ମୟୁରଭଞ୍ଜ : ମୟୁରଭଞ୍ଜ ଉଦଳା ମେଡିକାଲରୁ ସାମ୍ନାକୁ ଆସିଛି ଏକ ଚିନ୍ତାଜନକ ଘଟଣା । ପ୍ରସୂତି ବିଭାଗରେ ହଠାତ ଖସିପଡିଲା ସିଲଂର କିଛି ଅଂଶ । ସୌଭାଗ୍ୟବଶତଃ ନବଜାତ ଶିଶୁ ଓ ପ୍ରସୂତି ମାଆ ବଡ ବିପଦରୁ ବର୍ତ୍ତିଯାଇଛନ୍ତି । ଘଟଣାପରେ ହସ୍ପିଟାଲର ଭିତ୍ତିଭୂମି ଓ ରୋଗୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ମୟୁରଭଞ୍ଜ ଜିଲ୍ଲା ଉଦଳା ମେଡିକାଲର ପ୍ରସୂତି ବିଭାଗରେ ଅଘଟଣ ଘଟିଛି । ହଠାତ ଛାତରୁ ସିଂଲଂର କିଛି ଅଂଶ ଖସିପଡିବାରୁ ସୃଷ୍ଟି ହୋଇଥିଲା ଆତଙ୍କ । ସେହି ସମୟରେ ଜଣେ ପ୍ରସୂତି ନିଜ ନବଜାତ ଶିଶୁକୁ ଧରି ବେଡରେ ବସିଥିଲେ । ହଠାତ ସିଲଂର କିଛି ଅଂଶ ତାଙ୍କ ପିଠି ଉପରେ ପଡିଥିଲା । ସୌଭାଗ୍ୟବଶତଃ ମାଆ ଓ ଶିଶୁ ଗୁରୁତର ଆହତ ହୋଇନଥିବା ସୂଚନା ମିଳିଛି । ଘଟଣା ପରେ ୱାର୍ଡେନରେ କିଛି ସମୟ ପାଇଁ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣା ପରେ ହସ୍ପିଟାଲର ରକ୍ଷଣାବେକ୍ଷଣ ଓ ପୁରୁଣା କୋଠାର ସୁରକ୍ଷା ଯାଞ୍ଚ ଦାବି ଜୋର ଧରିଛି । ସିଲିଂ ଖସିବା ଘଟଣାରେ ମାଆ ଓ ନବଜାତକ ସୁରକ୍ଷିତ ଥିଲେ ମଧ୍ୟ , ଏଭଳି ଅବହେଳା ଭବିଷ୍ୟତରେ ବଡ ଅଘଟଣର କାରଣ ହୋଇପାରେ ।









