ପୁରୀ: ଶୃଙ୍ଗାର ପ୍ରିୟ ଠାକୁରଙ୍କର ୨୪ ବେଶ ମଧ୍ୟରୁ ଶ୍ରୀମନ୍ଦିରରେ ୨୨ଟି ବେଶ ହୋଇଥାଏ। ମହାପ୍ରଭୁଙ୍କ ବେଶ ମଧ୍ୟରେ ସୁନାବେଶ ଅତ୍ୟନ୍ତ ଦୁର୍ଲଭ। ବର୍ଷକୁ ୬ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି। ଥରେ ରଥରେ ଏବଂ ଶ୍ରୀମନ୍ଦିର ରତ୍ନବେଦୀରେ ୫ଥର ମହାପ୍ରଭୁ ସୁନାବେଶରେ ଦର୍ଶନ ଦିଅନ୍ତି। ଚାରିଟି ପୂର୍ଣ୍ଣମୀ ତଥା, କୁମାର ପୂର୍ଣ୍ଣମୀ, କାର୍ତିକ ପୂର୍ଣ୍ଣମୀ, ପୌଷ ପୂର୍ଣ୍ଣମୀ ଓ ଦୋଳପୂର୍ଣ୍ଣମୀ ସମେତ ବିଜୟା ଦଶମୀ ଦିନ ରତ୍ନବେଦୀରେ ସୁନାବେଶ ହୋଇଥାଏ।ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତିଙ୍କ ଏକ ଆଲେଖ୍ୟ ମୁତାବକ, ଶ୍ରୀମନ୍ଦିର ରତ୍ନଦେୀରେ ହେଉଥିବା ୫ଟି ସୁନାବେଶ ମଧ୍ୟରୁ କାର୍ତିକ ପୂର୍ଣ୍ଣମୀର ସୁନାବେଶକୁ ରାଜରାଜେଶ୍ବର ବେଶ କୁହାଯାଏ। ଅନ୍ୟ ଚାରି ବେଶକୁ ରାଜବେଶ କୁହାଯାଏ। ତେବେ କାର୍ତିକ ପୂର୍ଣ୍ରମୀର ରାଜରାଜେଶ୍ବର ବେଶ ରାଜବେଶର ଅନୁରୂପ। କାର୍ତିକ ପୂର୍ଣ୍ଣମୀ ଦିନ ମହାପ୍ରଭୁ ଦ୍ବାରକାକୃଷ୍ଣ ଭାବରେ ଐଶ୍ବର୍ଯ୍ୟ ଭାବ ପ୍ରକାଶ କରିଥାନ୍ତି। ତେଣୁ ଏହି ବେଶକୁ ରାଜରାଜେଶ୍ବର ବେଶ କୁହାଯାଏ। ସେହିଭଳି ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ହେଉଥିବା ସୁନାବେଶକୁ ‘ବଡ଼ତଢ଼ାଉ ବେଶ’ ନାମରେ ଅଭିହିତ କରାଯାଇଛି।










