୮ମ ବେତନ କମିସନକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ମଧ୍ୟରେ ବଢ଼ିଛି ଆଶା । ବେତନ, ପେନସନ ଓ ଭତ୍ତାରେ ବଡ଼ ପରିବର୍ତ୍ତନ ନେଇ କର୍ମଚାରୀ ସଂଗଠନଗୁଡ଼ିକ ଦାବି ରଖିଛନ୍ତି । ବିଶେଷ କରି ଫିଟମେଣ୍ଟ ଫ୍ୟାକ୍ଟର ୩.୮୩ କରିବାକୁ ଦାବି ହେଉଛି । ତେବେ ଏହା ଏପର୍ଯ୍ୟନ୍ତ ସରକାରୀ ଭାବେ ଚୂଡ଼ାନ୍ତ ହୋଇନାହିଁ । ଫିଟମେଣ୍ଟ ଫ୍ୟାକ୍ଟର ହେଉଛି ଏକ ଗୁଣକ, ଯାହା ଆଧାରରେ ପୁରୁଣା ମୂଳ ବେତନକୁ ନୂଆ ବେତନ ଢାଞ୍ଚାରେ ପରିଣତ କରାଯାଏ । ବର୍ତ୍ତମାନ ୭ମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ ରହିଛି । ଏହା ଫଳରେ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ମୂଳ ବେତନ ୬ମ ବେତନ କମିଶନର ୭ ହଜାର ଟଙ୍କାରୁ ବଢ଼ି ୧୮ ହଜାର ଟଙ୍କା ହୋଇଥିଲା । ଏବେ ଯଦି ୮ମ ବେତନ କମିଶନରେ ଦାବି ଅନୁସାରେ ଫିଟମେଣ୍ଟ ଫ୍ୟାକ୍ଟର ୩.୮୩ ହୁଏ, ତେବେ ୧୮ ହଜାର ଟଙ୍କାର ବର୍ତ୍ତମାନ ସର୍ବନିମ୍ନ ମୂଳ ବେତନ ଗଣନା ଅନୁସାରେ ପ୍ରାୟ ୬୮,୯୪୦ ଟଙ୍କା, ଅର୍ଥାତ୍ ପ୍ରାୟ ୬୯ ହଜାର ଟଙ୍କା ହୋଇପାରେ ।
ତେବେ ଏହାକୁ ଏବେଠାରୁ ନିଶ୍ଚିତ ବେତନ ବୋଲି ଧରିନେବା ଠିକ୍ ହେବ ନାହିଁ। ୮ମ ବେତନ କମିସନ ନିଜ ସୁପାରିସ ଦେବା ପରେ ଏବଂ ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ହିଁ ପ୍ରକୃତ ବେତନ ବୃଦ୍ଧିର ଚିତ୍ର ସ୍ପଷ୍ଟ ହେବ । ଆଉ ଯଦି ପୂର୍ବ ବେତନ କମିଶନଗୁଡ଼ିକୁ ଦେଖିବା, ୧୯୪୬ରେ ପ୍ରଥମ ବେତନ କମିଶନ ସମୟରେ ସର୍ବନିମ୍ନ ମୂଳ ବେତନ ଥିଲା ମାସିକ ୫୫ ଟଙ୍କା । ୨ୟ ବେତନ କମିଶନରେ ଏହା ୮୦ ଟଙ୍କା, ୩ୟରେ ୧୯୬ ଟଙ୍କା, ୪ର୍ଥରେ ୭୫୦ ଟଙ୍କା ଏବଂ ୫ମ ବେତନ କମିଶନରେ ୨,୫୫୦ ଟଙ୍କାକୁ ବୃଦ୍ଧି ପାଇଥିଲା । ୬ମ ବେତନ କମିଶନରେ ସର୍ବନିମ୍ନ ମୂଳ ବେତନ ୭ ହଜାର ଟଙ୍କା ଏବଂ ୭ମ ବେତନ କମିଶନରେ ଏହା ୧୮ ହଜାର ଟଙ୍କା ହୋଇଥିଲା । ଏବେ ନଜର ୮ମ ବେତନ କମିଶନ ଉପରେ—କର୍ମଚାରୀଙ୍କ ଦାବି ପୂରଣ ହେବ କି, ନା ଫିଟମେଣ୍ଟ ଫ୍ୟାକ୍ଟର ନେଇ ଆସିବ ଅନ୍ୟ କୌଣସି ନିଷ୍ପତ୍ତି, ତାହା ଉପରେ ସମସ୍ତଙ୍କ ନଜର ।










