ଭୁବନେଶ୍ୱର: ଲୋକସେବା ଭବନ ଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ବିଭାଗ କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧବ ଏବଂ ଫିଲିପାଇନ୍ସସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (IRRI)ର ମୁଖ୍ୟ ବୈଜ୍ଞାନିକ ଡ. ନେସେ ଶ୍ରୀନିବାସୁଲୁ ଓ ତାଙ୍କ ପ୍ରତିନିଧି ଦଳଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଟିମ୍ରେ IRRI ଓଡ଼ିଶାର ମୁଖ୍ୟ ଡ. ମୁକୁନ୍ଦ, ବୈଜ୍ଞାନିକ ଡ. ହମିଦା, ପ୍ରକଳ୍ପ ସଂଯୋଜକ ଡ. ପ୍ରିୟବ୍ରତ ରୟ ଏବଂ କୃଷି-ବ୍ୟବସାୟ ବିଶେଷଜ୍ଞ ଶ୍ରୀ ଜ୍ଞାନଦୀପ ପାଣ୍ଡିଆ ସାମିଲ ଥିଲେ।
ଏହି ବୈଠକରେ ଓଡ଼ିଶାର ଦେଶୀୟ ସ୍ୱତନ୍ତ୍ର କିସମ ଧାନ, ବିଶେଷ କରି ‘କଳାଜିରା’ ଧାନର ଚାଷ ବୃଦ୍ଧି, ମୂଲ୍ୟ ପ୍ରକ୍ରିୟାକରଣ ଏବଂ ବଜାର ପ୍ରସାର ପାଇଁ ନିଆଯାଉଥିବା ସ୍ୱତନ୍ତ୍ର ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ଅଧୀନରେ, କଳାଜିରା ଏବଂ କମ୍ ଗ୍ଲାଇସେମିକ ଇଣ୍ଡିକେଟର (Low-GI) ଯୁକ୍ତ ଧାନର ସ୍ୱାଭାବିକ ବାସ୍ନା ଓ ଗୁଣବତ୍ତା ବଜାୟ ରଖିବା ସହ ଭଙ୍ଗା ଚାଉଳରୁ (Broken Rice) ମୂଲ୍ୟବର୍ଦ୍ଧିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ‘ଇରି’ (IRRI) ବୈଷୟିକ ସହଯୋଗ ଯୋଗାଇଦେବ।
କଳାଜିରା ଧାନର ଚାଷ ପରିସର ବୃଦ୍ଧି ପାଇଁ ଏହାର ଉଚ୍ଚ ନୂନ୍ଯତମ ସହାୟକ ମୂଲ୍ୟ ଏବଂ ଲାଭଦାୟକ ବଜାର ଦରକୁ ଆଧାର କରି ଓଡ଼ିଶା ସରକାର ଏହାକୁ ଏକ ମଡେଲ ପ୍ରଦର୍ଶନ ପ୍ରକଳ୍ପ ଭାବେ ଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାଛଡ଼ା, ଚାଷୀମାନଙ୍କୁ ସୂକ୍ଷ୍ମ-ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ‘ଇରି’ ଆବଶ୍ୟକୀୟ ସହାୟତା ଯୋଗାଇଦେବ। ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଚାଉଳ କଳଗୁଡ଼ିକର ସୁଦୃଢ଼ୀକରଣ ସହ ଅରୁଆ ଚାଉଳ ମିଲ୍ ୟୁନିଟ୍ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯାଇଛି।
ଆଲୋଚନାରେ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପ୍ରଥମତଃ, IRRI ଟିମ୍ ଆଗାମୀ ଜାତୀୟସ୍ତରୀୟ କ୍ରେତା-ବିକ୍ରେତା ବ୍ୟବସାୟିକ ସମ୍ମିଳନୀ “Beyond the Bowl” ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ନିମନ୍ତ୍ରଣ କରିଥିଲେ। ଦ୍ୱିତୀୟତଃ, “ଧାନ ମୂଲ୍ୟ ସଂଯୋଜନ ମାଧ୍ୟମରେ ମହିଳା ଉଦ୍ୟୋଗୀକରଣର ବିକାଶ” ପ୍ରକଳ୍ପ ଅଧୀନରେ ଫିଲିପାଇନ୍ସର ବୈଜ୍ଞାନିକଙ୍କ ସହ ଅଭିଜ୍ଞତା ଆଦାନପ୍ରଦାନ କରାଯାଇଥିଲା। ଏହାଦ୍ୱାରା ମହିଳା ଉଦ୍ୟୋଗୀମାନଙ୍କୁ ସାହାଯ୍ୟ ମିଳିବ। ଏହି ସହଯୋଗ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଧାନକୁ ପ୍ରୋତ୍ସାହନ ଦେବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।










