ନୂଆଦିଲ୍ଲୀ: ଲଗାତାର ବିଫଳତା ପରେ ପୁଣିଥରେ ବଡ଼ ମିସନ୍ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ । ପ୍ରାୟ ୮ ମାସ ପରେ ଲଞ୍ଚପ୍ୟାଡ୍କୁ ଫେରିଛି ଇସ୍ରୋ । ଆସନ୍ତା ସେପ୍ଟେମ୍ବର ୪ ତାରିଖ ଭୋର ସମୟରେ ଏକ ମହତ୍ତ୍ୱାକାଂକ୍ଷୀ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍କୁ ମହାକାଶକୁ ପଠାଇବାକୁ ଯୋଜନା ରହିଛି ।ଇସ୍ରୋ ମୁଖ୍ୟ ଡକ୍ଟର ଭି. ନାରାୟଣନଙ୍କ ସୂଚନା ଅନୁସାରେ, ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକଲ୍ GSLV-F17 ରକେଟ୍ ଜରିଆରେ ସାଟେଲାଇଟ୍କୁ ମହାକାଶକୁ ପଠାଯିବ । ଏହି ମିସନ୍କୁ ନେଇ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ପୃଥିବୀଠାରୁ ପ୍ରାୟ ୩୬ ହଜାର କିଲୋମିଟର ଉଚ୍ଚତାରେ ରହି ଦେଶ ଉପରେ ନିରନ୍ତର ନଜର ରଖିବା ଭଳି ଭାବେ ଏହି ସାଟେଲାଇଟ୍କୁ ଡିଜାଇନ୍ କରାଯାଇଛି । ଆର୍ଥ ଅବଜର୍ଭେସନ୍ କ୍ଷେତ୍ରରେ ଏହି ମିସନ୍କୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।
ଡକ୍ଟର ଭି. ନାରାୟଣନଙ୍କ ସୂଚନା ଅନୁସାରେ, ଏବେଠାରୁ ୨୦୨୭ ମାର୍ଚ୍ଚ ମଧ୍ୟରେ ଇସ୍ରୋ ପକ୍ଷରୁ ୭ଟି ଉତ୍କ୍ଷେପଣ କରିବାକୁ ଯୋଜନା ରହିଛି । ଏଥିରେ ଭାରତର ବହୁ ପ୍ରତୀକ୍ଷିତ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମ ‘ଗଗନଯାନ’ର G1 ମିସନ୍ ମଧ୍ୟ ସାମିଲ ରହିଛି । G1 ମିସନ୍ ଅଧୀନରେ ପ୍ରଥମ ମାନବରହିତ ଉଡ଼ାଣ କରାଯିବ । ଗତ କିଛି ସମୟ ଧରି PSLVର ଲଗାତାର ବିଫଳତା ଇସ୍ରୋ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏବେ ନୂଆ ମିସନ୍ ସହ ମହାକାଶ ଅଭିଯାନକୁ ପୁଣି ଗତି ଦେବାକୁ ଇସ୍ରୋ ପ୍ରସ୍ତୁତ ହେଉଛି । ସେପ୍ଟେମ୍ବର ୪ର ଉତ୍କ୍ଷେପଣ ଉପରେ ଏବେ ସମସ୍ତଙ୍କ ନଜର ।










