ଭୁବନେଶ୍ୱର: ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକା ଉପଲବ୍ଧ ହେବ। କେବଳ ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ, ନକଲି ଏବଂ ବିଦେଶୀ ନଗରିକଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯିବ। ଏ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ। ଲୋକଙ୍କୁ ଏ ନେଇ ସଚେତନ କରାଇବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୂଆଦିଲ୍ଲୀସ୍ଥିତ ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକସନ ମ୍ୟାନେଜମେଣ୍ଟ’ (IIIDEM) ପରିସରରେ ଭାରତୀୟ ନିର୍ବାଚନ କମିଶନ (ECI) ଙ୍କ ଦ୍ୱାରା ଗଣମାଧ୍ୟମ ଏବଂ ଯୋଗାଯୋଗ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଜ୍ଞାନେଶ କୁମାର ଏହା କହିଛନ୍ତି। ଆଗାମୀ ନିର୍ବାଚନ ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଦେଶର ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ମିଡିଆ ନୋଡାଲ ଅଫିସର (Media Nodal Officers) ଏବଂ ଜିଲ୍ଲା ମିଡିଆ ନୋଡାଲ ଅଫିସରମାନଙ୍କ ପାଇଁ ଏକ ଦିନିକିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ପରିଚାଳିତ ହୋଇଥିଲା।ଓଡିଶାର ଡେ଼ପୁଟି ସି ଇ ଓ ତଥା ମିଡ଼ିଆ ନୋଡ଼ାଲ ଅଫିସର ଡ଼. ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ନେତୃତ୍ୱରେ ମୋଟ ୧୪ ଜଣ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା କରି ସଠିକ୍ ତଥ୍ୟ ଲୋକମାନଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ଭୋଟରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ ପାଇଛି। ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଗଣମାଧ୍ୟମ ମାଧ୍ୟମରେ ସ୍ୱଚ୍ଛ ସୂଚନା ପ୍ରଦାନ କରିବା ନେଇ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ନିର୍ବାଚନ ସମୟରେ ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଓ ଭ୍ରମାତ୍ମକ ଖବର କୁ ଚିହ୍ନଟ କରିବା ଏବଂ ତା’ର ତୁରନ୍ତ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ଗଣମାଧ୍ୟମ ଏ ଦିଗରେ ନିଜର ବିଶ୍ୱାସନିୟତା ବଜାୟ ରଖିବା ଏବଂ ଖବର ପ୍ରକାଶନ ବା ପ୍ରଚାର ପୂର୍ବରୁ କୌଣସି ତଥ୍ୟର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଅନୁରୋଧ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ମିଡିଆ ନୋଡାଲ ଅଫିସରମାନଙ୍କର ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ ଆଗାମୀ ଦିନରେ ଏକ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଦିଗରେ ବେଶ୍ ସହାୟକ ହେବ। ଏହି ସମ୍ମିଳନୀରେ ନିର୍ବାଚନ କମିଶନର ଡା ବିବେକ ଯୋଶୀ, ସୁଖବୀର ସିଂ ସାନ୍ଧୁ ଓ ବିଷୟ ବିଶେଷଜ୍ଞମାନେ ଉଦବୋଧନ ଦେଇଥିଲେ। ଓଡିଶାରୁ ଉପ ନିର୍ଦ୍ଦେଶକ ତଥା ପୁରୀ ଡ଼ିଆଇପିଆରଓ ସନ୍ତୋଷ କୁମାର ସେଠୀ, ବିଏମସି ଆସିଷ୍ଟାଣ୍ଟ କମିଶନର ସ୍ମୃତି ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ବିଦ୍ୟାପତି ପଣ୍ଡା,ନନ୍ଦିନୀ ମୁଣ୍ଡାରୀ,ସଂଯୁକ୍ତା କୁଲ୍ଲୁ,ପ୍ରହଲ୍ଲାଦ କଶଲା,ସାର୍ଥକ ଅଭିନନ୍ଦନ ରାୟ,ପ୍ରତିଚୀ ତନୟା ମହାନ୍ତି,ସ୍ୱାଗତିକା ବେହେରା,ସୌରଭ ପ୍ରଧାନ,ମଧୁସ୍ମିତା ମହାପାତ୍ର,ବୁଢାନ ହେମ୍ବ୍ରମ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକସମ୍ପର୍କ ଅଧିକାରୀ ବିଜୟାନନ୍ଦ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।










