30.1 C
Bhubaneswar
Friday, August 28, 2026
Homeଓଡିଶାବିନା ଆଲୋଚନାରେ ପାର୍ଲାମେଣ୍ଟରେ ପାରିତ ଏମଏମଡିଆର ଆକ୍ଟ ଓଡ଼ିଶାର ହକ୍ ଓ ଖଣିଜ ସମ୍ପଦ ପାଇଁ...

ବିନା ଆଲୋଚନାରେ ପାର୍ଲାମେଣ୍ଟରେ ପାରିତ ଏମଏମଡିଆର ଆକ୍ଟ ଓଡ଼ିଶାର ହକ୍ ଓ ଖଣିଜ ସମ୍ପଦ ପାଇଁ କ୍ଷତିକାରକ: ବିଜେଡି

ଭୁବନେଶ୍ବର : ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଭଳି ଏକ କଳା ଆଇନକୁ ବିନା ଆଲୋଚନାରେ ପାର୍ଲ୍ୟାମେଣ୍ଟରେ ପାରିତ କରାଯାଇଛି। ଯାହାକି ଓଡ଼ିଶାର ଅନେକ କ୍ଷତି କରୁଛି। ଏନେଇ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବିଜେଡି ପକ୍ଷରୁ ପୁଣି ଦାବି ହୋଇଛି। ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ସାଧାରଣ ସମ୍ପାଦକ ଶ୍ରୀ ସାରଦା ପ୍ରସନ୍ନ ଜେନା ଓ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି।ବିଧାୟକ ଶ୍ରୀ ଜେନା କହିଛନ୍ତି ଯେ, ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଦ୍ୱାରା ଓଡିଶାବାସୀଙ୍କ ହକକୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି। ଡବଲ ଇଞ୍ଜିନ ସରକାର ପାଲ୍ୟମେଣ୍ଟରେ ବିନା ଆଲୋଚନାରେ ଏହାକୁ ପାରିତ କରାଇଛନ୍ତି। ଯାହାକୁ ନେଇ ଓଡ଼ିଶା ବିଧାନସଭାରେ ଆଲୋଚନା ଆବଶ୍ୟକ ଅଟେ। ତେଣୁକରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୂଖ୍ୟମନ୍ତ୍ରୀଙ୍କୁ ପତ୍ର ଯୋଗେ ଜଣାଇଥିଲେ। କିନ୍ତୁ ଉକ୍ତ ପ୍ରସଙ୍ଗରେ ରାଜ୍ୟ ସରକାର ପ୍ରତିକ୍ରିୟା ଶୂନ୍ୟ ରହିଛନ୍ତି। ଏ ବାବଦରେ ଆଲୋଚନା କରିବାକୁ ବିଜେଡି ପକ୍ଷରୁ ପୁଣି ଦାବି ଉପସ୍ଥାପନ କରାଯାଇଛି। ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାରରେ ସବୁବେଳେ ଓଡ଼ିଶାର ସ୍ୱାର୍ଥ ହାନି ହୋଇଛି। କେନ୍ଦ୍ର ସରକାର ରାଜ୍ୟର ହକ୍ ଛଡାଇ ନେଉଥିବା ବେଳେ ରାଜ୍ୟ ସରକାର ଚୁପ୍ ରହିଛନ୍ତି। ରତ୍ନଗର୍ଭା ଓଡ଼ିଶାର ଖଣିଜ ସମ୍ପଦ ଉପରେ ଡବଲ ଇଞ୍ଜିନ ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି। ଯାହାକୁ ନେଇ ଉକ୍ତ କଳା ଆଇନ ଲାଗୁ କରିଛନ୍ତି। ପ୍ରତି ବର୍ଷ ରାଜ୍ୟର ୧୧,୦୦୦ରୁ ୧୫, ୦୦୦ କୋଟି ଟଙ୍କାର ଖଣିଜ ସମ୍ପଦର ରାଜସ୍ୱ ହାନି ଘଟିବ। ରାଜ୍ୟ ସରକାର ଓଡ଼ିଶାର ସମସ୍ତ ଖଣିଜ ସମ୍ପଦର ଅଧିକାର କେନ୍ଦ୍ର ସରକାରଙ୍କ ହାତକୁ ଟେକି ଦେଇଛନ୍ତି।

