ପୁରୀ : ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅର୍ଥାତ ପବିତ୍ର ଜନ୍ମାଷ୍ଟମୀ। ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ଆଜି ସଂଧ୍ୟା ଆଳତି ସମୟରେ ଠାକୁରଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯିବ।ସଂନ୍ଧ୍ଯାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଟେରା ବନ୍ଧା ହେବା ପରେ ମହାପ୍ରଭୁଙ୍କ ନିକଟରେ ଯେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯିବ। ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିବେ। ପୂଜାପଣ୍ଡା ସେବାୟତ ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରିବେ। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ। ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବକୀ ରୂପ ଧାରଣ କରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ଏହି ଯେଉଡ ପ୍ରସାଦ ଲାଗି କରାଯାଇଥାଏ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।ସେହିପରି ମହାପ୍ରଭୁଙ୍କର ଏହା ଗୁପ୍ତନୀତି ହୋଇଥିବାରୁ ସଂଧ୍ୟା ୭ଟାରୁ ରାତି ୧୨ ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।










