28.1 C
Bhubaneswar
Monday, September 7, 2026
Homeଓଡିଶା୧୨ ବିଭାଗର ୧୮ ପ୍ରସ୍ତାବରେ କ୍ୟାବିନେଟ୍ ମୋହର

୧୨ ବିଭାଗର ୧୮ ପ୍ରସ୍ତାବରେ କ୍ୟାବିନେଟ୍ ମୋହର

‘ବିଦ୍ୟୁତ ସଞ୍ଚାରଣ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ୧୫,୯୮୪.୭୦ କୋଟି
– ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଶକ୍ତି କ୍ଷେତ୍ରରେ ସର୍ବବୃହତ୍ତ ଏକକ ପୁଞ୍ଜିନିବେଶ

ଭୁବନେଶ୍ୱର: ରାଜ୍ୟର ବିଦ୍ୟୁତ ସଞ୍ଚାରଣ ଭିତ୍ତିଭୂମିକୁ ସୁଦୃଢ଼ ଓ ସମ୍ପ୍ରସାରିତ କରିବା ପାଇଁ ଓଡ଼ିଶା ସରକାର ୧୫,୯୪୮.୭୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ତାହା ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଶକ୍ତି କ୍ଷେତ୍ରରେ ସର୍ବବୃହତ୍ତ ଏକକ ପୁଞ୍ଜିନିବେଶ। ଏହି ଐତିହାସିକ ପଦକ୍ଷେପ ଯୋଗୁଁ ଓଡ଼ିଶାର ଦୀର୍ଘମିଆଦୀ ଅର୍ଥନୈତିକ ଏବଂ ନିରନ୍ତର ବିକାଶ ସମ୍ଭବ ହେବ। ଏନେଇ ଶକ୍ତି ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧୨ ବିଭାଗର ୧୮ ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଏଥିରେ ଅର୍ଥ ବିଭାଗର ଆଇନ, କୃଷି ଓ କୃଷକ ସଶକ୍ତିକରଣ, ଜଳସମ୍ପଦ, ଶକ୍ତି, ସାଧାରଣ ପ୍ରଶାସନ ବିଭାଗ ଅନ୍ତର୍ଭୁକ୍ତ। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡ଼ିଶାର ବିଦ୍ୟୁତ ସଞ୍ଚାରଣ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଓଡ଼ିଶା ବିଦ୍ୟୁତ ବ୍ୟବସ୍ଥାରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ଟ୍ରାନ୍ସମିସନ ଭିତ୍ତିଭୂମି ନିବେଶ ଅନୁମୋଦନ ହୋଇଛି। ରାଜ୍ୟ ସରକାର ପ୍ରଥମ ଥର ପାଇଁ ୭୬୫ କେଭି ଟ୍ରାନ୍ସମିସନ ନେଟୱାର୍କ ସ୍ଥାପନ କରୁଛନ୍ତି। ଶିଳ୍ପ ଅଭିବୃଦ୍ଧି, ଘରୋଇ ଚାହିଦା ଏବଂ ଅକ୍ଷୟ ଶକ୍ତିର ସମନ୍ୱୟ ପାଇଁ ଖୁଟୁଣୀ, ଡୁବୁରି ଏବଂ କୋଲାବିରା ଠାରେ ତିନୋଟି ନୂତନ ୭୬୫ କେଭି ଗ୍ରୀଡ଼ ସବ୍‌-ଷ୍ଟେସନ ସ୍ଥାପନ କରାଯିବ। ସେହିପରି ବର୍ତ୍ତମାନ ଓଡ଼ିଶାରେ ୫ଟି ୪୦୦ କେଭି ଗ୍ରୀଡ୍ ସବ୍‌-ଷ୍ଟେସନ କାର୍ଯ୍ୟକ୍ଷମ ଥିବା ବେଳେ ୬ଟି ୪୦୦ କେଭି ଗ୍ରୀଡ୍ ସବ୍‌?