କଟକ: କଟକ ଏସସିବିରେ ଦେଢକୋଟି ଟଙ୍କା କେଳେଙ୍କାରୀ ମାମଲା ଏସସିବି ଅଧୀକ୍ଷକଙ୍କ ଚାମ୍ବରରେ ଖୋଳତାଡ କରୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅଡିଟ ଟିମ ଏହି ଘଟଣାରେ ପୂର୍ବରୁ ଡାଟା ଏଣ୍ଟ୍ରି ଅପରେଟର ଦୀନେଶ ରାଉତ ଗିରଫ ହୋଇଥିଲେ । ଏଯାଏଁ ପ୍ରାୟ ୨୦୦ କର୍ମଚାରୀଙ୍କ ସାଲାରି ଆକାଉଣ୍ଟ ସହ ନିଜ ଆକାଉଣ୍ଟକୁ ଅଭିଯୁକ୍ତ ଦୀନେଶ ବ୍ୟବହାର କରିଥିବା ତଥ୍ୟ ପୋଲସକୁ ଏସସିବି କର୍ତ୍ତୃପକ୍ଷ ଦେଇଛନ୍ତି । ଏ ସମ୍ପର୍କରେ ଏସସିବି ସୁପରିଣ୍ଟେଣ୍ଡେଣ୍ଟ ଗତ ୨୬ ତାରିଖରେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ଏଜିଙ୍କ ଅଫିସରେ ଅଡିଟ ସମୟରେ ୧ କୋଟି ୪୦ ଲକ୍ଷ ଟଙ୍କା କର୍ମଚାରୀଙ୍କ ଏରିଅର ଓ ଦରମା ହେରଫେର ଅଭିଯୋଗ ପରେ ଖୋଳତାଡ ହୋଇଥିଲା । ଏହାର ତଦନ୍ତ ପାଇଁ ଆଜି ୨ ଜଣିଆ ଟିମ ଏସସିବି ଆସି କାଗଜପତ୍ର ଯାଞ୍ଚ ସହ ଅଧିକ ତଦନ୍ତ ଜାରି ରଖିଥିବା ଏସସିବି କୂଳସଚିବ ସୁବାଷ ଚନ୍ଦ୍ର ରାୟ କହିଛନ୍ତି । ଅନ୍ୟପଟେ ତଦନ୍ତ କରୁଥିବା ସଦସ୍ୟ କହିଛନ୍ତି ବର୍ତ୍ତମାନ ଯାଞ୍ଚ ଚାଲିଛି । ଯାଞ୍ଚ ସରିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।










