ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ନାବାଳିକା ଚାଲାଣ ରୋକିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ‘ନୂତନ ସକାଳ’ ନାମରେ ଏକ ଖସଡ଼ା ନୀତି ପ୍ରସ୍ତୁତ ହୋଇଛି । ସରକାରଙ୍କ ଲକ୍ଷ୍ୟ ହେଉଛି ଚାଲାଣକୁ ପୂର୍ବରୁ ରୋକିବା, ପୀଡ଼ିତଙ୍କୁ ଉଦ୍ଧାର କରି ସୁରକ୍ଷା ଦେବା, ପୁନର୍ବାସ କରିବା ଏବଂ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା । ସରକାରୀ ତଥ୍ୟ ଅନୁସାରେ ୨୦୨୧ରୁ ୨୦୨୩ ମଧ୍ୟରେ ରାଜ୍ୟରେ ପ୍ରାୟ ୩,୯୦୦ ଜଣ ମାନବ ଚାଲାଣ ପୀଡ଼ିତ ଚିହ୍ନଟ ହୋଇଛନ୍ତି । ଏହି ଚିନ୍ତାଜନକ ସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ନୀତି ଆଣାଯାଉଛି ।
‘ନୂତନ ସକାଳ’ ନୀତି ଅନୁଯାୟୀ ପଞ୍ଚାୟତ, ଜିଲ୍ଲା ଓ ରାଜ୍ୟସ୍ତରରେ ତିନିସ୍ତରୀୟ କମିଟି ଗଠନ ହେବ । ଏହା ସହିତ ସ୍ୱତନ୍ତ୍ର ‘ନୂତନ ସକାଳ ସେଲ୍’ ଏବଂ ଏକ କର୍ପସ୍ ଫଣ୍ଡ ଗଠନ ପ୍ରସ୍ତାବ ରହିଛି, ଯାହା ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ଶକ୍ତିଶାଳୀ କରିବ । ଆଇନଗତ ପଦକ୍ଷେପକୁ ମଧ୍ୟ ଜୋରଦାର କରାଯିବ । ସବୁ ଜିଲ୍ଲାରେ ଫାଷ୍ଟ-ଟ୍ରାକ୍ କୋର୍ଟ, ସ୍ୱତନ୍ତ୍ର ସରକାରୀ ଓକିଲ, ଡିଜିଟାଲ ଫରେନ୍ସିକ୍ ତଦନ୍ତ ଓ ପୀଡ଼ିତା-ସାକ୍ଷୀ ସୁରକ୍ଷା ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ମାମଲାର ଶୀଘ୍ର ବିଚାର ସମ୍ଭବ ହେବ ।ଗ୍ରାମାଞ୍ଚଳକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ବାହାରକୁ କାମ ପାଇଁ ଯାଉଥିବା ଲୋକଙ୍କ ତଥ୍ୟ ରଖିବାକୁ ମାଇଗ୍ରେସନ୍ ରେଜିଷ୍ଟର ପ୍ରସ୍ତୁତ ହେବ । ସେହିପରି ସଚେତନତା କାର୍ଯ୍ୟକ୍ରମ, ସ୍କୁଲରେ ଜୀବନଦକ୍ଷତା ଶିକ୍ଷା ଓ ଅନଲାଇନ୍ ମାଧ୍ୟମରେ ହେଉଥିବା ସାଇବର ଚାଲାଣ ଉପରେ ବିଶେଷ ନଜର ରଖାଯିବ ।










