ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ଲଗାଣ ବର୍ଷା ଓ ଖରାପ ପାଗ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟର ଅନେକ ଅଞ୍ଚଳରେ ତଳିଆ ସ୍ଥାନରେ ପାଣି ଜମିଥିବା ବେଳେ ଲୋକେ ଜଳବନ୍ଦୀ ହୋଇପଡ଼ିଛନ୍ତି । ଏହାରି ମଧ୍ୟରେ କୋଲକାତାର ଜୋରବାଗାନ ଅଞ୍ଚଳରେ ଏକ ପୁରୁଣା ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଜଣେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି ।ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଜୋରବାଗାନ ଅଞ୍ଚଳର ୩୧ ନମ୍ବର ବ୍ରଜଦୁଲାଲ ଷ୍ଟ୍ରିଟ୍ରେ ଏହି ଅଘଟଣ ଘଟିଛି । ପ୍ରାୟ ୨୦୦ ବର୍ଷ ପୁରୁଣା କୋଠାଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଦୁର୍ଘଟଣାରେ ଉର୍ମିଳା ସାହୁ ନାମକ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । କୋଠା ଭୁଶୁଡ଼ିବା ପରେ ପ୍ରାୟ ୨୦ ଜଣ ଲୋକ ଭିତରେ ଫସିଥିବା ସୂଚନା ମିଳିଥିଲା । ଘଟଣାସ୍ଥଳକୁ ଯିବା ପାଇଁ ଗୋଟିଏ ମାତ୍ର ରାସ୍ତା ଥିବାରୁ ଉଦ୍ଧାରକାର୍ଯ୍ୟରେ ସମସ୍ୟା ଦେଖାଦେଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପଛପଟ ଦ୍ୱାର ଦେଇ ପ୍ରାୟ ୧୬ ଜଣଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।










