28.1 C
Bhubaneswar
Monday, September 7, 2026
Homeଓଡିଶାଜେଜେ (JJ) ଆଇନର ଏକ ଦଶନ୍ଧି: ଶିଶୁ ସୁରକ୍ଷା, ଥଇଥାନ ଓ ନିବାରଣ ଉପରେ ଓଡ଼ିଶାରେ...

ଜେଜେ (JJ) ଆଇନର ଏକ ଦଶନ୍ଧି: ଶିଶୁ ସୁରକ୍ଷା, ଥଇଥାନ ଓ ନିବାରଣ ଉପରେ ଓଡ଼ିଶାରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରଠାରେ “ଜୁଭେନାଇଲ୍ ଜଷ୍ଟିସ୍ (ପିଲାମାନଙ୍କର ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫: କାର୍ଯ୍ୟକାରିତାର ଏକ ଦଶନ୍ଧି ଏବଂ ଆଗାମୀ ପନ୍ଥା” ଶୀର୍ଷକ ଏକ ରାଜ୍ୟସ୍ତରୀୟ ଅଂଶୀଦାରମାନଙ୍କ ଦ୍ୱାରା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନନୀୟ ବିଚାରପତି ହରିଶ ଟଣ୍ଡନ; ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜୁଭେନାଇଲ୍ ଜଷ୍ଟିସ୍ କମିଟିର ଅଧ୍ୟକ୍ଷା ମାନନୀୟା ବିଚାରପତି ସାବିତ୍ରୀ ରଥୋ; ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ; ଏବଂ ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସ୍ ମୁଖ୍ୟ ଶ୍ରୀ ପ୍ରଶାନ୍ତ ଦାଶଙ୍କ ସମେତ ବରିଷ୍ଠ ନ୍ୟାୟିକ ଅଧିକାରୀ, ସରକାରୀ ଅଧିକାରୀ, ପୋଲିସ ଅଧିକାରୀ, ଶିଶୁ ଅଧିକାର ବିଶେଷଜ୍ଞ ଏବଂ ସିଭିଲ୍ ସୋସାଇଟି ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନନୀୟ ବିଚାରପତି ହରିଶ ଟଣ୍ଡନ କିଶୋର ନ୍ୟାୟ ପ୍ରକ୍ରିୟାରେ ନିବାରଣ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, “କିଶୋର ନ୍ୟାୟର କେନ୍ଦ୍ରବିନ୍ଦୁରେ ନିବାରଣ ରହିବା ଆବଶ୍ୟକ। ଆମେ ତୃଣମୂଳ ସ୍ତରରେ ଥିବା ଦୁର୍ବଳତାଗୁଡ଼ିକର ସମାଧାନ କରିବା ଉଚିତ୍ ଯାହାଦ୍ୱାରା ପିଲାମାନେ ଆଇନ ସହ ସଂଘର୍ଷରେ ନଆସନ୍ତି କିମ୍ବା ଆନୁଷ୍ଠାନିକ ଯତ୍ନର ପରିସରଭୁକ୍ତ ନହୁଅନ୍ତି।”

ଉଦଘାଟନୀ ଅଧିବେଶନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜୁଭେନାଇଲ୍ ଜଷ୍ଟିସ୍ କମିଟିର ଅଧ୍ୟକ୍ଷା ମାନନୀୟା ବିଚାରପତି ସାବିତ୍ରୀ ରଥୋ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲଙ୍କ ଦ୍ୱାରା ଜେଜେ (JJ) ଆଇନ ଏବଂ ଓଡ଼ିଶାରେ ଏହାର କାର୍ଯ୍ୟକାରିତା ଉପରେ ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରାଯାଇଥିଲା। ଏଥିସହ ୟୁନିସେଫ୍ ଓଡ଼ିଶାର ମୁଖ୍ୟ ଫିଲ୍ଡ ଅଫିସର ପ୍ରଶାନ୍ତ ଦାଶ ଦଶ ବର୍ଷର କାର୍ଯ୍ୟକାରିତା ଏବଂ ନିବାରଣମୂଳକ ଆଭିମୁଖ୍ୟ ଉପରେ ନିଜର ମତ ରଖିଥିଲେ।

