ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିବସୀୟ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ମେଲବର୍ଣ୍ଣ ମୋଦୀ କାର୍ୟ୍ୟକ୍ରମରେ ୩୦ ହଜାର ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମୋଦୀ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରି ଏହି କାର୍ୟ୍ୟକ୍ରମକୁ ହାଉସ୍ଫୁଲ ଓ ବ୍ଲକବଷ୍ଟର ବୋଲି କହିଛନ୍ତି। ସେ ତାଙ୍କର ୧୨ ବର୍ଷର କାର୍ୟ୍ୟକାଳରେ ଅଷ୍ଟ୍ରେଲିଆ ଗସ୍ତରେ ଆସିବାରେ ହ୍ୟାଟ୍ରିକ କରିଛନ୍ତି ବୋଲି କହିଛନ୍ତି। ଅଷ୍ଟ୍ରେଲିଆରେ ରହୁଥିବା ଭାରତୀୟମାନେ ସେମାନଙ୍କ ମାତୃଭୂମି ସହିତ ଭାବନାତ୍ମକ ଭାବେ ଯୋଡ଼ି ହୋଇ ରହିଥିବାବେଳେ ଅଷ୍ଟ୍ରେଲିଆର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ କରୁଛନ୍ତି ବୋଲି କହିଥିଲେ। ଉପସ୍ଥିତଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଅଷ୍ଟ୍ରେଲିଆରେ ଥିବା ଭାରତୀୟ ପ୍ରବାସୀ ଧାର୍ମିକ ସମାବେଶ, ନୃତ୍ୟ ପ୍ରଦର୍ଶନ ଓ ଗୋଷ୍ଠୀଭିତ୍ତିକ କାର୍ୟ୍ୟକ୍ରମ ମାଧ୍ୟମରେ ଏହାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ଜୀବିତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମେଲବର୍ଣ୍ଣରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିବା ସମୟରେ ଅପରେସନ ସିନ୍ଦୂର ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣର ପ୍ରଭାବ ସାରା ବିଶ୍ୱରେ ପ୍ରତିଧ୍ୱନିତ ହୋଇଥିଲା, ଯାହା ଆତଙ୍କବାଦ ବିରୋଧରେ ଦୃଢ଼ ଭାବରେ କାର୍ୟ୍ୟ କରିବା ଓ ଜାତୀୟ ସୁରକ୍ଷାକୁ ସୁରକ୍ଷିତ ରଖିବା ପାଇଁ ଭାରତର ସଂକଳ୍ପକୁ ସ୍ପଷ୍ଟ କରିଛି। ମୋଦୀ ପ୍ରବାସୀ ଭାରତୀୟଙ୍କୁ ମୋବାଇଲ ଫୋନର ଫ୍ଲାସଲାଇଟ ଜଳାଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ଓ ଭିକ୍ଟୋରିଆ ପ୍ରିମିୟରଙ୍କୁ ସ୍ବାଗତ କରିବାକୁ କହିଥିଲେ।










