ନୂଆଦିଲ୍ଲୀ: ସଂପ୍ରତି ସ୍ବଚ୍ଛ ବାୟୁ, ବିଶୁଦ୍ଧ ଜଳ ଓ ସୁଷମ ଖାଦ୍ୟ ମିଳିବା କଷ୍ଟକର ହୋଇଛି। ମଣିଷ ଅପମିଶ୍ରିତ ଖାଦ୍ୟ ଖାଇ ରୋଗାକ୍ରାନ୍ତ ହେଉଛି। ବ୍ୟାଧି ଉପଶମ ପାଇଁ ଯେଉଁ ଔଷଧକୁ ଭରସା କରୁଛି, ତାହା ଏବେ ଅଧିକାଂଶ ନକଲି କିମ୍ବା ନିର୍ଦ୍ଧାରିତ ମାନଦଣ୍ଡର ମିଳି ପାରୁ ନଥିବା ଦେଖାଯାଉଛି। ଫଳରେ ଯନ୍ତ୍ରଣାରେ ଜର୍ଜରିତ ହୋଇ ଅନେକ ରୋଗୀ ପ୍ରାଣ ହରାଉଛନ୍ତି। କିଛି ଦିନ ରକ୍ତଚାପ ନିୟନ୍ତ୍ରଣ ପାଇଁ ସେବନ କରାଯାଉଥିବା ଏକ ଔଷଧ କିଭଳି ନକଲି ତାହା ଜଣାପଡିଥିଲା। ନିକଟରେ ଗର୍ଭ ଯନ୍ତ୍ରଣା ଉପଶମ ଔଷଧ ନେଇ ରାଜସ୍ଥାନର ଅନେକ ପ୍ରସୂତି ପ୍ରାଣ ହରାଇଥିବା ଖବର ଆସିଥିଲା। ଆଉ ଏବେ ସାରା ଦେଶରେ ୨୮୦ ପ୍ରକାରର ଔଷଧ ନମୁନା ପରୀକ୍ଷଣରେ ଅସଫଳ ହୋଇଛି। ଅର୍ଥାତ୍ ଏହା ଆବଶ୍ୟକ ମାନଦଣ୍ଡ ପୂରଣ କରିପାରି ନଥିବା ଜଣାପଡିଛି।
ଏହା ସ୍ବାସ୍ଥ୍ୟସେବା ପ୍ରତି ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରୁଛିି। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ(ସିଡିଏସସିଓ)ର ଯାଞ୍ଚରେ ଏହି ଔଷଧ ଗୁଡ଼ିକ ନିର୍ଦ୍ଧାରିତ ଗୁଣବତ୍ତା(ଏନଏସକ୍ୟୁ) ପୂରଣ କରିପାରିନାହାନ୍ତି। ତେବେ ଗୋଟିଏ ଔଷଧର ନମୁନା ନକଲି ଥିବା ଜଣାପଡ଼ିଛି। ଗତ ଜୁଲାଇରେ ଏହି ସବୁ ଔଷଧର ପରୀକ୍ଷଣ ହୋଇଥିଲା। କେନ୍ଦ୍ରୀୟ ପରୀକ୍ଷାଗାରରେ ୪୦ ନମୁନା ଓ ରାଜ୍ୟରେ ୨୪୦ ନମୁନା ନିର୍ଦ୍ଧାରିତ ମାନର ନ ଥିଲା। ଏ ସବୁରେ ଅତ୍ୟଧିକ ବ୍ୟବହାର ହେଉଥିବା ପାରାସିଟାମଲ, ମେଟାଫରମିନ କମ୍ବୋସ (ମଧୁମେହ), ଆମୋକ୍ସିନ ଫର୍ମୁଲେସନ (ଆଣ୍ଟିବାୟୋଟିକ୍ସ), ଭିଟାମିନ ସପ୍ଲିମେଣ୍ଟ ଓ କଫ ସିରପ ସାମିଲ ଥିଲା। ଗର୍ଭ ଯନ୍ତ୍ରଣା ଉପଶମ କରୁଥିବା ଓକ୍ସିଟୋସିନ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଚଣ୍ଡିଗଡ଼ ରିଜିଓନାଲ ଡ୍ରଗ ଟେଷ୍ଟିଂ ଲାବୋରାଟୋରିରେ ଏହାର ଯାଞ୍ଚ ହୋଇଥିଲା। ଏହି ଔଷଧକୁ ଅମୃତସର ସ୍ଥିତ ଜ୍ୟାକସନ ଲାବୋରାଟୋରିଜ ପ୍ରସ୍ତୁତ କରିଥିଲା। କିଛି ଦିନ ତଳେ ଏହି ଔଷଧ ଖାଇ ରାଜସ୍ଥାନ କୋଟାରେ ଅନେକ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ଏହାକୁ ନେଇ ଓକ୍ସିଟୋସିନ ପ୍ରସ୍ତୁତକାରୀ ଜ୍ୟାକସନ କମ୍ପାନୀ ଯାଞ୍ଚ ପରିସରରେ ଆସିଥିଲା।
ସିଡିଏସସିଓର ରେକର୍ଡରୁ ଜଣାପଡ଼ିଛି ଯେ ଏହି ଔଷଧର ହାଇପର୍ଫମାନ୍ସ ଲିକ୍ବିଡ କ୍ରୋମାଟୋଗ୍ରାଫି (ଏଚପିଏଲସି) ଓ କଣିକାଗୁଡ଼ିକ ଭାରତୀୟ ଫାର୍ମାକୋପିଆ (ଆପି) ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି। ଜୁନରେ ହୋଇଥିବା ପରୀକ୍ଷଣରୁ ଜଣାପଡିଥିଲା ଯେ କମ୍ପାନୀର ଅକ୍ସିଟୋସିନ୍ ବ୍ରାଣ୍ଡ୍ ‘ଟୋସିନ୍’ରେ ସକ୍ରିୟ ଉପାଦାନ ନଥିଲା। ଏହା ସଂକ୍ରମିତ ରୋଗୀଙ୍କ ବୃକକ ନଷ୍ଟ ହେବାର ସମ୍ଭାବ୍ୟ ଆଶଙ୍କାକୁ ବଢ଼ାଇ ଦେଇଥିଲା। ଏହା ସତ୍ତ୍ବେ ବିଭିନ୍ନ କାରଣରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ଦର୍ଶାଇ ଥିଲେ। ଏହା ବ୍ୟତୀତ ଓପିଓଏଡ୍-ଆଧାରିତ ଯନ୍ତ୍ରଣା ନିବାରକ ତଥା ପେନକିଲର ବୁପ୍ରେନର୍ଫାଇନ୍ ଇଞ୍ଜେକ୍ସନର ଏକ ନମୁନା ନକଲି ଥିବା ଚିହ୍ନଟ ହୋଇଥିଲା। ଏହି ନମୁନା ବିହାରରୁ ସଂଗ୍ରହ କରାଯାଇଥିଲା। ଅନ୍ୟ ଏକ କମ୍ପାନୀ ଏହାକୁ ବଜାରକୁ ଛାଡ଼ିଥିବା ଜଣା ପଡ଼ିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ନିର୍ଦିଷ୍ଟ ବ୍ୟାଚର ଔଷଧ ଏହି ପରୀକ୍ଷଣରେ ଫେଲ ହୋଇଥିଲା। ବଜାରରେ ଉପଲବ୍ଧ ଅନ୍ୟ ଔଷଧକୁ ନେଇ ଚିନ୍ତାର କୌଣସି କାରଣ ନାହିଁ।