ବୈଷୟିକ ଆଲୋଚନାଗୁଡ଼ିକ ଚାରୋଟି ପ୍ୟାନେଲ୍ ଆଲୋଚନା ମାଧ୍ୟମରେ ଆୟୋଜିତ ହୋଇଥିଲା, ଯେଉଁଥିରେ ଶିଶୁ ସୁରକ୍ଷା ଏବଂ କିଶୋର ନ୍ୟାୟର ପ୍ରମୁଖ ଦିଗଗୁଡ଼ିକୁ ସାମିଲ କରାଯାଇଥିଲା।

ପ୍ରଥମ ପ୍ୟାନେଲ୍ “ଆଇନ ସହ ସଂଘର୍ଷରେ ଥିବା ଶିଶୁମାନଙ୍କର ଅଧିକାର” ଉପରେ ଆଲୋକପାତ କରିଥିଲା, ଯେଉଁଥିରେ ଜଘନ୍ୟ ଅପରାଧଗୁଡ଼ିକରେ ପ୍ରାଥମିକ ଆକଳନ, ତଥା ଥଇଥାନ ବିଷୟ ଅନ୍ତର୍ଭୁକ୍ତ ଥିଲା। ଡ. କଳ୍ପନା ପୁରୁଷୋତ୍ତମନ୍ ଫ୍ୟାସିଲିଟେଟର ଭାବରେ କାର୍ଯ୍ୟ କରିଥିବା ବେଳେ ଏହି ପ୍ୟାନେଲରେ ଓଡ଼ିଶା ପୋଲିସର କ୍ରାଇମ ଏଗେନ୍‌ଷ୍ଟ ୱିମେନ୍ ଏବଂ ଚିଲ୍ଡ୍ରେନ୍ ୱିଙ୍ଗର ଏଡିଜି ସୁଶ୍ରୀ ସାଇନି ଏସ; ଖୋର୍ଦ୍ଧା ଶିଶୁ ଅଦାଲତର ଏଡିଜେ-କମ୍-ପି.ଓ. ଶ୍ରୀ ହର ପ୍ରସାଦ ପଟ୍ଟନାୟକ; ରାୟଗଡ଼ା ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ପ୍ରିନ୍ସିପାଲ୍ ମାଜିଷ୍ଟ୍ରେଟ୍ ତଥା ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ଶ୍ରୀ ଆଶିଷ ପଟ୍ଟନାୟକ; ୟୁନିସେଫ୍ ର ଶିଶୁ ସୁରକ୍ଷା ବିଶେଷଜ୍ଞ ଶ୍ରୀ ମନନ ବିଶ୍ୱାସ; ଏବଂ ସମ୍ବଲପୁରର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ସୁସ୍ମିତା ପଟ୍ଟନାୟକ ସାମିଲ ଥିଲେ।

