ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତର ମନ୍ତରରୁ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ପୋଲିସ ହଟାଇବା ସହ ହସ୍ପିଟାଲରେ ଭର୍ତ୍ତି କରିବା ପ୍ରସଙ୍ଗ ଏବେ ରାଜନୈତିକ ରୂପ ନେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଏହି ଘଟଣା ଉପରେ ନିଜର ନୀରବତା ଭାଙ୍ଗି ନରେନ୍ଦ୍ର ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ” ରେ ଏକ ପୋଷ୍ଟ ସେୟାର କରି ରାହୁଲ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦବାଇବା ହେଉଛି ମୋଦୀ ସରକାରଙ୍କ ମୂଳ ନୀତି, ଯାହା ”ଅସତ୍ୟ ଏବଂ ହିଂସା” ଉପରେ ଆଧାରିତ। ଜଣେ ବ୍ୟକ୍ତି ଅହିଂସା ମାର୍ଗରେ ଅନଶନ କରୁଥିବା ବେଳେ ତାଙ୍କୁ ସେଠାରୁ ଜୋରଜବରଦସ୍ତ ହଟାଇବା ସମ୍ପୂର୍ଣ୍ଣ ଭୁଲ୍। ଏହାସହ ଦେଶର ଛାତ୍ରଛାତ୍ରୀଙ୍କ ସମସ୍ୟା ଯେପରିକି ପେପର ଲିକ୍, ମହଙ୍ଗା ଶିକ୍ଷା ଓ ଛାତ୍ର ଆତ୍ମହତ୍ୟା ଭଳି ପ୍ରସଙ୍ଗ ଉଠାଇବା ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି।










