ପୁରୀ : ପେଟ ପୋଷିବା ପାଇଁ ଘର ଛାଡ଼ି ପ୍ରବାସ ଯାଇଥିଲେ । ଅଧିକ ରୋଜଗାର ଆଶାରେ ମତ୍ସ୍ୟଜୀବୀ ଭାବେ କେରଳ ଯାଇଥିଲେ । ହେଲେ ମାତ୍ର ୧୦ ଦିନ ପରେ ନିଜ ଗାଁକୁ ଜୀବନ୍ତ ଫେରିଲେ ନାହିଁ । ଶେଷରେ ଫେରିଛି ତାଙ୍କ ମୃତଦେହ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଖିରିସାହି ଗାଁରୁ ଆସିଛି ଏଭଳି ହୃଦୟବିଦାରକ ଖବର । ମୃତକ ହେଉଛନ୍ତି ଖିରିସାହି ଗାଁର ରାଜା ବେହେରା । ପରିବାରର ଆର୍ଥିକ ସ୍ଥିତି ସୁଧାରିବା ସହ ଅଧିକ ରୋଜଗାର ଆଶାରେ ମାତ୍ର ୧୦ ଦିନ ତଳେ ସେ ଘରୁ ବାହାରି କେରଳ ଯାଇଥିଲେ । ସେଠାରେ ଏକ ମାଛଧରା ବୋଟ୍ରେ କାମ କରି ଗଭୀର ସମୁଦ୍ରକୁ ଯାଇଥିଲେ । କିନ୍ତୁ ମାଛ ଧରୁଥିବା ସମୟରେ ଘଟିଯାଇଥିଲା ଅଘଟଣ । ଗଭୀର ସମୁଦ୍ରରେ ରାଜାଙ୍କ ମୃତ୍ୟୁ ହୋଇଥିବା ଖବର ଗାଁରେ ପହଞ୍ଚିବା ପରେ ପରିବାର ଉପରେ ଭାଙ୍ଗିପଡ଼ିଛି ଦୁଃଖର ପାହାଡ଼ । ଯେଉଁ ପୁଅ ଘରର ଆର୍ଥିକ ଭାର କମାଇବା ପାଇଁ ପ୍ରବାସ ଯାଇଥିଲେ, ସେହି ପୁଅର ମୃତଦେହ ଫେରିବା ଖବର ପରିବାରକୁ ସ୍ତବ୍ଧ କରିଦେଇଛି । ଏହି ଘଟଣା ପୁଣିଥରେ ଚିଲିକା ଓ ଏହାର ଆଖପାଖ ଅଞ୍ଚଳର ଦାଦନ ସମସ୍ୟାକୁ ସାମ୍ନାକୁ ଆଣିଛି । ପ୍ରତିବର୍ଷ ନିର୍ଦ୍ଦିଷ୍ଟ ସମୟରେ ଅଧିକ ରୋଜଗାର ଆଶାରେ ଏହି ଅଞ୍ଚଳରୁ ହଜାର ହଜାର ମତ୍ସ୍ୟଜୀବୀ ଓ ଶ୍ରମିକ ପ୍ରବାସକୁ ଯାଆନ୍ତି । ଜୀବିକା ପାଇଁ ଘରଠାରୁ ଶହ ଶହ କିଲୋମିଟର ଦୂରକୁ ଯିବାକୁ ପଡ଼ୁଥିବା ବେଳେ ଏଭଳି ଦୁର୍ଘଟଣା ସେମାନଙ୍କ ପରିବାର ଉପରେ ଅକସ୍ମାତ ବିପଦ ଆଣିଦେଉଛି ।ରାଜାଙ୍କ ପରିବାର ଏବେ ଗୋଟିଏ ବଡ଼ ସମସ୍ୟାରେ । ଦୂର କେରଳରୁ ରାଜାଙ୍କ ମର ଶରୀର କିପରି ନିଜ ଗାଁକୁ ଫେରିବ, ସେନେଇ ପରିବାର ଚିନ୍ତାରେ ।