ତେଣୁକରି ଏ ସଂକ୍ରାନ୍ତରେ ବିଧାନସଭାରେ ଆଲୋଚନା ଆବଶ୍ୟକତା ରହିଛି। ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିବା ବେଳେ ବିଜେପି ସରକାର ପ୍ରସଙ୍ଗକୁ ଏଡାଇ ଦେବାକୁ ପ୍ରଚେଷ୍ଠା କରୁଛନ୍ତି। ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି ବୋଲି ମତପ୍ରକାଶ କରିଛନ୍ତି। ରାଜ୍ୟ ମାନେ ଖଣିଜ ପଦାର୍ଥ ଉପରୁ ଲେଭି ଓ ଟ୍ୟାକ୍ସ ଆଦାୟ କରିପାରିବେ। କିନ୍ତୁ ତାହାକୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣକୁ ନେଇ ରାଜ୍ୟ ସରକାରଙ୍କ ହକକୁ ଛଡ଼ାଇ ନେଇଛନ୍ତି। ରାଜ୍ୟର ୧ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବକେୟା ରାଜସ୍ୱ ମଧ୍ୟ ଆଦାୟ ହୋଇ ପାରିଲାନାହିଁ। ରାଜ୍ୟ ସରକାର ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାରଙ୍କ ନିକଟରେ ସମର୍ପିତ କରିଛନ୍ତି। ଓଡ଼ିଶାର ଅନେକ କ୍ଷତି ହେଉଥିବା ବେଳେ ବିଜେପିର ୨୦ଜଣ ସାଂସଦ ଓ ରାଜ୍ୟସଭା ସାଂସଦ ମାନେ ପାର୍ଲ୍ୟାମେଣ୍ଟରେ ଚୁପ ବସି ରହିଲେ। ଯାହାକି ବିଜେପିର ଦୋମୁହାଁ ନିତି ଅଟେ। ଆଦିବାସୀ ମୁଖ୍ୟମନ୍ତ୍ରୀ କରି ଓଡିଶାର ଖଣିଜ ସମ୍ପଦ ଲୁଟିବାକୁ ବିଜେପି ଯୋଜନା କରିଛି। ଡବଲ ଇଞ୍ଜିନ ସରକାରରୁ ଓଡ଼ିଶାବାସୀ କଣ ପାଇଲେ ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟବାସୀଙ୍କ ଅଧିକାରକୁ ଡବଲ ଇଞ୍ଜିନ ସରକାର ଅପହରଣ କରିଛି। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ପୁର୍ବରୁ ଲଢେଇ କରିଛି। ଆଗକୁ ମଧ୍ୟ ଏନେଇ ଲଢେଇ ଜାରି ରଖିବ ବୋଲି କହିଛନ୍ତି। ସମସ୍ତ ବିରୋଧି ଦଳ, ବୁଦ୍ଧିଜୀବୀ, ଜନସାଧାରଣ ଏକତ୍ରିତ ହୋଇ ରାଜ୍ୟର ସ୍ଵାର୍ଥ ପାଇଁ ଲଢେଇ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି।

ସେହିପରି ମୁଖପାତ୍ର ଶ୍ରୀ ପଣ୍ଡା କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରରେ ରାଜ୍ୟର ବିକାଶ ହେବା ବଦଳରେ ଡବଲ କ୍ଷତି ହେବାରେ ଲାଗିଛି। ପୂର୍ବରୁ କେନ୍ଦ୍ରୀୟ ଅନୁଦାନକୁ କେନ୍ଦ୍ର ସରକାର ପ୍ରତି ବର୍ଷ କାଟିବାରେ ଲାଗିଥିଲେ। ବର୍ତ୍ତମାନ ସମୟରେ ରାଜ୍ୟର ରାଜସ୍ୱକୁ କେନ୍ଦ୍ର ସରକାର ହଡ଼ପ କରିବାକୁ ଯୋଜନା କରୁଛନ୍ତି। ଏମଏମଡିଆର ଆକ୍ଟ ଜରିଆରେ ରାଜ୍ୟର ହକକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି। ଓଡିଶାର ଆଶା ଓ ଆକାଂକ୍ଷାକୁ ଡବଲ ଇଞ୍ଜିନ ସରକାର ଧୂଳିସାତ୍ କରିଛନ୍ତି। ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ସବୁଠୁ କମ ଋଣ କରିଥିବା ରାଜ୍ୟ ଭାବେ ସାରା ଦେଶରେ ପରିଚିତ ଥିଲା। ସୁନ୍ଦର ଭାବରେ ଆର୍ଥିକ ପରିଚାଳନ କରି ରାଜସ୍ୱ ବଳକା ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହେଉଥିଲା। କିନ୍ତୁ ବର୍ତ୍ତମାନ ତାହା ଧୂଳିସାତ୍ ହୋଇଯାଇଛି। ଓଡ଼ିଶାର ସ୍ୱାର୍ଥକୁ ଡବଲ ଇଞ୍ଜିନ ସରକାର ଭୁଲି ଯାଇ ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ନିଜର ଖଣିଜ ସମ୍ପଦର ରାଜସ୍ଵକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ। ଏହାପରେ କେନ୍ଦ୍ର ସରକାରଙ୍କ ଅନୁଦାନକୁ ରାଜ୍ୟ ସରକାର ହାତ ଟେକି ଅପେକ୍ଷା କରି ରହିଥିବେ। ଏମଏମଡିଆର ଆକ୍ଟ ନେଇ ରାଜ୍ୟବାସୀ ଚିନ୍ତିତ ଥିବା ବେଳେ ଏ ବାବଦରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ଦେବାର ଆବଶ୍ୟକତା ରହିଛି। ରାଜ୍ୟର ଖଣିଜ ସମ୍ପଦର କ୍ଷତି କେଉଁଠୁ ରାଜ୍ୟ ସରକାର ଭରଣା କରିବେ ସେନେଇ ରାଜ୍ୟବାସୀଙ୍କୁ ଜଣାନ୍ତୁ। ଓଡ଼ିଶା ଏତେ ବଡ କ୍ଷତି ସହିବାକୁ ଥିବା ବେଳେ ପୂର୍ବତନ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜଣାଇବା ପରେ ମଧ୍ୟ ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ଡାକିଲେ ନାହିଁ। ତେଣୁକରି ମୁଖ୍ୟମନ୍ତ୍ରୀ ଚୁପ ନରହି ଏ ସଂକ୍ରାନ୍ତରେ ଜଣାନ୍ତୁ ବୋଲି କହିଛନ୍ତି। ଓଡ଼ିଆ ଅସ୍ମିତାର ନାରା ଦେଉଥିବା ବିଜେପି ସରକାର ଓଡ଼ିଶାକୁ ରସା ତଳକୁ ନେଇଗଲେଣି। ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ଅଧିକାର ଛଡ଼ାଇ ନେଉଛନ୍ତି। ଏନେଇ ବିଜେଡି ପକ୍ଷରୁ ଲଢେଇ ଜାରି ରହିବ ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking