28.3 C
Bhubaneswar
Tuesday, June 23, 2026
Homeଦେଶ ବିଦେଶଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

ଇଥାନଲ୍ ମିଶ୍ରଣ ସମ୍ପର୍କିତ ଭ୍ରମାତ୍ମକ ପୋଷ୍ଟ ଓ ପୁରୁଣା ଚିତ୍ରର ସତ୍ୟତା ନାହିଁ; ସରକାରଙ୍କ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଭାରତ ସରକାର ଇଥାନଲ୍ ମିଶ୍ରିତ ପେଟ୍ରୋଲ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା କେତେକ ଭ୍ରମାତ୍ମକ ଏବଂ ଆଧାରହୀନ ଖବରକୁ ସଂଜ୍ଞାନରେ ନେଇଛନ୍ତି। ଏହିସବୁ ବିଷୟ ଜନସାଧାରଣଙ୍କୁ ବିଭ୍ରାନ୍ତ ଏବଂ ପଥଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ ପ୍ରସାରଣ କରାଯାଉଥିବା ପରି ମନେହେଉଥିବା କହିଛନ୍ତି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ। ଏପରିକି ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି କରି ନିଜର ଦର୍ଶକ ସଂଖ୍ୟା ବଢ଼ାଇବା ଏବଂ ଇଥାନଲ୍-ମିଶ୍ରିତ ଇନ୍ଧନ ସମ୍ପର୍କରେ ଅଯଥା ଚିନ୍ତା ସୃଷ୍ଟି କରିବା ପାଇଁ ପୁରୁଣା ଫଟୋ ଓ ଭିଡିଓଗୁଡ଼ିକୁ ପୁନର୍ବାର ପ୍ରସାରିତ କରାଯାଉଥିବା ମନ୍ତ୍ରଣାଳୟର ଦୃଷ୍ଟିଗୋଚର ହୋଇଛି। ଏ ବାବଦରେ ସ୍ପଷ୍ଟ କରିବାକୁ ଯାଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ବୈଜ୍ଞାନିକ ଭାବେ ପ୍ରମାଣିତ ଏବଂ ସରକାରଙ୍କ ଦ୍ୱାରା ଏହାର ନିୟମିତ ଭାବେ ଅନୁଧ୍ୟାନ କରାଯାଉଛି। ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା, ଶକ୍ତି ନିରାପତ୍ତା ବୃଦ୍ଧି କରିବା ଏବଂ ପରିବେଶ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୦୩ ମସିହାରେ ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ବୈଷୟିକ ପ୍ରସ୍ତୁତି ଏବଂ ଅଂଶୀଦାରମାନଙ୍କ ସହ ଆଲୋଚନା ଆଧାରରେ ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଇଛି, ଯାହା ଫଳରେ ୨୦୨୩ ମସିହାରୁ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ (ଇ୨୦) କାର୍ଯ୍ୟକାରୀ କରାଯାଇଛି। ତୈଳ ବିପଣନ କମ୍ପାନୀ, ଅଟୋମୋବାଇଲ୍ ନିର୍ମାତା, ଇନ୍ଧନ ପରୀକ୍ଷାକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ପରାମର୍ଶ କରି ସରକାର ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମର ରୂପାୟନକୁ କ୍ରମାଗତ ଭାବେ ଅନୁଧ୍ୟାନ କରୁଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇ-୨୦ ପେଟ୍ରୋଲ୍ ପ୍ରଚଳନ ପରଠାରୁ, ଇଥାନଲ୍ ମିଶ୍ରଣ ଜନିତ ଇଞ୍ଜିନ ବା ଗାଡ଼ି ଖରାପ ହେବା ଭଳି କୌଣସି ବ୍ୟାପକ ସମସ୍ୟା ସାମ୍ନାକୁ ଆସିନଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ବର୍ତ୍ତମାନ ପ୍ରସାରିତ ହେଉଥିବା ଏକ ଖବର ଇଥାନଲ୍ର ଆର୍ଦ୍ରତା ଗ୍ରହଣ କରିବା ପ୍ରକୃତି ବା ହାଇଗ୍ରୋସ୍କୋପିକ ପ୍ରକୃତି ସହ ଜଡ଼ିତ। ଏହା ସମସ୍ତେ ଜାଣନ୍ତି ଯେ ଇନ୍ଧନ ଟାଙ୍କିରେ ପାଣି ପ୍ରବେଶ କରିବା ଯେକୌଣସି ଇନ୍ଧନ ପାଇଁ ଅବାଞ୍ଛିତ, ତାହା ଇଥାନଲ୍ ମିଶ୍ରିତ ହେଉ ବା ଅନ୍ୟ କିଛି। ଆଧୁନିକ ଗାଡ଼ିଗୁଡ଼ିକରେ ଇନ୍ଧନ ଟାଙ୍କିରେ ପାଣି ପ୍ରବେଶକୁ ରୋକିବା ପାଇଁ ବିଶେଷ ଡିଜାଇନ୍ ଏବଂ ସୁରକ୍ଷା ବ୍ୟବସ୍ଥା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସୋସିଆଲ ମିଡିଆରେ କେତେକ ବ୍ୟକ୍ତି ଆଖୁ ରସକୁ ସିଧାସଳଖ ପେଟ୍ରୋଲ ସହ ମିଶାଯାଉଥିବା ଭଳି ମିଥ୍ୟା ଭିଡିଓ ତିଆରି ଏବଂ ସେୟାର କରୁଥିବା ମଧ୍ୟ ଦେଖାଯାଇଛି। ଏଭଳି ବିଷୟବସ୍ତୁ ଭ୍ରମାତ୍ମକ ଏବଂ ଆଧାରହୀନ। ଇନ୍ଧନ ମିଶ୍ରଣ ପାଇଁ ବ୍ୟବହୃତ ହେଉଥିବା ଇଥାନଲ୍ ପ୍ରତିଷ୍ଠିତ ଶିଳ୍ପ ପ୍ରକ୍ରିୟା ମାଧ୍ୟମରେ ଉତ୍ପାଦିତ ହୋଇଥାଏ ଏବଂ ପେଟ୍ରୋଲ ସହ ମିଶ୍ରଣ ହେବା ପୂର୍ବରୁ ନିୟମ ମୁତାବକ ଏହାର କଠୋର ଗୁଣବତ୍ତା ଯାଞ୍ଚ କରାଯାଇଥାଏ।

ଇଥାନଲ୍ ବିଭିନ୍ନ ପ୍ରକାରର କଞ୍ଚାମାଲ ଯେପରିକି ଆଖୁ ରସ, ମଲ୍ଲାସେସ୍ (ଶିରା), ଖୁଦ ଏବଂ ମକ୍କାରୁ ପ୍ରସ୍ତୁତ କରାଯାଏ, କିନ୍ତୁ ଇଥାନଲ୍ର ଗୁଣ ଏହାର କଞ୍ଚାମାଲ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ, କାରଣ ଏହା ଫର୍ମେଣ୍ଟେସନ ସହିତ ଅନେକ ପ୍ରକ୍ରିୟା ଦେଇ ଗତି କରିଥାଏ, ଯାହା କଞ୍ଚାମାଲରେ ଥିବା ଶର୍କରାକୁ ବିଘଟନ ପ୍ରକ୍ରିୟା ମାଧ୍ୟମରେ ପରିବର୍ତ୍ତନ କରିଥାଏ। ଏଭଳି ଭିଡିଓଗୁଡ଼ିକର ପ୍ରସାରଣ କେବଳ ଏହି ବିଷୟକୁ ଚାଞ୍ଚଲ୍ୟକର କରିବା ଏବଂ ସେମାନଙ୍କର ଦର୍ଶକ ସଂଖ୍ୟା ବଢ଼ାଇବା ଉଦ୍ଦେଶ୍ୟରେ କରାଯାଉଥିବା ମନ୍ତ୍ରଣାଳୟ ହୃଦବୋଧ କରିଛି। ଭାରତରେ ଇଥାନଲ୍-ମିଶ୍ରଣ ପ୍ରକ୍ରିୟା କଠୋର ଇନ୍ଧନ ଗୁଣବତ୍ତା ନିର୍ଦ୍ଦିଷ୍ଟତା ଅନୁଯାୟୀ କରାଯାଏ ଏବଂ ବ୍ୟବହାର କରାଯିବା ପୂର୍ବରୁ ଏହାର କଠିନ ପରୀକ୍ଷଣ କରାଯାଇଥାଏ। ଅଟୋମୋବାଇଲ୍ ନିର୍ମାତା ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହିତ ବ୍ୟାପକ ବୈଷୟିକ ମୂଲ୍ୟାଙ୍କନ ଓ ଆଲୋଚନା ପରେ ହିଁ ଉଚ୍ଚ ସ୍ତରର ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ନିକଟରେ, ଏକ ଗାଡ଼ିର ଇନ୍ଧନ ଟାଙ୍କି ନିକଟରେ ପିମ୍ପୁଡ଼ି ଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା। ଏହାର ଜବାବରେ, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ସ୍ପଷ୍ଟ କରିଛି ଯେ, ପେଟ୍ରୋଲ ମିଶ୍ରଣ ପାଇଁ ବ୍ୟବହୃତ ହେଉଥିବା ଇନ୍ଧନ-ଗ୍ରେଡ୍ ଇଥାନଲ୍ ଫର୍ମେଣ୍ଟେସନ ଏବଂ ଡିଷ୍ଟିଲେସନ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ କରାଯାଏ, ଯାହା ଚୂଡ଼ାନ୍ତ ଉତ୍ପାଦରୁ ଅବଶିଷ୍ଟ ଶର୍କରା ବା ଚିନି ଅଂଶକୁ ସମ୍ପୂର୍ଣ୍ଣ ରୂପେ ଦୂର କରିଦେଇଥାଏ। ଏହାବ୍ୟତୀତ, ଇନ୍ଧନ ଇଥାନଲ୍ରେ କେତେକ ଡିନେଚୁରାଣ୍ଟସ୍ ଥାଏ ଯାହା ପୋକଜୋକମାନଙ୍କୁ ଦୂରେଇ ରଖିବାରେ ସାହାଯ୍ୟ କରେ। ଇ-୨୦ ଇନ୍ଧନ ସହିତ ଜଡ଼ିତ ଏଭଳି କୌଣସି ଆକର୍ଷଣୀୟ ଉପାଦାନ ନାହିଁ ଯାହା ପିମ୍ପୁଡ଼ି କିମ୍ବା ଅନ୍ୟାନ୍ୟ ପୋକଜୋକଙ୍କୁ ଗାଡ଼ିର ଇନ୍ଧନ କ୍ୟାପ୍ ଅଥବା ଟାଙ୍କି ମୁହଁ ଚାରିପାଖରେ ଏକାଠି ହେବାକୁ ବାଧ୍ୟ କରିବ। ତେଣୁ, ଇ-୨୦ ଇନ୍ଧନ ଏବଂ ପିମ୍ପୁଡ଼ି ଆକର୍ଷିତ ହେବା ମଧ୍ୟରେ ସମ୍ପର୍କ ଥିବା ଦାବିଗୁଡ଼ିକର କୌଣସି ବୈଜ୍ଞାନିକ ଭିତ୍ତି ନାହିଁ ଏବଂ ଏହା ବୈଜ୍ଞାନିକ ପ୍ରମାଣ ଦ୍ୱାରା ସମର୍ଥିତ ନୁହେଁ।

ସେହିପରି, ଇ-୨୦ ଇନ୍ଧନର ବ୍ୟବହାର ଗାଡ଼ିର ବୀମା ବୈଧତାକୁ ପ୍ରଭାବିତ କରିପାରେ ବୋଲି ହେଉଥିବା ଏକାଧିକ ଦାବିକୁ ସମ୍ପୃକ୍ତ ଅଂଶୀଦାରମାନଙ୍କ ଦ୍ୱାରା ସ୍ପଷ୍ଟ କରାଯାଇଛି ଏବଂ ଏହା ଭୁଲ ବୋଲି ଜଣାପଡ଼ିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇଥାନଲ୍ ମିଶ୍ରଣ ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପଦ୍ଧତି ଏବଂ ଏହା ଆମେରିକା, ବ୍ରାଜିଲ୍ ଏବଂ ଜାପାନ ସମେତ ଅନେକ ଦେଶରେ ଏହା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ବ୍ରାଜିଲ୍ ବହୁ ପୂର୍ବରୁ ଉଚ୍ଚ ଇଥାନଲ୍ ମିଶ୍ରଣ ସ୍ତର ଗ୍ରହଣ କରିଛି, ଯେଉଁଠାରେ ଇ-୨୭କୁ ମାନକ ପେଟ୍ରୋଲ ମିଶ୍ରଣ ଭାବରେ ବ୍ୟବହାର କରାଯାଉଛି। ଏଠାରେ ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ଅଶୋଧିତ ତୈଳ ଆମଦାନୀ ହ୍ରାସ କରି ଦେଶର ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିଛି। ଏହି କାର୍ଯ୍ୟକ୍ରମ ଇଥାନଲ୍ ଉତ୍ପାଦନରେ ବ୍ୟବହୃତ କୃଷିଜାତ କଞ୍ଚାମାଲ ପାଇଁ ଏକ ନିରନ୍ତର ଚାହିଦା ସୃଷ୍ଟି କରିଛି, ଯାହାଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇଛି ଏବଂ ଗ୍ରାମୀଣ ଅର୍ଥନୀତି ସଦୃଢ଼ ହୋଇଛି। ଭାରତର ଶକ୍ତି ନିରାପତ୍ତା ବୃଦ୍ଧି କରିବାରେ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ଏବଂ ଦେଶକୁ ସ୍ୱଚ୍ଛ ପରିବହନ ପ୍ରଦାନ ଦିଗରେ ଆଗେଇ ନେବା କ୍ଷେତ୍ରରେ ଇଥାନଲ୍ ମିଶ୍ରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବୈଜ୍ଞାନିକ ପ୍ରମାଣ ଏବଂ ନିୟମିତ ଅଂଶୀଦାରମାନଙ୍କ ସହଯୋଗ ଦ୍ୱାରା ପରିଚାଳିତ ହୋଇ, ଏହି କାର୍ଯ୍ୟକ୍ରମକୁ ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ଗ୍ରାହକ-କେନ୍ଦ୍ରିକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରତିବଦ୍ଧ ଥିବା ମନ୍ତ୍ରଣାଳୟ ଏକ ବିବୃତ୍ତିରେ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking