ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ୍ ହାଟଡ଼ିହି ବ୍ଲକ । ଗତ ୨୪ ଘଣ୍ଟାରେ ବ୍ଲକରେ ସର୍ବାଧିକ ୨୨୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏହାର ପ୍ରଭାବରେ ଶିବନାରାୟଣପୁର ଗ୍ରାମରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଗାଁ ଚାରିପାଖର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ଧାନ ଓ ଅନ୍ୟାନ୍ୟ ଫସଲ ପାଣିରେ ବୁଡ଼ି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ସବୁଠାରୁ ବଡ଼ ସମସ୍ୟା ହେଉଛି ଜଳ ନିଷ୍କାସନ । ନିଷ୍କାସନ ବ୍ୟବସ୍ଥା ବନ୍ଦ ହୋଇଯିବାରୁ ବର୍ଷା ପାଣି ଗାଁ ଭିତରକୁ ପଶିଯାଇଛି । ଗାଁର ରାସ୍ତାଘାଟରେ ପ୍ରାୟ ଦୁଇ ଫୁଟ ଉଚ୍ଚରେ ପାଣି ଚାଲୁଥିବା ବେଳେ ଅନେକ ଘରେ ମଧ୍ୟ ପାଣି ପଶିଯାଇଛି । ଫଳରେ ଦୈନନ୍ଦିନ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି ।
ଗାଁର ସ୍କୁଲ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ସ୍କୁଲ ପରିସରରେ ପ୍ରାୟ ତିନି ଫୁଟ ଉଚ୍ଚରେ ପାଣି ଜମି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଛି । ଦୀର୍ଘଦିନ ଧରି ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ନ ହେବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ସହ କ୍ଷତିଗ୍ରସ୍ତ ପରିବାର ଓ ଚାଷୀଙ୍କୁ ସହାୟତା ଯୋଗାଇବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି । ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପାରେ । ତେଣୁ ପ୍ରଶାସନ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସ୍ୱାଭାବିକ କରିବା ସହ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।