ଦ୍ୱିତୀୟ ପ୍ୟାନେଲରେ ଶିଶୁ କଲ୍ୟାଣ ସମିତିର କାର୍ଯ୍ୟକାରିତା, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଶିଶୁମାନଙ୍କର ଥଇଥାନ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା। ସୁଶ୍ରୀ ନିମିଷା ଶ୍ରୀବାସ୍ତବ ଏଥିରେ ରିସୋର୍ସ ପର୍ସନ ଭାବେ ଯୋଗ ଦେଇଥିଲେ। ପ୍ୟାନେଲରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଡ. ଏନ୍. ଥିରୁମାଲା ନାୟକ, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଶ୍ରୀ ବ୍ରତତୀ ହରିଚନ୍ଦନଙ୍କ ସମେତ ପୋଲିସ ଓ ଶିଶୁ ସୁରକ୍ଷା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ତୃତୀୟ ପ୍ୟାନେଲରେ ପରିବାରକୁ ସୁଦୃଢ଼ କରିବା, ପୋଷ୍ୟ ସନ୍ତାନ ଗ୍ରହଣ (Adoption) ଏବଂ ଫୋଷ୍ଟର କେୟାର ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀ ପ୍ରଭାତ କୁମାରଙ୍କ ଦ୍ୱାରା ପରିଚାଳିତ ଏହି ଆଲୋଚନାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ବବିତା ପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ସୁଶ୍ରୀ ମୋନିଷା ବାନାର୍ଜୀ ଏବଂ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି. ପ୍ରମୁଖ ସାମିଲ ଥିଲେ।

ଚତୁର୍ଥ ପ୍ୟାନେଲରେ ଶିଶୁମାନଙ୍କ ପ୍ରତି ହେଉଥିବା ଅପରାଧର ନିରାକରଣ, ପୋଲିସ ଓ କୋର୍ଟର ଶିଶୁ-ଅନୁକୂଳ ପ୍ରକ୍ରିୟା ଏବଂ ପୀଡ଼ିତଙ୍କୁ ଆଇନଗତ ସହାୟତା ବିଷୟରେ ଆଲୋଚନା କରାଯାଇଥିଲା। ଏହି ପ୍ୟାନେଲରେ ପଦ୍ମଶ୍ରୀ ସୁନିତା କ୍ରିଷ୍ଣନ, ଆଇଜି ଡ. ଉମାଶଙ୍କର ଦାଶ ଏବଂ POCSO ଆଇନ ସହ ଜଡିତ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।

ଏହି ପରାମର୍ଶ ବୈଠକରେ ମୁଖ୍ୟତଃ ଜୁଭେନାଇଲ୍ ଜଷ୍ଟିସ୍ (ଶିଶୁ ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ ମାଧ୍ୟମରେ ଆସିଥିବା ବ୍ୟାପକ ସଂସ୍କାର ଉପରେ ଆଲୋକପାତ କରାଯାଇଥିଲା। ଶିଶୁ କଲ୍ୟାଣ ସମିତି (CWC) ଏବଂ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ (JJB) ଗୁଡିକୁ ମଜବୁତ କରିବା ସହ ‘ମିଶନ୍ ବାତ୍ସଲ୍ୟ’ ଅଧୀନରେ ସମସ୍ତ ସେବାକୁ ଏକାଠି କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଜିକାଲି ଦେଖାଦେଉଥିବା ନୂତନ ବିପଦ ଯଥା – ସାଇବର ଅପରାଧ (Cybercrime), ଅନଲାଇନ୍ ଶୋଷଣ, ମାନବ ଚାଲାଣ, ଏବଂ ନିଶାଦ୍ରବ୍ୟ ସେବନ ରୁ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥାର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ କର୍ମଚାରୀମାନଙ୍କର ଦକ୍ଷତା ବିକାଶ ଆବଶ୍ୟକ ବୋଲି ଉପସ୍ଥିତ ପ୍ରତିନିଧିମାନେ ମତବ୍ୟକ୍ତ କରିଛନ୍ତି।

ଶେଷରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର କିଶୋର ନ୍ୟାୟ କମିଟିର ସଦସ୍ୟ ବିଚାରପତି ଏମ୍.ଏସ୍. ରମଣ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନନୀୟ ମୁଖ୍ୟ ବିଚାରପତି ଏବଂ ଉପସ୍ଥିତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ସମେତ ସମସ୍ତ ଅଂଶଗ୍ରହଣକାରୀ ଏବଂ ହିତାଧିକାରୀମାନଙ୍କୁ ସେମାନଙ୍କର ସକ୍ରିୟ ସହଯୋଗ ଏବଂ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking