିୟ କରିବା ସହ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍ ଲାଇନ୍‌ ନିକଟରେ ଥିବା ଗଛଡାଳ କାଟିବା ସହ ବିଦ୍ୟୁତ୍ ଖୁଣ୍ଟ, ଟ୍ରାନ୍ସଫର୍ମର, ତାର ଓ ଅନ୍ୟାନ୍ୟ ଆବଶ୍ୟକ ଯନ୍ତ୍ରପାତି ମହଜୁଦ ରଖାଯାଇଛି। GRIDCO, OPTCL, SLDC ଓ ବିଦ୍ୟୁତ୍ ବିତରଣ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ପାଇଁ GRIDCOକୁ କେନ୍ଦ୍ର କରି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ବିଦ୍ୟୁତ୍ ଯୋଗାଣ ବ୍ୟାହତ ହେବାର ଆଶଙ୍କା ହ୍ରାସ, ତ୍ୱରିତ ପୁନରୁଦ୍ଧାର ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ସହ ଯୋଗାଯୋଗ ଓ ପରିବହନ ସାମଗ୍ରୀ ମହଜୁଦ ରଖାଯାଇଛି।

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ
ସମୁଦ୍ରରେ ଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଅକ୍ଟୋବର ୨୪ ସୁଦ୍ଧା କୂଳକୁ ଫେରିଆସିବା ଏବଂ ଗଭୀର ସମୁଦ୍ରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଣୀ ଚିକିତ୍ସାଳୟ, ଡିସ୍ପେନ୍ସାରୀ ଓ ପ୍ରାଣୀ ସହାୟତା କେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଔଷଧ ମହଜୁଦ ରଖିବା ସହ ଗୋରୁଗାଈଙ୍କ ସୁରକ୍ଷା ଓ ଗୋଖାଦ୍ୟ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଓ ବ୍ଲକସ୍ତରରେ ପର୍ଯ୍ୟାୟକ୍ରମେ କଣ୍ଟ୍ରୋଲ ରୁମ୍ ପରିଚାଳନା ସହ ଜରୁରିକାଳୀନ ପ୍ରାଣୀ ଚିକିତ୍ସା ଔଷଧ ଓ ଟିକା ଉପଲବ୍ଧ ରଖାଯିବ। ଏଥିସହ ବ୍ଲକସ୍ତରରେ ଭେଟେରିନାରି ରାପିଡ୍ ରେସ୍ପନ୍ସ ଟିମ୍ ଗଠନ କରାଯିବାକୁ ବ୍ୟବସ୍ଥା ହୋଇଛି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ

ବିଭାଗ ପକ୍ଷରୁ ନିର୍ଦ୍ଧାରିତ ମାନକ ପରିଚାଳନା ପ୍ରକ୍ରିୟା (SOP) ଅନୁଯାୟୀ ପ୍ରସ୍ତୁତି ନିଆଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯିବା ସହ ବାତ୍ୟା ଓ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି। ଅନୁମତି ବିନା ଅଧିକାରୀମାନେ ମୁଖ୍ୟାଳୟ ଛାଡ଼ି ନ ଯିବାକୁ ନିର୍ଦ୍ଦେଶ ରହିଛି।
କଚ୍ଚାଘର ଓ ବିପଦପୂର୍ଣ୍ଣ ଗୃହରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ନିମ୍ନାଞ୍ଚଳରେ ଜଳଯୋଗାଣ ବ୍ୟବସ୍ଥା ଓ ପମ୍ପଗୁଡ଼ିକୁ ପ୍ରସ୍ତୁତ ରଖିବା ଏବଂ ରିଲିଫ୍ କରିଡରକୁ ଯାତାୟାତ ଉପଯୋଗୀ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ
ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ବାତ୍ୟା ଓ ବନ୍ୟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି। ଫ୍ଲଡ୍ ସେଲ୍ ଓ ଜିଲ୍ଲା ପ୍ରଶାସନ ସହ ନିୟମିତ ଯୋଗାଯୋଗ ରଖାଯାଇଛି। ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।ରାସ୍ତା ମରାମତି, ପଡ଼ିଥିବା ଗଛ ଓ ଆବର୍ଜନା ସଫା କରିବା, ବନ୍ଧର କ୍ଷତିଗ୍ରସ୍ତ ଅଂଶ ମରାମତି କରିବା ଏବଂ ଯୋଗାଯୋଗ ପଥ ପୁନରୁଦ୍ଧାର ପାଇଁ ଆବଶ୍ୟକ ମାନବସମ୍ବଳ, ଯନ୍ତ୍ରପାତି ଓ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି।

ଜଳସମ୍ପଦ ବିଭାଗ
ଜଳସମ୍ପଦ ବିଭାଗ ପକ୍ଷରୁ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଓ ନଦୀବନ୍ଧର ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ନଦୀବନ୍ଧର ସୁରକ୍ଷା, ଆବଶ୍ୟକ ସ୍ଥଳେ ଅତିରିକ୍ତ ଜଳ ନିଷ୍କାସନ ଏବଂ ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଉଛି।

ଅଗ୍ନିଶମ ସେବା
ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଅଗ୍ନିଶମ ସେବା ଟିମ୍‌ଗୁଡ଼ିକୁ ସଜାଗ ରଖାଯାଇଛି। ଉଦ୍ଧାରକାରୀ ଯନ୍ତ୍ରପାତି, ଇନଫ୍ଲେଟେବଲ୍ ବୋଟ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ସହ ତ୍ୱରିତ ସହାୟତା ଯୋଗାଇବା ପାଇଁ ଟିମ୍‌ଗୁଡ଼ିକ ପ୍ରସ୍ତୁତ ରହିଛନ୍ତି।

ଓଡ଼୍ରାଫ୍‌କୁ ହାଇ ଆଲର୍ଟ
ଓଡ଼୍ରାଫ୍‌ର ଭୁବନେଶ୍ୱରସ୍ଥିତ SAP ବିଲ୍ଡିଂର ତୃତୀୟ ମହଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି। ସମସ୍ତ ଓଡ଼୍ରାଫ୍ ୟୁନିଟ୍‌କୁ ଯେକୌଣସି ସମୟରେ ମୁତୟନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଛ କାଟିବା ଯନ୍ତ୍ର, ଟାୱାର ଲାଇଟ୍, ବୋଟ୍ ଓ ଅନ୍ୟାନ୍ୟ ଉଦ୍ଧାର ସାମଗ୍ରୀ ଯାଞ୍ଚ କରାଯାଇ ପ୍ରସ୍ତୁତ ରଖାଯାଇଛି। ସନ୍ଧାନ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଟିମ୍‌ଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ସମୟୋଚିତ ସ୍ଥାନାନ୍ତର ଓ ଉଦ୍ଧାର କାର୍ଯ୍ୟ ସୁନିଶ୍ଚିତ କରିବାକୁ ଜିଲ୍ଲା ପୋଲିସ ଓ ଓଡ଼୍ରାଫ୍ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା, ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking