ଭୁବନେଶ୍ୱର : ବିଜେପି ବେପାରୀଙ୍କ ଦଳ। ବାରମ୍ବାର ଏଇ କଥାର ପ୍ରମାଣ ଖୋଦ୍ ତାଙ୍କ ସରକାରର ମନ୍ତ୍ରୀମାନେ ଦେଉଛନ୍ତି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ଉଦ୍ୟୋଗପତି ସୁଭାଷ ଚନ୍ଦ୍ରାଙ୍କ ୨୨ ହଜାର କୋଟିର ଋଣଛାଡ଼ କରିବାର ସପ୍ତାହେ ଯାଇନି, ଓଡ଼ିଶାର କୃଷିମନ୍ତ୍ରୀ କହୁଛନ୍ତି, କୃଷି ଋଣ ଛାଡ଼ କରିବା ନିୟମ ସରକାରଙ୍କ ନାହିଁ। ବନ୍ୟାରେ ଚାଷୀକୂଳର ମେରୁଦଣ୍ଡ ଭାଙ୍ଗିଯାଉଛି, ତେଣୁ ଋଣଛାଡ଼ ପାଇଁ ଦାବି ହେବାରୁ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ଛାଷୀମାନଙ୍କୁ ଛିଗୁଲେଇକି କହିଛନ୍ତି, କୋଷ୍ଟାଲ ବେଲ୍ଟରେ ଚାଷକାମ ଆରମ୍ଭ ହୋଇ ନ ଥିଲା। ଯଦି ଚାଷୀଙ୍କ ପାଇଁ ଋଣଛାଡ଼ କରିବାର ବ୍ୟବସ୍ଥା ନାହିଁ, ଉଦ୍ୟୋଗପତିଙ୍କ ପାଇଁ କାହିଁକି ଋଣ ଛାଡ଼ କରୁଛ ବୋଲି ଶ୍ରୀ ଦାସ ତାଙ୍କୁ ପ୍ରଶ୍ନ କରିଛନ୍ତି।
ଅନ୍ୟ ପକ୍ଷରେ ଏମଏମଡିଆର ପ୍ରସଙ୍ଗରେ ବିଜେଡି ସହ ମିଶି କାହିଁକି କଂଗ୍ରେସ ଆନ୍ଦୋଳନ କରୁନି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଁଥିଲେ, ଆଗ ବିଜେଡି ଗମ୍ଭୀରତାର ସହ ଏହି ପ୍ରସଙ୍ଗକୁ ନେଉ! ସେମାନେ ଏଯାଏ କେବଳ ମତମନ୍ତବ୍ୟ ଓ ଚିଠିପତ୍ରରେ ସୀମିତ ରଖିଛନ୍ତି ତାଙ୍କ ପ୍ରତିବାଦକୁ। କଂଗ୍ରେସ, ଇଣ୍ଡିଆ ବ୍ଲକ୍ର ସମସ୍ତ ସମଭାବାପନ୍ନ ଦଳକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓ ଆଗକୁ ଅର୍ଥନୈତିକ ଅବରୋଧ ଓ ଓଡ଼ିଶା ବନ୍ଦ ଭଳି କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି କରୁଛି। ଏମଏମଡିଆର ବିରୋଧରେ ଲଢ଼ିବାକୁ ହେଲେ ପ୍ରଥମେ ବିଜେପି ପ୍ରତି ଭୟଭାବ ମନରୁ ଦୂର କରିବାକୁ ହେବ ବୋଲି ଶ୍ରୀ ଦାସ କହିଥିଲେ। ଗତ ରାଜ୍ୟସଭା ନିର୍ବାଚନ ବେଳେ ଆକଳନଠାରୁ ଅଧିକ ବିଜେଡି ବିଧାୟକ କ୍ରସ୍-ଭୋଟିଂ କରିଥିବା ଏହାର ସୂଚନା ଦିଏ ବୋଲି ସେ କହିଥିଲେ। ଯଦି ସବୁ ଦଳ ମନରୁ ଭୟଭାବ ଦୂର କରି ଏକାଠି ଲଢ଼ିବେ, ଏମଏମଡିଆର ସଂଶୋଧନ ରଦ୍ଦ କରିବାକୁ କେନ୍ଦ୍ର ବାଧ୍ୟ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
କଂଗ୍ରେସରୁ ନିଲମ୍ବିତ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୌସ ଆସନ୍ତା ନିର୍ବାଚନରେ ଓଜେସିରୁ ଲଢ଼ିବା ପ୍ରସଙ୍ଗରେ ଶ୍ରୀ ଦାସ କହିଛନ୍ତି, ଯଦି ଅନ୍ୟ କୌଣସି ଦଳରୁ ଲଢ଼ିବେ ବୋଲି ସୋଫିଆ ନିଷ୍ପତ୍ତି ନେଇସାରିଛନ୍ତି, ସେ କଂଗ୍ରେସରୁ ଇସ୍ତଫା ଦେଇଦେବା ଉଚିତ। ଗୋଟିଏ ଦଳ ଚିହ୍ନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ବେଳେ ଅନ୍ୟ ଦଳରୁ ନିର୍ବାଚନ ଲଢ଼ିବା କଥା କହିବା ଉଚିତ ନହେଁ। ଯଦିଓ ସେ ନିଜେ ଏହି ବିଷୟରେ କିଛି କହିନାହାନ୍ତି। ଯଦି ସେ କଂଗ୍ରେସ ଦଳକୁ ରିଜେକ୍ଟ କରିସାରିଛନ୍ତି, ଅନ୍ୟ ଦଳକୁ ଚାଲିଯିବା ଉଚିତ। ସୂଚନାଯୋଗ୍ୟ, ଗତକାଲି ଓଜେସି ସଭାପତି ତଥା ସୋଫିଆଙ୍କ ବାପା ମହମ୍ମଦ ମୋକିମ କହିଥିଲେ, ସୋଫିଆ ୨୦୨୯ରେ ୨୦୨୯ରେ ଓଜେସିରୁ ଲଢ଼ିବେ।