-ଷ୍ଟେସନ ନିର୍ମାଣାଧୀନ ରହିଛି। କାଂସବାହାଲ ଓ ଟିଟିଲାଗଡ ଠାରେ ଆଉ ଦୁଇଟି ଗ୍ରୀଡ୍ ସବ୍ -ଷ୍ଟେସନ ଅନୁମୋଦନ ହେବା ଫଳରେ ଓଡ଼ିଶାରେ ମୋଟ ୪୦୦ କେଭି ଗ୍ରୀଡ୍ ସବ୍ -ଷ୍ଟେସନ ସଂଖ୍ୟା ୫ ରୁ ବୃଦ୍ଧି ପାଇ ୧୩ରେ ପହଞ୍ଚିବ । ଏହାଦ୍ୱାରା ଓପିଟିସିଏଲ୍ ର ୪୦୦ କେଭି ନେଟୱାର୍କ ଝାରସୁଗୁଡା ରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ୨୦୨୪ ସୁଦ୍ଧା ଓଡ଼ିଶାରେ ୪୮ଟି ୨୨୦ କେଭି ଗ୍ରୀଡ୍ ସବ୍‌-ଷ୍ଟେସନ ଥିବା ବେଳେ ବିଗତ ୨ ବର୍ଷ ମଧ୍ୟରେ ୬ଟି ନୂତନ ୨୨୦ କେଭି ଗ୍ରୀଡ଼ ସବ୍‌?-ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛି ଏବଂ ଆଉ ୧୧ଟି ନିର୍ମାଣାଧୀନ ରହିଛି। ଆଜି କ୍ୟାବିନେଟରେ ଆଉ ୧୦ଟି ଗ୍ରୀଡ଼ ସବ୍‌-ଷ୍ଟେସନ ଅନୁମୋଦନ ହେବା ଫଳରେ, ୨୨୦ କେଭି ଗ୍ରୀଡ୍ ସବ୍ -ଷ୍ଟେସନ ସଂଖ୍ୟା ୪୮ ରୁ ୭୫କୁ ବୃଦ୍ଧି ପାଇବ। ଏହା ଫଳରେ ରାଉରକେଲା, ସମ୍ବଲପୁର ଓ ବରଗଡ଼ରେ ୨୨୦ କେଭି ରିଙ୍ଗ୍ ନେଟୱାର୍କ କାର୍ଯ୍ୟକ୍ଷମ ହୋଇପାରିବ। ଭୁବନେଶ୍ୱରରେ ଏହିଭଳି ୨୨୦ କେଭି ରିଙ୍ଗ୍ ନେଟୱାର୍କ ମାର୍ଚ୍ଚ ୨୦୨୬ରେ ସମ୍ପୂର୍ଣ୍ଣ ହୋଇସାରିଛି। ଅନ୍ୟପକ୍ଷରେ ହୀରାକୁଦ ଓ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ (ଫ୍ଲୋଟିଂ ସୋଲାର) ଏବଂ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଭୂମି-ଭିତ୍ତିକ ସୌର ପ୍ରକଳ୍ପଗୁଡ଼ିକରୁ ବିଦ୍ୟୁତ ନିଷ୍କାସନ ପାଇଁ ଉପଯୁକ୍ତ ନେଟୱାର୍କ ସୃଷ୍ଟି ହୋଇପାରିବ। କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର କରାଯାଇ ଟ୍ରାନ୍ସମିସନ ଲାଇନଗୁଡ଼ିକର ଉନ୍ନତ ଯାଞ୍ଚ ଏବଂ ପୂର୍ବାନୁମାନ ଭିଭିକ ରକ୍ଷଣାବେକ୍ଷଣ କରାଯିବ। ବର୍ଷିତ ବିଦ୍ୟୁତ ଚାହିଦା ପୂରଣ ପାଇଁ ୭୯ଟି ସବ୍‌-ଷ୍ଟେସନର ଆଧୁନିକୀକରଣ ଓ ଉନ୍ନତୀକରଣ କରାଯିବ। ଓପିଟିସିଏଲ୍ ନିଜର ଟ୍ରାନ୍ସଫର୍ମେସନ କ୍ଷମତାକୁ ୨୯,୮୮୯ ଏମଭିଏରୁ ୬୩,୩୬୪ ଏମଭିଏକୁ ବୃଦ୍ଧି କରି ଦ୍ୱିଗୁଣିତ କରିବ। ଉକ୍ତ ନେଟୱାର୍କକୁ ରିମୋଟ ପରିଚାଳନା ମାଧ୍ୟମରେ ନିୟନ୍ତ୍ରଣ କରାଯିବ। ଏହା ଭୁବନେଶ୍ୱର, ବ୍ରହ୍ମପୁର, ଝାରସୁଗୁଡ଼ା ଏବଂ ବାଲେଶ୍ୱରସ୍ଥିତ ଚାରୋଟି ନିୟନ୍ତ୍ରଣ କେନ୍ଦ୍ରରୁ ଓଡ଼ିଶାର ନେଟୱାର୍କକୁ ରିମୋଟ୍ ନିରୀକ୍ଷଣ ତଥା ପରିଚାଳନା କରିବ ବୋଲି ଶ୍ରୀମତୀ ଗର୍ଗ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking