ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କନ୍ତିଓ ପୁଟସାହି ଗାଁ ନିକଟ କାଜୁ ଜଙ୍ଗଲରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି । ମୃତ ମହିଳା ହେଲେ କନ୍ତିଓ ପୁଟସାହି ଗାଁର ସଂଯୁକ୍ତା ସାହୁ ।ସୂଚନା ଅନୁସାରେ, ଗତକାଲି ସଂଯୁକ୍ତା ଧାନ ତଳି ଲଗାଇବା ପାଇଁ ଶ୍ରମିକ ଠିକ୍ କରିବାକୁ ଘରୁ ବାହାରିଥିଲେ । ହେଲେ ଏହାପରେ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବିଳମ୍ବିତ ରାତି ଯାଏଁ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ ।ଆଜି ସକାଳୁ ଗାଁ ନିକଟ କାଜୁ ଜଙ୍ଗଲରୁ ସଂଯୁକ୍ତାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା । ଏହାପରେ ଘଟଣାକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ସେପଟେ, ପରିବାର ଲୋକେ ଜଣେ ଯୁବକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ପରିବାରର ଅଭିଯୋଗ ଅନୁସାରେ, ସଂପୃକ୍ତ ଯୁବକ ସଂଯୁକ୍ତାଙ୍କଠାରୁ ଟଙ୍କା ନେଇଥିଲେ । ଏହି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ବିବାଦରୁ ସଂଯୁକ୍ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟା ପଛର ପ୍ରକୃତ କାରଣ ଏବଂ ଘଟଣାରେ କାହାର ସଂପୃକ୍ତି ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।










