ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ମସୁଦ୍ ପେଜେସ୍କିଆନ୍ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇସଲାମିକ ଗଣରାଜ୍ୟର ରାଷ୍ଟ୍ରପତି ଭାବେ ପେଜେସ୍କିଆନ୍ଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହି ଗସ୍ତବେଳେ ଇରାନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିପାରନ୍ତି। ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଓ ଇରାନ ବିରୋଧରେ ଆମେରିକାର ନୂତନ ଦଣ୍ଡାତ୍ମକ ଆର୍ଥିକ ପଦକ୍ଷେପ ମଧ୍ୟରେ ପେଜେସ୍କିଆନଙ୍କ ଏହି ଗସ୍ତ ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଶୁକ୍ରବାର ସନ୍ଧ୍ୟାରେ ମୋଦୀଙ୍କ ସହିତ ତାଙ୍କର ବୈଠକ ରହିଛି। ନୂଆଦିଲ୍ଲୀ ଆସିବା ପୂର୍ବରୁ, ପେଜେସ୍କିଆନ୍ ବ୍ରିକ୍ସର ଅର୍ଥନୈତିକ ସ୍ଥିରତା ବୃଦ୍ଧି ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ନୂତନ ବ୍ରିକ୍ସ ବ୍ୟାଙ୍କ ଦେଶଗୁଡ଼ିକୁ ଡଲାର ଉପରେ ନିର୍ଭରଶୀଳତାରୁ ମୁକ୍ତ କରିବା ଓ ଆମେରିକାର ପ୍ରାଧାନ୍ୟ ବିସ୍ତାର ବିରୋଧରେ ଛିଡ଼ା ହେବା ପାଇଁ ସୃଷ୍ଟି କରାଯାଇଥିଲା।
ଶନିବାରଠାରୁ ଭାରତ ଦ୍ୱାରା ଆୟୋଜିତ ଦୁଇ ଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଖାଦ୍ୟ, ଶକ୍ତି, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ହ୍ରାସ ଓ ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳରେ ସାମୂହିକ ସ୍ଥିରତା ବୃଦ୍ଧି ଉପରେ ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ରୁଷ-ୟୁକ୍ରେନ ଯୁଦ୍ଧ, ପଶ୍ଚିମ ଏସିଆ ସଙ୍କଟ, ବିଶେଷକରି ହର୍ମୁଜ୍ ପ୍ରଣାଳୀର ଅବରୋଧ ଓ ଟ୍ରମ୍ପ ପ୍ରଶାସନର ବାଣିଜ୍ୟ ଓ ଶୁଳ୍କ ନୀତିର ପ୍ରତିକୂଳ ପ୍ରଭାବର ସମ୍ମୁଖୀନ ହେଉଥିବା ବିଶ୍ୱ ଅର୍ଥନୀତିର ପୃଷ୍ଠଭୂମିରେ ନୂଆଦିଲ୍ଲୀରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି।










