ନୂଆଦିଲ୍ଲୀ: ପ୍ରକୃତିର ତାଣ୍ଡବରେ ଛାରଖାର ହୋଇଛି ନେପାଳ । ଆକସ୍ମିକ ବନ୍ୟା ଯୋଗୁଁ ଦେଶର ଜଳ ବିଦ୍ୟୁତ ପ୍ରକଳ୍ପଗୁଡିକ ଉପରେ ପଡିଛି ବଡ ପ୍ରଭାବ । ଅନେକ ପ୍ରକଳ୍ପ କ୍ଷତିଗ୍ରସ୍ତ ହେବାରୁ ପ୍ରାୟ ୫୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା କମିଯାଇଛି । ଏଭଳି ସ୍ଥିତିରେ ନେପାଳର ସହୟତା ପାଇଁ ଆଗେଇ ଆସିଛି ଭାରତ । ନେପାଳରେ ବିଦ୍ୟୁତ ଅଭାବ ଦେଖାଦେଲେ ଭାରତ ଆବଶ୍ୟକତା ଅନୁସାରେ ଏତିରିକ୍ତ ବିଦ୍ୟୁତ ଯୋଗାଇବାକୁ ପ୍ରସ୍ତୁତ ରହିଛି । ଏହାଦ୍ୱାରା ବନ୍ୟା ପରେ ନେପାଳର ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବାରେ ସହାୟତା ମିଳିବ । ବନ୍ୟା ଯୋଗୁଁ ଜଳ ବିଦ୍ୟୁତ ଉତ୍ପାଦନରେ ହୋଇଥିବା ହ୍ରାସକୁ ଦୃଷ୍ଟିରେ ରଖି ନେପାଳ ଭାରତଠାରୁ ଅତିରିକ୍ତ ବିଦ୍ୟୁତ ଆମଦାନୀ ପାଇଁ ଅନୁମତି ବଢାଇବାକୁ ଅନୁରୋଧ କରିଛି । ଭାରତର ବିଦ୍ୟୁତ ମନ୍ତ୍ରଣାଳୟ ଅଧିକାରୀଙ୍କ ଅନୁସାରେ ନେପାଳର ଚାହିଦା ଅନୁସାରେ ବିଦ୍ୟୁତ ଯୋଗାଇ ଦିଆଯିବ । ଭାରତୀୟ ଅଧିକାରୀରୀଙ୍କ କହିବା ଅନୁସାରେ ନେପାଳକୁ ଅତିରିକ୍ତ ବିଦ୍ୟୁତ ଯୋଗାଇଲେ ମଧ୍ୟ ଭାରତର ବିଦ୍ୟୁତ ଯୋଗାଣ ଉପରେ ବଡ ପ୍ରଭାବ ପଡିବ ନାହିଁ । ଦେଶର ମଜଭୁତ ପାୱାର ଗ୍ରିଡ ଓ ପର୍ଯ୍ୟାପ୍ତ ଉତ୍ପାଦନ କ୍ଷମତା ଯୋଗୁଁ ଏହି ଅତିରିକ୍ତ ଚାହିଦାକୁ ପୂରଣ କରାଯାଇପାରିବ । ସୂଚନା ଥାଉକି, ଅଗଷ୍ଟ ୨୬ରେ ତ୍ରିଶୂଳୀ ଓ ଲେଣ୍ଡେ ଖୋଲା ନଦୀ ଅବବାହିକାରେ ହଠାତ ବନ୍ୟା ଆସିଥିଲା । ଏହାର ପ୍ରଭାବରେ ନେପାଳର ରସୁୱା ନୁୱାକୋଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଜଳବିଦ୍ୟୁତ ପ୍ରକଳ୍ପର କାର୍ଯ୍ୟ ଠପ ହୋଇଯାଇଛି । ବନ୍ୟାରେ ନେପାଳର ୯ଟି ଜଳ ବିଦ୍ୟୁତ ପ୍ରକଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି ।










