ଗଞ୍ଜାମ: ଏମ୍କେସିଜି ମେଡିକାଲ କଲେଜର ପିଜି ଶେଷ ବର୍ଷ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ ପଦକ୍ଷେପ ନିଆଯାଇଛି । ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ଅନୁସାରେ, ଏହି ମାମଲାର ଗୂଢ଼ ରହସ୍ୟ ଖୋଲିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ପ୍ରଶ୍ନପତ୍ର ଲିକ୍ କିମ୍ବା ଭାଇରାଲ ହେବା ପଛରେ କାହାର ହାତ ରହିଛି ଏବଂ ଏହା କେଉଁଠାରୁ ଆରମ୍ଭ ହୋଇଥିଲା, ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ତଥ୍ୟ ସଂଗ୍ରହ ଓ ଖୋଳତାଡ଼ ଜାରି ରହିଛି। କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି ଯେ, ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଗତ ଜୁଲାଇ ୨୧ ତାରିଖରୁ MKCG ମେଡିକାଲ କଲେଜରେ ପିଜି ଶେଷ ବର୍ଷ ପରୀକ୍ଷା ଆରମ୍ଭ ହୋଇଥିଲା । ତେବେ ପରୀକ୍ଷା ଚାଲିଥିବା ବେଳେ ଜୁଲାଇ ୨୭ ତାରିଖରେ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।










