ଢାକା: ବାଂଲାଦେଶରେ ଜଣେ ହିନ୍ଦୁ ପରିବାରର ୪ ଜଣ ସଦସ୍ୟଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ବନ୍ଦ ଘର ଭିତରୁ ବାପା, ମାଆ ଓ ସେମାନଙ୍କ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର ହୋଇଛି। ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ।ପ୍ରାଥମିକ ସୂଚନା ଅନୁଯାୟୀ, ପରିବାରର ଘରଟି ବନ୍ଦ ଥିବା ଦେଖି ସନ୍ଦେହ ହେବା ପରେ ଘର ଖୋଲି ଯାଞ୍ଚ କରାଯାଇଥିଲା। ଏହି ସମୟରେ ଘରର ବିଭିନ୍ନ ସ୍ଥାନରୁ ୪ ଜଣଙ୍କ ମୃତଦେହ ମିଳିଥିଲା।
ଘରର ସିଡ଼ି ନିକଟରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଛାତ ଉପରୁ ବାପାଙ୍କ ମୃତଦେହ ମିଳିଥିଲା। ସେହିପରି ଖଟ ତଳୁ ନାବାଳକ ପୁଅର ମୃତଦେହ ଉଦ୍ଧାର କରାଯାଇଛି।ଘଟଣା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପରିବାରର ୪ ଜଣଙ୍କୁ କିଏ ଓ କାହିଁକି ହତ୍ୟା କଲା, ସେନେଇ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଘଟଣାର ପ୍ରକୃତ କାରଣ ଓ ହତ୍ୟାକାଣ୍ଡ ପଛରେ କାହାର ସମ୍ପୃକ୍ତି ରହିଛି, ତଦନ୍ତ ପରେ ସ୍ପଷ୍ଟ ହେବ।










