30.1 C
Bhubaneswar
Wednesday, August 12, 2026
Homeଓଡିଶାଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ ଜାରି

ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ଚାଷୀ ପଞ୍ଜିକରଣ ଜାରି

ଏପର୍ଯ୍ୟନ୍ତ ପଞ୍ଜିକରଣ କଲେଣି ପ୍ରାୟ ୮୫ ହଜାର ଚାଷୀ

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟାକୁ ସ୍ୱଚ୍ଛ, ସହଜ ଓ ସରଳ କରିବା ନିମନ୍ତେ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଜାରି ରହିଥିବା ପ୍ରକ୍ରିୟାରେ ପ୍ରାୟ ୮୫ ହଜାର ଚାଷୀ ନିଜର ପଞ୍ଜିକରଣ କରାଇସାରିଲେଣି । ବର୍ତ୍ତମାନ ରାଜ୍ୟରେ ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୬ ତାରିଖରୁ ଜାରି ରହିଛି ଏବଂ ଏହା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ବର୍ତ୍ତମାନ ଜାରି ରହିଥିବା ପଞ୍ଜିକରଣ ପ୍ରକ୍ରିୟାରେ ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି (PACS), ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ଏବଂ ପାଣି ପଞ୍ଚାୟତରେ ପଞ୍ଜିକରଣ କରିପାରିବେ । ବିନା ଶୁଳ୍କରେ ଚାଷୀମାନଙ୍କୁ ଏହି ପଞ୍ଜିକରଣ ଫର୍ମ ପ୍ରଦାନ କରାଯିବ । ସଂପୃକ୍ତ ଚାଷୀମାନେ ସେମାନଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସବୁକ, ଜମି ରେକର୍ଡ, ଆବଶ୍ୟକ ସ୍ଥଳେ ଜମି ମାଲିକଙ୍କ ସମ୍ମତି ପତ୍ର ମଧ୍ୟ ଦାଖଲ କରିବେ । ପଞ୍ଜିକରଣର ସମୟରେ ସୋସାଇଟି ଚାଷୀଙ୍କ ଆଧାର ନମ୍ବର ଓ ମୋବାଇଲ ନଂ P-PAS ରେ ଦାଖଲ କରିବେ । ସୋସାଇଟି ଆଇରିସ ସ୍କାନର ମାଧ୍ୟମରେ ଇ- କେୱାଇସି ପ୍ରକ୍ରିୟା ଆରମ୍ଭ କରିବା ସହ ଚାଷୀଙ୍କର ପଞ୍ଜିକରଣ ପ୍ରକ୍ରିୟାକୁ ସମାପ୍ତ କରିବେ ।

ଚଳିତ ବର୍ଷର ବ୍ୟବସ୍ଥା ଅନୁଯାୟୀ ସମ୍ପୃକ୍ତ ସୋସାଇଟିର କର୍ମଚାରୀ ମାନେ ଚାଷୀମାନଙ୍କୁ ନିଜ ପାଖରେ ବସାଇ ଏହି ପଞ୍ଜିକରଣ କରିବେ, ଯାହା ଦ୍ୱାରା ଦାଖଲ ହେଉଥିବା ସମସ୍ତ ତଥ୍ୟ ନିଜେ ଚାଷୀ ଜାଣିପାରିବେ । ଏଥି ସହ ଭାଗଚାଷୀ ହୋଇଥିଲେ ଜମି ମାଲିକଙ୍କ ଆଧାର ନମ୍ବର, ନାମ ଓ ମୋବାଇଲ ନମ୍ବର, P-PAS ଆବେଦନ ଫର୍ମରେ ଉଲ୍ଲେଖ କରାଯିବା ସହିତ ଜମି ମାଲିକଙ୍କ ସମ୍ମତି ପତ୍ରକୁ ପି-ପାସରେ ଅପଲୋଡ଼ କରାଯିବ । ଏହି କ୍ଷେତ୍ରରେ ଜମି ମାଲିକଙ୍କ ଇ-କେୱାଇସି ମଧ୍ୟ ସମ୍ପର୍ଣ୍ଣ କରାଯିବ । ଏତଦ୍ ବ୍ୟତୀତ, ଯଦି ନିଜ ବ୍ୟତୀତ ଅନ୍ୟ ଅଂଶୀଦାର ବା ଜମିର ରେଜିଷ୍ଟ୍ରେସନ କରୁଥାନ୍ତି ତେବେ ମଧ୍ୟ ଅନ୍ୟ ଅଂଶୀଦାରଙ୍କ ଦ୍ୱାରା ପ୍ରଦତ୍ତ ସମ୍ମତି ପତ୍ରକୁ ମଧ୍ୟ ପି-ପାସରେ ଅପଲୋଡ଼ କରାଯିବ | ଜମି ପଞ୍ଜିକରଣ ସମୟରେ ଯେଉଁ ଚାଷୀ ମାନଙ୍କ ଅଗ୍ରିଷ୍ଟାକ ଆଇଡି ନଂ ନଥିବ ସେମାନେ ପରବର୍ତ୍ତୀ ସମୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆଗ୍ରିଷ୍ଟାକ ପଞ୍ଜିକରଣ କରାଇ ପାରିବେ । ଆଗ୍ରିଷ୍ଟାକ ଏକ ସମନ୍ୱିତ କୃଷକ ପ୍ଲାଟଫର୍ମ, ଯେଉଁଥିରେ ଚାଷୀମାନଙ୍କର ତଥ୍ୟ ଏକୀକୃତ ଭାବେ ରହିପାରିବ ।ଚଳିତ ପଞ୍ଜିକରଣ ପ୍ରକ୍ରିୟା, ବିଭିନ୍ନ ବିଭାଗ ଯଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ଵୟରେ କରାଯିବ | ଚାଷୀ ପଞ୍ଜିକରଣବେଳେ ସଂପୃକ୍ତ ଅଞ୍ଚଳର VAW ସମିତିରେ ଉପସ୍ଥିତ ରହିବେ । ଏଥି ସହ ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ରହି ଆବେଦନକାରୀଙ୍କୁ ଯଥାଯଥ ସହଯୋଗ କରିବେ । ଯଥାଶୀଘ୍ର ପଞ୍ଜିକରଣ କରିବା ପାଇଁ ସମସ୍ତ ଯୋଗ୍ୟ ଚାଷୀ ମାନଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking